ବରୀ: ବରୀ ବ୍ଲକ୍‌ରେ ଆଜି ପ୍ରଶାସନକୁ ଶାସକ ଦଳର ଏକ ଗୋଷ୍ଠୀ ଘେରିଥିଲେ। ଶାସକ ଦଳର ଆଗଧାଡ଼ିର କର୍ମୀ ଓ ବରୀର କେତେକ ସଚେତନ ନାଗରିକ ଏକାଠି ହୋଇ ବ୍ଲକ୍‌ର ସରକାରୀ କର୍ମଚାରୀମାନଙ୍କୁ କାମ କରିବାକୁ ବାରଣ କରିଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ବନ୍ଦ କରିଦେଇଥିଲେ। ଏହାକୁ ନେଇ କିଛି ସମୟ ପାଇଁ ବ୍ଲକ୍‌ କାର୍ଯ୍ୟ ଏକପ୍ରକାର ଅଚଳ ହୋଇପଡ଼ିଥିଲା।

Advertisment

ବରୀରେ ଶାସକ ଦଳ ଦୁଇ ଗୋଷ୍ଠୀରେ ବିଭାଜିତ ହୋଇଛି। ଗୋଟିଏ ଗୋଷ୍ଠୀ ବିଧାୟିକା ସୁନନ୍ଦା ଦାସଙ୍କ ସହିତ ଥିଲାବେଳେ ଅନ୍ୟ ଏକ ଗୋଷ୍ଠୀ ବିଜେଡି ରାଜ୍ୟ ସଂପାଦକ ବିଶ୍ବରଂଜନ ମଲ୍ଲିକଙ୍କ ସହିତ ଅଛନ୍ତି। ଆଜିର ଏହି କାର୍ଯ୍ୟରେ ଶ୍ରୀ ମଲ୍ଲିକଙ୍କ ସମର୍ଥକମାନଙ୍କୁ ଦେଖିବାକୁ ମିଳିଥିଲା। ସେମାନଙ୍କ ଅଭିଯୋଗ ଯେ କିଛିଦିନ ହେଲା ବରୀ ବ୍ଲକ୍‌ରେ ଉନ୍ନୟନ କାର୍ଯ୍ୟ ଠପ୍ ହୋଇଯାଇଛି। ଗ୍ରାଣ୍ଡ ଇନ୍‌ ଏଡ୍‌ ଅନୁଦାନରେ ନିମ୍ନମାନର କାର୍ଯ୍ୟ ହେଉଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଅବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ ଠିକ୍ ସମୟରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନାହିଁ। ଏହାକୁ ନେଇ ବାରମ୍ବାର ବିଡିଓ ଏବଂ ସମିତି ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହି ଦାବିକୁ ଜିଲ୍ଲା ପରିଷଦ ସଭ୍ୟ ଦିଲୀପ ମହାନ୍ତି ସମର୍ଥନ କରିଥିଲେ। ନାଗରିକମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଦାବିପତ୍ରକୁ ସମିତି ଅଧ୍ୟକ୍ଷ ଅଶୋକ ଗେଡ଼ି ଗ୍ରହଣ କରିବା ସହିତ ଏ ବିଷୟରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବରୀର ରାଜନୈତିକ ଟାଳଟୁଳ ନୀତିକୁ ନେଇ ପ୍ରଶାସନ ଚାପଗ୍ରସ୍ତ ରହିଥିବା ଅଧ୍ୟକ୍ଷ ଶ୍ରୀ ଗେଡ଼ି ପ୍ରକାଶ କରିଛନ୍ତି। ଆଜିର ଆନ୍ଦୋଳନରେ ବିପିନି ବିହାରୀ ମହାନ୍ତି, ନିର୍ମଳ ମଲ୍ଲିକ, ଅତିସ କୁମାର ରାୟ, ବାପି ମହାରଣା ପ୍ରଭୃତି ନେତୃତ୍ବ ନେଇଥିଲେ।