ଝିରପାଣି ଗୁଳିକାଣ୍ଡର ଖୋଲୁଛି ରହସ୍ୟ: ସରକାରୀ ଜମି କିଣାବିକା କରୁଥିଲେ ପୂର୍ବ ସରପଞ୍ଚ ଦମ୍ପତି!

ପରିବାର ସହ ଫେରାର, ଘରେ ଝୁଲୁଛି ତାଲା

ରାଉରକେଲା: ଝିରପାଣି ଝରିଆକୋଚା ବସ୍ତିରେ ସରକାରୀ ଜମି ଜବରଦଖଲରୁ ଠିକାଦାର ବାଞ୍ଛା ତନ୍ତୀଙ୍କୁ ଗୁଳିକରି ହତ୍ୟା ଘଟଣା ଉପରୁ ଧୀରେ ଧୀରେ ରହସ୍ୟ ଖୋଲିବାରେ ଲାଗିଛି। ତଦନ୍ତ ଯେତିକି ଯେତିକି ବଢ଼ୁଛି, ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ପୁଲିସ ସାମ୍ନାକୁ ଆସୁଛି। ଗୁଳିମାଡ କରିଥିବା ଅଭିଯୁକ୍ତ ଅଜିତ ଓରାମ ପୁଲିସ ଏନ୍‌କାଉଣ୍ଟରେ ଗୁରୁତର ହୋଇ ଆର୍‌ଜିଏଚ୍‌ରେ ଭର୍ତ୍ତିହୋଇଛି। ହେଲେ ଗୁଳିକାଣ୍ଡ ପଛରେ ଜଣେ ପୂର୍ବତନ ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କର ସିଧାସଳଖ ହାତ ଥିବା ମୃତ ଠିକାଦାରଙ୍କ ପରିବାର ଅଭିଯୋଗ କରିଛନ୍ତି। ହତ୍ୟା ଘଟଣା ପରେ ପୂର୍ବତନ ସରପଞ୍ଚ ଓ ତାଙ୍କ ସ୍ବାମୀ ପରିବାର ସହ ଫେରାର ଅଛନ୍ତି। ତାଙ୍କ ଝିରପାଣିସ୍ଥ ଘରେ ତାଲା ଝୁଲୁଛି। ତେଣୁ ପୁଲିସର ପୂର୍ବତନ ସରପଞ୍ଚ ଦମ୍ପତିଙ୍କ ଉପରେ ସନ୍ଦେହ ଦୃଢ଼ିଭୂତ ହେଉଛି। ପୂର୍ବତନ ସରପଞ୍ଚ ଦମ୍ପତିକୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲେ ହେଁ ଏଯାଏଁ ଏମାନଙ୍କୁ ଠାବ କରିପାରିନି।

ସାଧାରଣରେ ଅଭିଯୋଗ ହେଉଛି ଯେ ପୂର୍ବତନ ସରପଞ୍ଚ ଓ ତାଙ୍କ ସ୍ବାମୀ କୁଆଡ଼େ ଝିରପାଣିର ବିଭିନ୍ନ ସ୍ଥାନରେ ପ୍ରାୟ ୧୨ ଏକରରୁ ଅଧିକ ସରକାରୀ ଜମି ମାଡ଼ିବସିଛନ୍ତି! ସେହି ସରକାରୀ ଜାଗାକୁ ନିଜର ବୋଲି ଦାବି କରି ଅନ୍ୟମାନଙ୍କୁ ଚଢ଼ା ଦରରେ ବିକୁଛନ୍ତି। ଏଥିସହ ଘର ମଧ୍ୟ ନିର୍ମାଣ କରି ଅନ୍ୟମାନଙ୍କୁ ଭଡା ଦେଇ ମାସକୁ ମାସ ମୋଟା ଅଙ୍କର ରୋଜଗାର କରୁଛନ୍ତି। ଝିରପାଣିର ଝରିଆକୋଚା, ଖାଡିଆ କୋଚା, ଖ୍ରୀଷ୍ଟ କୋଚା ବସ୍ତି, ଝିରପାଣି ଥାନା ପଛ ପାର୍ଶ୍ବ ବସ୍ତି, ଜାମସେରା ନାଳା ପାର୍ଶ୍ବ ଅନେକ ସରକାରୀ ଜାଗା ଏବେ ଏମାନଙ୍କ କବ୍‌ଜା‌ରେ ରହିଛି। ଅବଶ୍ୟ ପୂର୍ବରୁ ମାଡ଼ି ବସିଥିବା କିଛି ସରକାରୀ ଜାଗାକୁ ଜିଲ୍ଲା ପ୍ରଶାସନ ନିଜ ଅଧିନକୁ ଆଣିବାରେ ସକ୍ଷମ ହୋଇଛି। ତଥାପି ଏସବୁ ବସ୍ତିରେ ସରକାରଙ୍କ ଏକର ଏକର ମୂଲ୍ୟବାନ ଜାଗାକୁ ସେ ଜୋରଜବରସ୍ତ ମାଡ଼ିବସିବା ସହ ତାର ବାଡ ଘେରାବନ୍ଦୀ ରଖିଛନ୍ତି। କେବଳ ଏତିକି ନୁହେଁ, ଅଭିଯୋଗକାରୀଙ୍କ ମୁହଁ ବନ୍ଦ କରିବାକୁ କିଛି ଅସାମାଜିକ ଯୁବକଙ୍କୁ କୁଆଡେ ଉଭୟ ପତି-ପତ୍ନୀ ଭଡାଟିଆ ଗୁଣ୍ଡା ଭା‌ବେ ବ୍ୟବହାର କରୁଛନ୍ତି! ସେମାନଙ୍କୁ ବ୍ୟବହାର କରି ସେମାନେ ସରକାରୀ ଜମିକୁ ନିଜ ଦଖଲରେ ରଖିଥିବା ସ୍ଥାନୀୟ ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି।

ସେ‌ପଟେ ଏନ୍‌କାଉଣ୍ଟରେ ଆହତ ଅଭିଯୁକ୍ତ ଅଜିତ ଠାରୁ ପୁଲିସ ହତ୍ୟା ଘଟଣାର କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି। ଅଜିତର ତଥ୍ୟ ଆଧାରରେ ପୁଲିସ ପେରାର ଉପରୋକ୍ତ ଦମ୍ପତିଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ ଜାରି ରଖିଛି। ଦୁହିଁଙ୍କୁ ଗିରଫ କରାଯିବା ପରେ ହତ୍ୟା ଘଟଣା ଉପରୁ ପରଦା ହଟିବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ ସରକାରୀ ଜମିକୁ ଜବରଦଖଲ କରିବାକୁ କେନ୍ଦ୍ରକରି ହତ୍ୟା ଅଭିଯୁକ୍ତ ଅଜିତ ଓ ମୃତ ବାଞ୍ଛାଙ୍କ ପରିବାର ମଧ୍ୟରେ ମାଡ଼ପିଟ୍‌ ହୋଇଥିଲା। ଘଟଣା ଦିନ ସକାଳ ପ୍ରାୟ ସାଢ଼େ ୬ଟାରେ ବାଞ୍ଛା ଝିରପାଣିସ୍ଥ ନଦୀ ଆଡକୁ ଯାଉଥିଲେ। ହଠାତ୍‌ ଅଜିତ ଓରଫ ଚୁନକୁ ପହଞ୍ଚି ତାଙ୍କ ଉପରକୁ ପିସ୍ତଲରୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ବାଞ୍ଛାଙ୍କ ଜଙ୍ଘ ଓ ଅନ୍ୟ ଗୁଳି ତାଙ୍କ ତଳି ପେଟରେ ବାଜିଥିଲା। ଗୁରୁତର ଅବସ୍ଥାରେ ବାଞ୍ଛାଙ୍କୁ ପ୍ରଥମେ ଝିରପାଣିସ୍ଥ ପୂର୍ଣ୍ଣିମା ନର୍ସିଂ ହୋମ୍‌ ଓ ପରେ ଆଇଜିଏଚ୍‌କୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଅତିରିକ୍ତ ଏସ୍‌ପି ସଂଗ୍ରାମ କେଶରୀ ବେହେରା, ଝିରପାଣି ପୁଲିସ, ସାଇଣ୍ଟଫିକ୍‌ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଘଟଣାସ୍ଥଳରୁ ପୁଲିସ ଗୋଟିଏ ଖୋକା ଜବତ କରିଥିଲା। ପରିବାରର ଏତଲା ଆଧାରରେ ଫେରାର ହତ୍ୟାକାରୀକୁ ଗିରଫ ପାଇଁ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ସ୍ବତନ୍ତ୍ର ପୁଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା। ପରଦିନ ଜଲଦା ପାଣ୍ଡି ନିକଟ ହାତୀବନ୍ଧା ଜଙ୍ଗଲରେ ପୁଲିସ ଅଜିତକୁ ଏନ୍‌କାଉଣ୍ଟର କରିଥିଲା। ଅଜିତ ନିକଟରୁ ପୁଲିସ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ଦୁଇଟି ଅଫୁଟା ଗୁଳି ଜବତ କରିଥିଲା। ଚିକିତ୍ସା ପାଇଁ ତାକୁ ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର