କେନ୍ଦ୍ରାପଡ଼ା: ଜଣେ ମୃତ ମହିଳାଙ୍କ ନାଁରେ ବେଆଇନ ବାର ଲାଇସେନସ୍‌ ମଂଜୁରୀ କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ଅବକାରୀ ବିଭାଗର ସବ୍‌ ଇନ୍‌ସପେକ୍ଟର ପୂର୍ଣ୍ଣେନ୍ଦୁ କୁମାର ରାଉତଙ୍କୁ ପୁଲିସ ବୁଧବାର ଗିରଫ କରିଛି। ସୂଚନା ଅନୁସାରେ ସବ୍‌ ଇନ୍‌ସପେକ୍ଟର ପୂର୍ଣ୍ଣେନ୍ଦୁ ରାଉତ ୨୦୧୬ ମସିହାରେ ମୃତ ସାବିତ୍ରୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀଙ୍କ ନାଁରେ ଗୋପରେ ଥିବା ବିୟର ପାର୍ଲରକୁ ୨୦୧୮ରେ ନବୀକରଣ କରିଥିଲେ। ଏ ନେଇ କେନ୍ଦ୍ରାପଡ଼ା ଟାଉନ ଥାନରେ ଅଭିଯୋଗ ହୋଇଥିଲା।

Advertisment

ପୂର୍ବତନ ଅବକାରୀ ଅଧୀକ୍ଷକ ରାହାସ ବିହାରୀ ପାତ୍ର ୨୦୧୮ ଜୁଲାଇ ୧୬ରେ କେନ୍ଦ୍ରପଡ଼ା ଟାଉନ ଥାନାରେ ଅଭିଯୋଗ ଆଣିଥିଲେ ଯେ, ପୂର୍ଣ୍ଣେନ୍ଦୁ କୁମାର ରାଉତ ବେଆଇନ ଭାବେ ମଦ ଦୋକାନ ପାଇଁ ଲାଇସେନ୍‌ସ ମଂଜୁରୀ କରିଛନ୍ତି।

ଜଣେ ପୂର୍ବତନ ଅବକାରୀ ଅଧୀକ୍ଷକଙ୍କ ଦ୍ୱାରା ଅଭିଯୋଗ ଆସିବା ପରେ ପୁଲିସ ସବ୍‌ ଇନ୍‌ସପେକ୍ଟରଙ୍କୁ ସନ୍ଦେହ କରିଥିଲା। ଘଟଣାର ତଦନ୍ତ କରି ପୂର୍ଣ୍ଣେନ୍ଦୁଙ୍କୁ ଆଜି ଗୋପସ୍ଥିତ ଘରୁ ଗିରଫ କରିଛି। ରିପୋର୍ଟ ଲେଖାଯିବା ବେଳକୁ ଗିରଫ ଇନ୍‌ସପେକ୍ଟର ଥାନାରେ ଅଛନ୍ତି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି।