ଖୋର୍ଦ୍ଧା: ଖୋର୍ଦ୍ଧା ପୌରାଞ୍ଚଳରେ ବେଆଇନ ଭାବେ ସରକାରୀ ଜମିରେ ହୋଇଥିବା ଗୃହ ନିର୍ମାଣ ଓ ବସ୍ତିର ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ପୌର ପ୍ରଶାସନ ପକ୍ଷରୁ ଗତ ଦୁଇଦିନ ଧରି ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଉଛି। ପ୍ରଶାସନର ଏଭଳି ପଦକ୍ଷେପକୁ ନେଇ ବସ୍ତି ବିକାଶ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇ ସେଠାରେ ପ୍ରାୟ ୫ ଦଶନ୍ଧୀ ଧରି ଲୋକ ବିଭିନ୍ନ ଆନୁସଙ୍ଗିକ ସୁବିଧା ପାଇ ରହୁଥିବା କୁହାଯାଇଥିବା ବେଳେ ପୌର ପ୍ରଶାସନ ଏହାକୁ ଅସ୍ୱୀକାର କରିଛି। ୨୦୧୪ ଉଚ୍ଛେଦ ପରେ ବସ୍ତି ଗଢ଼ି ଉଠିଥିବା ସ୍ପଷ୍ଟୀକରଣ ଦେଇ ଉଚ୍ଛେଦ ପ୍ରକ୍ରିୟା ଆଇନ ସମ୍ମତ ବୋଲି କହିଛି। ବସ୍ତି ବିକାଶ ସଂଗଠନର ସଭାପତି ଅଶୋକ ସାହୁ, ଉପସଭାପତି ବିଜୟ ପାତ୍ର, ସମ୍ପାଦକ କାର୍ତିକ ଘଡ଼େଇ, ଉପସଭାପତି ଜିତେନ୍ଦ୍ର ବେହେରା ଓ ଟିଏଲ୍ସି ବସ୍ତିର ବାସିନ୍ଦା କୈଳାସ ଜେନା, ରାଜେନ୍ଦ୍ର ବରାଳ, ରଘୁ ସାହୁ, ରୀତା ସାହୁ, ଜୟନ୍ତ ରଣା, ଶୁଭଶ୍ରୀ ଦାସ ପ୍ରମୁଖ ଆଜି ପୌର ଅଧିକାରୀ ରିଜୱାନା କ୍ୱାବାକୁମ୍ଙ୍କୁ ଭେଟିଥିଲେ। ଟିଏଲ୍ସି ଠାରେ ଥିବା ସରକାରୀ ଜମିରେ ଅନେକ ଦିନମଜୁରିଆ, ଗରିବ ଲୋକ ଝାଟିମାଟିରେ ଘର ନିର୍ମାଣ କରି ଗତ ୫୦ ବର୍ଷ ଧରି ରହୁଆସୁଥିବାରୁ ସେମାନଙ୍କୁ ଉଚ୍ଛେଦ କରାଗଲେ ସେମାନେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିବେ ବୋଲି କହିଥିଲେ। ଏପରିକି ଏହି ବସ୍ତିରେ ପୌର ପ୍ରଶାସନ ପକ୍ଷରୁ ବିଜୁଳି, ପାନୀୟ ଜଳ ଯୋଗାଇ ଦେବା ସହ ବାସିନ୍ଦାଙ୍କୁ ଏହାର ଠିକଣାରେ ଆଧାର କାର୍ଡ, ରାସନ କାର୍ଡ଼ ଦିଆଯାଇଥିବା ବେଳେ ସେମାନଙ୍କୁ ଉଚ୍ଛେଦ କରାଯିବା ବେଆଇନ ବୋଲି କହିଥିଲେ। ଅପରପକ୍ଷରେ ପୌର ପ୍ରଶାସନ ପକ୍ଷରୁ ସଂଗଠନର ଏଭଳି ଅଭିଯୋଗକୁ ଅସ୍ୱୀକାର କରାଯାଇଛି। ସ୍ପଷ୍ଟୀକରଣରେ କୁହାଯାଇଛି ଯେ ୨୦୧୪ରେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଛକ ଠାରୁ ଚଣ୍ଡିଚୁଆ ଛକ ପର୍ଯ୍ୟନ୍ତ ରାସ୍ତାର ଦୋହରାକରଣ ପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ବେଆଇନ ବସ୍ତି ଓ ଟିଏଲ୍ସି ପଡ଼ିଆରେ ପାର୍କିଂ ବ୍ୟବସ୍ଥା ପାଇଁ ବେଆଇନ ବସ୍ତିକୁ ଭଙ୍ଗାଯାଇଥିଲା।
ରାସ୍ତା ନିର୍ମାଣ ହୋଇଥିଲା କିନ୍ତୁ ବିଭିନ୍ନ କାରଣ ଯୋଗୁଁ ଉଭୟ ପାଶ୍ୱର୍ରେ ଥିବା ସରକାରୀ ଜମିରେ ପ୍ରସ୍ତାବିତ ପାର୍କିଂ ଓ ସରକାରୀ କାର୍ଯ୍ୟାଳୟ ଆଦି ନିର୍ମାଣରେ ବିଳମ୍ବ ହୋଇଥିଲା। ଏହାର ସୁଯୋଗରେ ପୁଣି ସେଠାରେ ବେଆଇନ ବସ୍ତି ଗଢ଼ି ଉଠିଛି। ପୌର ପ୍ରଶାସନର ଏତାଦୃଶ ସଫେଇ ପରେ ବସ୍ତି ବିକାଶ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଯଦି ପ୍ରଶାସନ ସେମାନଙ୍କ ଦାବି ନଶୁଣେ ତେବେ ଆଗାମୀ ଦିନରେ ଆନ୍ଦୋଳନ ହେବ। ଏନେଇ ପୌର ପରିଷଦ ନିର୍ବାହୀ ଅଧିକାରୀ ରିଜୱାନା କ୍ୱାବାକୁମ କହିଛନ୍ତି ଯେ ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା ହୋଇଛି। ତେବେ ସେମାନଙ୍କ ଦାବି ସମ୍ପର୍କରେ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରାଯିବ। ଏଠାରେ ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ମାସରେ ପୌର ପରିଷଦ, ଖୋର୍ଦ୍ଧା ଓ ବେଗୁନିଆ ବିଧାୟକ, ପ୍ରଶାସନିକ ଅଧିକାରୀ, ସହରର ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଓ ବ୍ୟବସାୟୀଙ୍କ ମଧ୍ୟରେ ଆଲୋଚନାରେ ଟିଏଲ୍ସି ପଡ଼ିଆ ଠାରେ ବ୍ୟବସାୟୀଙ୍କ ପାଇଁ ପିଣ୍ଡି ଓ ଦୋକାନଗୃହ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଖୋର୍ଦ୍ଧା ଶ୍ମଶାନ ସମ୍ମୁଖ ଜମିରେ ଦୋକାନ ଘର ନିର୍ମାଣ ଆରମ୍ଭ ହୋଇଥିବା ବେଳେ ଦୋକାନ ଘର ସଂଖ୍ୟା ପର୍ଯ୍ୟାପ୍ତ ନଥିବା ଦର୍ଶାଇ ରାଜନୈତିକ ଛକାପଂଝା ଆରମ୍ଭ ହୋଇଯାଇଥିଲା। ପରବର୍ତୀ ସମୟରେ କେବଳ ଶ୍ମଶାନ ସମ୍ମୁଖସ୍ଥ ଜମି ନୁହେଁ ଟିଏଲ୍ସି ପଡ଼ିଆର ବେଆଇନ ବସ୍ତି ଓ ନିର୍ମାଣ ହଟାଯାଇ ସେଠାରେ ୧୦୦ରୁ ଉର୍ଦ୍ଧ୍ବ ପରିବା ଓ ଆମିଷ ବ୍ୟବସାୟୀଙ୍କ ପାଇଁ ପିଣ୍ଡି ଓ ଦୋକାନ ଗୃହ ନିର୍ମାଣ ପାଇଁ ବ୍ୟବସାୟୀ ମାନେ ଦାବିପତ୍ର ଆଦି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/TLC-bast-Uchheda-nei-Basti-basinda-paura-nirbahi-adhikarinka-saha-alochana-kari-feruchhanti.jpeg)