ଟିଟିଲାଗଡ଼: ଟିଟିଲାଗଡ଼ ବ୍ଲକ୍ ଲୁଥରବନ୍ଧ ପଞ୍ଚାୟତ ମହାଦା ଗାଁରେ ଏକ ପାର୍କ ନିର୍ମାଣକୁ ନେଇ ଉତ୍ତେଜନା ଦେଖାଦେଇଛି। ଏନେଇ ଆଦିବାସୀମାନେ ବୁଧବାର ଟିଟିଲାଗଡ଼ ଥାନା ଘେରାଉ କରିଥିଲେ।
ସୂଚନା ଅନୁସାରେ, ପୂର୍ବରୁ ଏହି ପାର୍କର ସ୍ଥାନ ଚୟନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏପରିକି ସ୍ଥାନ ପରିବର୍ତ୍ତନକୁ ନେଇ ଆଦିବାସୀମାନେ ସ୍ଥାନୀୟ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ। ଜମିକୁ ନେଇ ବିବାଦୀୟ ସ୍ଥିତି ରହିଥିବା ବେଳେ ସେହି ସ୍ଥାନରେ ହିଁ ପାର୍କ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇ ବୁଧବାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଗାଁର ଆଦିବାସୀ ପୁରୁଷ ଓ ମହିଳା ସେଠାକୁ ଯାଇ ବିରୋଧ ପ୍ରଦର୍ଶନ କରିଥଲେ।
ଏପରିକି ପୁଲିସ ସହ ବିକ୍ଷୋଭକାରୀଙ୍କ ଯୁକ୍ତିତର୍କ ଓ ଧସ୍ତାଧସ୍ତି ହୋଇଥିଲା। ପ୍ରଫୁଲ୍ଲ ଗଉଡ଼ ଓ ବିନତି ଭୋଇଙ୍କୁ ପୁଲିସ କାବୁକରି ଟିଟିଲାଗଡ଼ ଥାନାକୁ ଆଣି ଅଟକ ରଖିଥିଲା। ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ପରେ ଥାନା ଘେରାଉ କରାଯାଇଥିଲା। ରାତି ୮ଟା ପର୍ଯ୍ୟନ୍ତ ଥାନା ଘେରାଉ ଜାରି ରହିଥିଲା। ସ୍ଥାନୀୟ ତହସିଲଦାର ଲଳିତ ବାଗ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ୧୦ ତାରିଖ ଯାଏ କାମ ବନ୍ଦ ରଖିବା ଏବଂ ଉପଜିଲ୍ଲାପାଳଙ୍କ ସହ ଆଲୋଚନା ପରେ କାମ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେବା ପରେ ସ୍ଥିତି ସ୍ୱାଭାବିକ ହେବା ସହ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହି ବିକ୍ଷୋଭ ପ୍ରଦର୍ଶନରେ ସଂଘ ନଗର ସଭାପତି ନିତ୍ୟାନନ୍ଦ ମାଝୀ, ଥବିର ମାଝୀ, ଦେବସିଂ ମାଝୀ, ହେମନ୍ତ ମାଝୀ, ଜଗନ୍ନାଥ ମାଝୀ ପ୍ରମୁଖ ସାମିଲଥିଲେ।