ଶ୍ରାବଣ ମାସରେ ଚାଷଜମି ଫାଟି ଆଁ, ମରୁଡ଼ିର ପଦଧ୍ବନି, ଚାଷୀ ମୁଣ୍ଡରେ ଚଡ଼କ

ନରସିଂହପୁର: ଆଷାଢ଼ ମାସ ଶେଷ ହୋଇ ଶ୍ରାବଣ ସରିବାକୁ ବସିଲାଣି। ବର୍ଷାର ଦେଖା ମିଳୁନି। ନରସିଂହପୁର ବ୍ଲକ୍‌ ଅଞ୍ଚଳରେ ପାଣି ଅଭାବରୁ ଚାଷଜମି ଫାଟି ଆଁ କଲାଣି। ମରୁଡ଼ିର ପଦଧ୍ଵନି ଯୋଗୁଁ ଅଞ୍ଚଳର ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ି ଯାଇଥିବା ପରିଲକ୍ଷିତ ହୋଇଛି। ପାହାଡ଼ପର୍ବତ ଘେରା ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ ୩୭ଟି ପଞ୍ଚାୟତରେ ଚାଷୀମାନେ ଚାଷକାର୍ଯ୍ୟ ପାଇଁ ମୁଖ୍ୟତଃ ବର୍ଷାପାଣି ଉପରେ ନିର୍ଭର କରନ୍ତି। ଚଳିତବର୍ଷ ବର୍ଷା ଉଭାନ ହୋଇଯାଇଥିଲା ବେଳେ ଜଳସେଚନ ପାଇଁ ନିର୍ମାଣ କରାଯାଇଥିବା କେନାଲଗୁଡ଼ିକ ଶୁଖିଲା ପଡ଼ିଛି। କେନାଲ ଏବେ ଗୋରୁଗାଈଙ୍କ ଚରାଭୂଇଁ ପାଲଟିଛି। ସେହିପରି ଚାଷଜମିକୁ ଜଳସେଚନ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ମେଗା ଲିଫ୍ଟ ଇରିଗେସନ୍‌ ଯୋଜନା କାର୍ଯ୍ୟ ଆରମ୍ଭ ହୋଇଛି। ତାହା କେବେ କାର୍ଯ୍ୟକାରୀ ହେବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏଭଳି ସ୍ଥିତି ଯୋଗୁଁ ଧାନ ଜମି ଫାଟି ଆଁ କଲାଣି। ଧାନଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ନରସିଂହପୁରବାସୀ ଧାନ ଅମଳ ପରେ ମୁଗ, ବିରି, କୋଳଥ ଆଦି ରବି ଫସଲ ଚାଷ ଦୁଇ ପଇସା ରୋଜଗାର କରିଥାନ୍ତି।

ଏଥିରେ ଚାଷୀଘରେ ପିଲାଙ୍କ ପାଠପଢ଼ାରୁ ଆରମ୍ଭ କରି ଯାନୀ ଯୌତୁକ ଓ ବିବାହ ବନ୍ଦାପନା କାର୍ଯ୍ୟ ହୋଇଥାଏ। ହେଲେ, ଏ ବର୍ଷ ସ୍ବଳ୍ପ ବର୍ଷା ଯୋଗୁଁ ଅନେକ ସ୍ଥାନରେ ତଳି ରୁଆ ନ ହୋଇ ପଡ଼ି ରହିଥିବା ଦେଖିବାକୁ ମିଳିଛି। ବିଶେଷ କରି ବାଲିଝରୀ, ଶ୍ୟାମସୁନ୍ଦରପୁର, କୁରାଞ୍ଜ, ବାସେଳିହତା, ଋଷିପଡ଼ା, ହରିପୁର, ଚମ୍ପାତୁଠ, କାନପୁର, ମାନପୁର, କାଞ୍ଜିଆପଦା, ଚମ୍ପେଶ୍ୱର, ସୋଲବନ୍ଧ, ଚଷାବାରବାଟୀ, ପାଇକବାରବାଟୀ, ଜଳକେଳି, ସାଗର, ଅଢ଼େଇଗୁଣ୍ଡି, ଲେମ୍ବୋ, ରଙ୍ଗଡାବ, ନୁଖାପଡ଼ା, ବନ୍ଧହୁଡ଼ା, ନୀଳକଣ୍ଠପୁର, କାକୁଡ଼ିଆ, ନୂଆପାଟଣା, ଡିମିରିଆ, ନିମସାହି, ଶରଧାପୁର, ବାଲିସାହି, ନୂଆଗାଁ, ନଖପଡ଼ା, ଓଲବ, ଦେବଭୂଇଁ, କମଳାଡିହ, ଜିଲିଣ୍ଡା, ଯୋଡ଼ୁମ ଆଦି ଗାଁରେ ଚାଷକାର୍ଯ୍ୟ ଅହେତୁକ ବିଳମ୍ବ ହୋଇଛି। ଆସନ୍ତା ଦିନେଦୁଇଦିନ ଭିତରେ ବର୍ଷା ନ ହେଲେ ଚଳିତବର୍ଷ ଧାନଚାଷରେ ପ୍ରଭୂତ କ୍ଷତି ହେବ ବୋଲି କୃଷକ ସଂଗଠନ ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ସନାତନ ସ୍ୱାଇଁ ଆଶଙ୍କା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର