ପ୍ରାକ୍ତନ କ୍ରିକେଟ ପ୍ରତିଭା ପ୍ରଦୀପ ମହାନ୍ତିଙ୍କ ବିୟୋଗ  

ସୁନ୍ଦରଗଡ଼: ସୁନ୍ଦରଗଡ଼ର ପ୍ରାକ୍ତନ କ୍ରିକେଟ ଖେଳାଳି ତଥା ଆମ୍ପାୟର ପ୍ରଦୀପ କୁମାର ମହାନ୍ତିଙ୍କ ଆଜି ହୃଦଘାତରେ ପରଲୋକ ଘଟିଛି । ଅଚାନକ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଶୁକ୍ରବାର ବୁର୍ଲା ହସ୍ପିଟାଲ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜି ଦେଇଛନ୍ତି। ଖବର ପାଇବା ପରେ ସୁନ୍ଦରଗଡ଼ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ପରିବାର ବର୍ଗଙ୍କୁ ଭେଟି ସାନ୍ତ୍ବନା ଦେଇଛନ୍ତି। ସ୍ବର୍ଗତ ମହାନ୍ତି ଜଣେ ସୁଦକ୍ଷ କ୍ରିକେଟ ଖେଳାଳି ଓ ଅମ୍ପାୟାର ଭାବେ ଓସିଏର ଏଲିଟ ପ୍ୟାନେଲରେ ସ୍ଥାନ ପାଇଥିଲେ।

ବୃତ୍ତିଗତ ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଚାକିରିରୁ ୨୦୨୦ ଜୁନରେ ଅବସର ନେଇ ଅନେକ ସାମାଜିକ କାମରେ ନିଜକୁ ଜଡ଼ିତ ରଖିଥିଲେ। ସୁନ୍ଦରଗଡ଼ରେ ରକ୍ତଦାନ କ୍ଷେତ୍ରରେ ତାଙ୍କ ଭୂମିକା ଉଲ୍ଲେଖନୀୟ ଥିଲା। ସୁନ୍ଦରଗଡ଼ ଭଳି ଏକ ପଛୁଆ ଜିଲ୍ଲାରେ ଏହି ସେବାରେ ଏକ ପ୍ରେରଣାଦାୟୀ ପରମ୍ପରା ସୃଷ୍ଟି କରିଥିଲେ। ସାମାଜିକ ଅନୁଷ୍ଠାନ ‘ସାହାଯ୍ୟ’ର ପୃଷ୍ଠପୋଷକ ତଥା ପ୍ରତିଷ୍ଠାତା ସଭ୍ୟ ଥିଲେ। ତାଙ୍କର ଆକସ୍ମିକ ବିୟୋଗରେ ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ, ଉପସଭାପତି ପୌଷ ଚନ୍ଦ୍ର ପଟେଲ, ରାଜେନ୍ଦ୍ର ମହାନ୍ତି, ସଂସଦ ସଦସ୍ୟ ଶିଶିର ପଟେଲ, ଆଶିଷ ଦେ ଓ ବିଶ୍ବରଂଜନ ହୋତା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର