ସୁନ୍ଦରଗଡ଼: ଜମି ଦାଖଲ ଖାରଜ ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ କୁଆରମୁଣ୍ଡାର ପୂର୍ବତନ ଅତିରିକ୍ତ ତହସିଲଦାର କପିଳେନ୍ଦ୍ର ନାୟକ (୭୬) ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ୨ ବର୍ଷ ଜେଲ୍ ଓ ୩ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ଜରିମାନା ଅନାଦାୟରେ ଜେଲ୍ ଦଣ୍ଡ ୩ ମାସ ବୃଦ୍ଧ ହେବ ବୋଲି କୋର୍ଟ ଆଦେଶରେ ଉଲ୍ଲେଖ କରିଛନ୍ତି। ଅନ୍ୟତମ ଅଭିଯୁକ୍ତ ତହସିଲର କନିଷ୍ଠ କିରାଣି ବୁଦ୍ଧିବାମନ ପଟ୍ଟନାୟକ ୨୦୧୫ ମେରେ ମୃତ୍ୟୁ ହୋଇଯାଇଥିବାରୁ ତାଙ୍କୁ ମାମଲାରୁ ବାଦ୍ ଦିଆଯାଇଥିଲା।

Advertisment

ମାମଲା ଅନୁସାରେ, ଗତ ୨୦୦୪ ଡିସେମ୍ବର ୨୬ରେ ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗାର ବୈରାଗୀ କିସାନଙ୍କ ଠାରୁ ଜମି ଦାଖଲ ଖାରଜ ମାମଲା ( ମ୍ୟୁଟେସନ୍) କରିଦେବାକୁ ତତ୍କାଳୀନ ଅତିରିକ୍ତ ତହସିଲଦାର ଶ୍ରୀ ନାୟକ ୪ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଯୋଜନା ମୁତାବକ ତାଙ୍କୁ ରାଉରକେଲା ଭିଜିଲାନ୍ସ ବିଭାଗର ପୂର୍ବତନ ନିରୀକ୍ଷକ ତ୍ରିନାଥ ପଟେଲଙ୍କ ନେତୃତ୍ବରେ ଏକ ଟିମ୍ କାବୁ କରି ଲାଞ୍ଚ ଟଙ୍କା ଜବତ କରିଥିଲା। ମାମଲାର ବିଚାର ଚାଲିଥିବା ବେଳେ ୨୧ ତାରିଖ ବୁଧବାର ଭିଜିଲାନ୍ସ ଜଜ୍ ଦଣ୍ଡା୍ଦେଶ ଦେଇଛନ୍ତି। ମାମଲାକୁ ସ୍ବତନ୍ତ୍ର ଭିଜିଲାନ୍ସ ପିପି ଶ୍ୟାମସୁନ୍ଦର ମିଶ୍ର ପରିଚାଳନା କରିଥିଲେ।