ପୂର୍ବତନ ବିଧାୟକ ରାଜୀବ ଲୋଚନ ହୋତାଙ୍କ ପରଲୋକ

ବରପାଲି: ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାଜୀବ ଲୋଚନ ହୋତାଙ୍କ ଗୁରୁବାର ୮୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେରେ ଚିକତ୍ସା କରାଯାଇଥିଲା। ସନ୍ଧ୍ୟା ୬ ଟା ସମୟ ରେ ବରଗଡ଼ ସ୍ଥିତ ବିକାଶ ହସ୍ପିଟାଲ୍କୁ ନିଆଯାଉଥିବା ସମୟରେ ତାଙ୍କ ପ୍ରାଣବାୟୁ ଚାଲିଯାଇଥିଲା। ତାଙ୍କ ବିୟୋଗରେ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ଖବରପାଇ ବହୁଜନସାଧାରଣ ,ସ୍ବେଚ୍ଛାସେବୀ, ରାଜନେତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ପରଲୋକ ସମୟରେ ବଡ଼ପୁଅ ନରେନ୍ଦ୍ର ହୋତା, ମଝିଆଁ ପୁଅ ମନୋଜ ହୋତା ଉପସ୍ଥିତ ରହିଥିଲେ। ଶୁକ୍ରବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି।

ସ୍ବର୍ଗତ ହୋତାଙ୍କ ଜନ୍ମ ୧୯୩୫ ରେ ହୋଇଥିଲା। ସେ ଛାତ୍ର ସମୟ ରୁ ହିଁ ରାଜନୀତି ରେ ପ୍ରବେଶ କରିଥିଲେ। ୧୯୬୭ ରେ ବରପାଲି ବ୍ଲକ ଅଧ୍ୟକ୍ଷ ରହିଥିଲେ। ୧୯୮୦ ରୁ ୧୯୮୫ ଯାଏଁ କଂଗ୍ରେସ ଦଳରୁ ବିଜେପୁର ନିର୍ବାଚନ ମଣ୍ଡଳୀରୁ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ଓଡ଼ିଶା ବିଧାନସଭାର ଜଣେ ଦକ୍ଷ ବିଧାୟକ ରହି ପଶ୍ଚିମ ଓଡ଼ିଶା ର ବହୁ ସମସ୍ୟା ବିଧାନସଭାରେ ଉପସ୍ଥାପନ କରିଥିଲେ। ୧୯୮୩ରେ ସେ ଓଡ଼ିଶା ମାର୍କଫେଡ୍ର ଅଧ୍ୟକ୍ଷ ଭାବରେ ରହିଥିଲେ। ତାଙ୍କ ଅମଳରେ ବହୁ ଜନ ହିତକର କାର୍ଯ୍ୟ ହୋଇପାରିଥିଲା। ବରପାଲି ଫର୍ମାସିଟିକାଲ କଲେଜର ପ୍ରାଣ ପ୍ରତିଷ୍ଠାତା ରହିଥିଲେ। ଏହା ପରେ ପରେ ସେ +୨ ବିଜ୍ଞାନ ମହାବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରିଥିଲେ। ବରପାଲିର ବହୁ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସହ ସେ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥିଲେ। ବରପାଲିର ସାର୍ବଜନୀନ କାଳୀ ପୂଜା ତଥା ଶ୍ୟାମା ମୁସିକଲ୍ସ, ଶ୍ୟାମା କ୍ଲବ ଆଦି ର ପ୍ରତିଷ୍ଠାତା ସହ ବରପାଲି ବ୍ଲକ ସନତନୀ ବ୍ରାହ୍ମଣ ସମାଜର ସଭାପତି ମଧ୍ୟ ରହିଥିଲେ।

ସମ୍ବନ୍ଧିତ ଖବର