ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୟୁରଭଞ୍ଜ ଜିଲ୍ଲା କୃଷି ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ପ‌ରଲୋକ

ବାରିପଦା: ଯାଜପୁର ପାଣିକୋଇଲି ଥାନା ୧୬ ନଂ ଜାତୀୟ ରାଜପଥର ମକୁନ୍ଦବିନ୍ଧାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୟୁରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ କୃଷି ବିଭାଗର ନିର୍ବାହୀ ଯନ୍ତ୍ରୀ ରଶ୍ମି ରଂଜନ ସେନାପତି(୫୯)ଙ୍କର ଅକାଳ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଶ୍ରୀ ସେନାପତିଙ୍କ ସହିତ ଆଉ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କ  ୨ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ କୃଷି ବିଭାଗ ରାଇରଙ୍ଗପୁରରେ ସହକାରୀ ଯନ୍ତ୍ରୀ  ଭାବେ କାର୍ଯ୍ୟରତ  ନିମାପଡା ଅଞ୍ଚଳର ସୁଜେନ୍ଦୁ କୁମାର ଦାସ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ ଆଜି ଶେଷ କାର୍ଯ୍ୟ ଦିବସ ଥିବାରୁ ସ୍ବର୍ଗତଃ ସେନାପତି ଗୁରୁତର ଆହତ ଶ୍ରୀ ଦାସଙ୍କ ସହିତ ତାଙ୍କ ଓ୍ବ‌ାଗନର୍‌ କାର (ଓଡି-୩୩ଏମ-୯୭୦୯)ରେ ଭୁବନେଶ୍ବରରୁ ବାରିପଦା ଅଭିମୁଖେ ଆସୁଥିଲେ। ବର୍ତମାନ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ  ଚାଲିଥିବାରୁ ଗୋଟେ ଥାକିଆ ରାସ୍ତା ଯୋଗୁ କେନ୍ଦୁଝରରୁ ପାରାଦ୍ବୀପ ଅଭିମୁଖେ ଯାଉଥିବା ଏକ ଲୁହା ପଥର ବୋଝେଇ ଟ୍ରକ(ଓଆର- ୦୯ ପି-୪୫୭୨) ଓ ୱାଗନର ମଧ୍ୟରେ ଆଜି ସକାଳ ପ୍ରାୟ ୯ଟା ସମୟରେ ମୁହାଁମୁହିଁ  ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ହିଁ ଗାଡି ପଛରେ ବସିଥିବା ଶ୍ରୀ ସେନାପତିଙ୍କ ମୃତ୍ୟୁ ଘଟିଥିଲା।  ଗାଡିର  ଡ୍ରାଇଭର ନିମାପଡା ପାଇକ ସାହି ଅଞ୍ଚଳର  ଜୟରାମ ସାମନ୍ତ ସିଂହାରଙ୍କ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ଶ୍ରୀ ଦାସଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଜଣେ ଶାନ୍ତ ସ୍ବଭାବ ଏବଂ ଅମାୟିକ ବ୍ୟକ୍ତିତ୍ବ ଭାବେ କର୍ମଚାରୀ ମହଲରେ ସୁପରିଚିତ ଥିବା ସ୍ବର୍ଗତଃ ସେନାପତିଙ୍କ ମୃତ୍ୟୁରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦାମୋଦର ସେଠୀ, ସୁନ୍ଦର ମୋହନ ସିଂ, ତାରଣି ଦାସ, ଦିଲ୍ଲୀପ କୁମାର ରାଉତରାୟ, ତୁଷାରକାନ୍ତି ମହାନ୍ତି, ବାରିପଦା ଟାଉନ୍‌ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର