ସୀମାନ୍ତ ଗାଁରେ ଅବକାରୀ ଚଢ଼ଉ: ବିପୁଳ ପରିମାଣ ମଦ, ମହୁଲ ପୋଚ ଜବତ

ରାଉରକେଲା: ନକ୍ସଲ ଉପଦ୍ରୁତ ଅଞ୍ଚଳରେ ଜୋରସୋର୍‌ରେ ଚାଲିଛି ଦେଶୀ ମଦ କାରବାର। ସ୍ଥାନୀୟ ପୁଲିସକୁ ଚକ୍‌ମା ଦେଇ ତିଆରି ହେଉଛି ହଜାର ହଜାର ଲିଟର ଦେଶୀ ମଦ। ଆଜି ସମ୍ବଲପୁର ଫ୍ଲାଇିଂ ସ୍କ୍ବାଡ, ରାଉରକେଲା ଅବକାରୀ ପୁଲିସ ମିଳିତ ଭାବେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବୀରମିତ୍ରପୁର ଥାନା ଅନ୍ତର୍ଗତ ଅଙ୍କୁରପାଲି, କାଲିଛାପର, ଚୁଟିଆଟୋଲି ଆଦି ଗାଁରେ ଚଢ଼ଉ କରିଛି। ଏସବୁ ସ୍ଥାନରୁ ବିପୁଳ ପରିମାଣରେ ଦେଶୀ ମଦ ସହ ମହୁଲ ପୋଚ ଜବତ ହୋଇଛି। ଜବତ ସାମଗ୍ରୀ ମଧ୍ୟରେ ରହିଛି ୧୦ ହଜାର କେଜି ମହୁଲ ପୋଚ। ଯାହାକୁ ଅବକାରୀ ପୁଲିସ ଘଟଣାସ୍ଥଳରେ ନଷ୍ଟ କରି ଦେଇଛନ୍ତି। ସେମିତି ୪୦୦ ଲିଟର ଦେଶୀ ମଦ ଜବତ କରିଛନ୍ତି। ଚଢ଼ଉରେ ସମ୍ବଲପୁର ଫ୍ଲାଇଂ ସ୍କ୍ବାର୍ଡର ଇନ୍ସପେକ୍ଟର ସ୍ମୃତିକେତନ ରାଉତ, ଶଶିକାନ୍ତ ଦତ୍ତ, ରାଉରକେଲା ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକ, ମୋବାଇଲ ସବ୍‌ଇନ୍ସପେକ୍ଟର ଶ୍ରୀଧର ମହାନ୍ତି, ଏସ୍‌ଆଇ ମାନସ ରଞ୍ଜନ ମୁଣ୍ଡା, ଆର.କେ. ଚାନ୍ଦ ପ୍ରମୁଖ ଚଢ଼ଉରେ ନେତୃତ୍ବ ନେଇଥିଲେ। ଚଢ଼ଉବେଳେ ବେପାରିମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଆଗାମୀ ଦିନରେ ସୀମାନ୍ତ ଅଞ୍ଚଳରେ ଚଢ଼ଉ ଆହୁରି ଜୋରଦାର କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର