ଭଦ୍ରକ: ଭଦ୍ରକର  ପୂର୍ବତନ ପୌରାଧ୍ୟକ୍ଷ  ମାନସ କୁମାର ମହାନ୍ତିଙ୍କର ଗୁରୁବାର ପରଲୋକ ହୋଇଯାଇଛି। ଭୁବନେଶ୍ବରର ଏକ ଘରୋଇ ହସିପିଟାଲରେ ଆଜି ଅପରାହ୍ନ ୩ଟା ୪୦ ମିନିଟରେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ  ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।

Advertisment

ସ୍ବର୍ଗତ ମହାନ୍ତି ଭଦ୍ରକ ସହରରେ ଜଣେ ଲୋକପ୍ରିୟ  ରାଜନେତା ଥିଲେ। ସେ କଂଗ୍ରେସ ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୮୫ ମସିହାରେ ଭଦ୍ରକର  ନଗରପାଳ ଭାବେ ବିଜୟୀ ହୋଇଥିଲେ। ୧୯୮୫ରୁ ୧୯୯୦ ମସିହା ପର୍ଯ୍ୟନ୍ତ ତତ୍କାଳୀନ କଂଗ୍ରେସ ସରକାର  ଅମଳରେ  ସେ ଭଦ୍ରକରେ ଜଣେ ଦକ୍ଷ  ନଗରପାଳ ଓ  ୧୯୮୬ରେ ଭଦ୍ରକ ଏନଏସି ପୌରପାଳିକା ଘୋଷଣା ହେବା ପରେ ଶ୍ରୀ ମହାନ୍ତି ଭଦ୍ରକ ପୌରପାଳିକାର ପ୍ରଥମ ପୌରାଧ୍ୟକ୍ଷ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃ‌ଷ୍ଟି କରିଥିଲେ। ତାଙ୍କ ସମୟରେ ଭଦ୍ରକ ସହରରେ ସେ ଅନେକ ବିକାଶମୂଳକ କାର୍ଯ୍ୟକରି ବେଶ ଲୋକପ୍ରିୟ ହୋଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ବିଜୁ ଜନତା ଦଳରେ ଯୋଗଦେଇ ୨୦୧୪ରେ  ଦ୍ବିତୀୟ ଥର ପାଇଁ ଭଦ୍ରକ ପୌରପାଳିକାରେ ପୌରାଧ୍ୟକ୍ଷ ଭାବେ ନିର୍ବାଚନ ହୋଇଥିଲେ। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ଭଦ୍ରକ ପୌରାଧ୍ୟକ୍ଷ  ରହିବା ସହ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ। ତାଙ୍କ ପୌରାଧ୍ୟକ୍ଷ  କାର୍ଯ୍ୟକାଳ ବେଳେ ଭଦ୍ରକ ସହରକୁ ଅମୃତ ସହର ଯୋଜନାରେ ରାଜ୍ୟ ସରକାର ସାମିଲ କରିଥିଲେ। ଏହି ସମୟକାଳ ମଧ୍ୟରେ  ତାଙ୍କ ଉଦ୍ୟମରେ ଭଦ୍ରକ ସହରରେ ଥିବା ସହୀଦ୍ ସ୍ମୃତି ଭବନର ପୁନରୁଦ୍ଧାର କରାଯାଇଥିବା ବେଳେ ଭଦ୍ରକର ଚରମ୍ପା ନିକଟସ୍ଥ  ରହଣିଆ ଅମୃତ ପାର୍କ  ଓ ବୋଟିଂ  ପାର୍କ  ତାଙ୍କ ସମୟରେ ହୋଇଥିଲା।

ସେହିପରି ଭଦ୍ରକ ସହରର ନୂଆ ବସଷ୍ଟାଣ୍ଡ ପାର୍କ  ନିର୍ମାଣ କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ଏବେ ଭଦ୍ରକ ବିଜେଡି ରାଜନୀତିରେ ବେଶ୍‌ ସକ୍ରିୟ ଥିଲେ। ଭଦ୍ରକ ସହରର ବଙ୍କସାହି  ନିବାସୀ ବରିଷ୍ଠ ଆଇନଜୀବୀ ସ୍ବର୍ଗତ ଚିନ୍ତାମଣୀ ମହାନ୍ତିଙ୍କର ସାନପୁଅ ଥିଲେ ମାନସ କୁମାର ମହାନ୍ତି। ମୃତ୍ୟୁ ବେଳକୁ ମାନସଙ୍କ ନିକଟରେ ତାଙ୍କର ଦୁଇ ପୁତ୍ର ଚନ୍ଦନ ଓ ଟାବୁଲି ଉପସ୍ଥିତ ଥିଲେ। ଭୁବନେଶ୍ବରରୁ  ସ୍ବର୍ଗତ ମାନସଙ୍କାର ମରଶରୀର ଭଦ୍ରକ ଅଣାଯାଇଛି। ଭଦ୍ରକରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ମାନସଙ୍କର ଅକାଳ  ବିୟୋଗରେ ଭଦ୍ରକ  ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀ ମହାପାତ୍ର, ଭଦ୍ରକ ପୌରାଧ୍ୟକ୍ଷା ଗୁଲୁମୁକ୍କୀ ହବିବ୍, ବିଜେଡି ନେତା ଅସିତ୍ ପଟ୍ଟନାୟକ, ଯୁବନେତା ଜ୍ୟୋତି ପ୍ରକାଶ ମହ‌ାନ୍ତି, ବିଜେପି ନେତା  ଡା. ପ୍ରଦୀପ ନାୟକ, ବିଜେପି ଜିଲ୍ଲା ସଭାପତି  ହେମନ୍ତ ପାଢୀ, ଭଦ୍ରକ  ବ୍ଲକର ପୂର୍ବତନ ଅଧ୍ୟକ୍ଷ ରଘୁନାଥ ଧଳ, ଡାକ୍ତର ହରେକୃଷ୍ଣ ନାୟକଙ୍କ ସମେତ ବହୁ ରାଜନେତା ଓ ବୁଦ୍ଧିଜୀବୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ  ସମବେଦନା ଜଣାଇଥିଲେ। ଲୋକପ୍ରିୟ ନେତା ମାନସ ମହାନ୍ତିଙ୍କ ବିୟୋଗରେ ଭଦ୍ରକରେ  ଆଜି ବିଭିନ୍ନ ମହ‌ଲରେ ଶୋକ ପ୍ରକାଶ ପାଇଥିବ‌େ ବେଳେ  ସ୍ବର୍ଗତ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।