ଜୟପୁର: ଆଜି ସକାଳ ସାଢ଼େ ୧୦ଟାବେଳେ ଉମୁରୀ ବ୍ରିଜ୍ ସଂପ୍ରସାରଣ କାମ ନିକଟରେ ଗୋଟିଏ କାରଟି ଗାଡ଼ିଗୁଡିକୁ ସାଇଡ୍ ଦେବାକୁ ଯାଇ ବ୍ରିଜର ଗାର୍ଡୱାଲ ନଥିବାରୁ ବ୍ରିଜ୍ ତଳକୁ ଖସୁ ଖସୁ ଲଟକି ରହିଥିଲା। ପରେ ତାକୁ ତାର ଲଗାଇ ବାହାରକୁ ଟଣା ଯାଇଥିଲା। ଏଥି ପାଇଁ ପ୍ରାୟ ୨୦ମିନିଟ କାଳ ରାସ୍ତାର ଏପାଖ ସେପାଖ ଶତାଧିକ ବସ, ଟ୍ରକ, କାର ଓ ବାଇକଗୁଡିକ ରହିଯାଇଥିଲା। ଭାଗ୍ୟବଶତଃ କାରଟି ତଳକୁ ଖସି ନଥିବାରୁ କାରଚାଳକଙ୍କୁ କିଛି ହୋଇନଥିଲେ ହେଁ କାରର ଗୋଟିଏ ପାର୍ଶ୍ବ କ୍ଷତିଗ୍ରସ୍ତ ହୋଇଥିଲା।
ଗତ କିଛି ଦିନ ହେବ ଏହି ବ୍ରିଜର ପ୍ରଶସ୍ତିକରଣ କାମ ଚାଲୁଥିବାରୁ ଏଠାରେ ନିୟମିତ ଭାବେ ଛୋଟ ବଡ ବାଇକ୍ ,ଗାଡି ଆଦିର ଦୁର୍ଘଟଣା ଜାରି ରହିଛି। ଗାଡ଼ିଗୁଡିକ ଅତିକ୍ରମ କରିବା ସମୟରେ ଠିକା ସଂସ୍ଥାର କର୍ମଚାରୀମାନେ ଗାଡ଼ିଗୁଡିକୁ ପାସ୍ କରାଇବା କଥା। ସେଭଳି ବ୍ରିଜର ଗୋଟିଏ ପାର୍ଶ୍ବରେ ଗାର୍ଡ଼ୱାଲ ବି ତିଆରି କରିବା କଥା। ସେଭଳି କିଛି ନଥିବା ଏବଂ କର୍ମଚାରୀମାନେ ନଥିବାରୁ ଦୁର୍ଘଟଣା ଜାରି ରହିଛି। ଏହି ବ୍ରିଜର ପ୍ରଶସ୍ତିକରଣ କାମ କେବେ ସରିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।