ସ୍ବାଭିମାନ ଅଂଚଳରେ ଗଂଜେଇ ବଦଳରେ ଆରମ୍ଭ ହେଲା ପାରଂମ୍ପରିକ ଚାଷ, ଲାଲବାହିନୀର ଲାଲ ଆଖିକୁ ନାହିଁ ଖାତିର

ମାଲକାନଗିରି: ଲାଲବାହିନୀଙ୍କ ପ୍ରତ୍ୟକ୍ଷ ଇସାରାରେ ଚାଲିଥିଲା ଗଂଜେଇ ଚାଷ। ସ୍ବାଭିମାନ ଅଂଚଳର ଯଡାମ୍ବରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ପରେ ମୁହଁ ଖୋଲିଛନ୍ତି ଯଡାମ୍ବ ପଞ୍ଚାୟତବାସୀ। ବର୍ଷବର୍ଷ ଧରି ଲାଲବାହିନୀ ଗଂଜେଇ ଚାଷକୁ ପ୍ରୋତ୍ସାହନ ଦେବା ସହ କମାଉଥିଲେ ବିପୁଳ ପରିମାଣର ଟଙ୍କା। କ୍ୟାମ୍ପ ପ୍ରତିଷ୍ଠା ପରେ ଯଡାମ୍ବ ପଞ୍ଚାୟତର ପ୍ରାୟ ୧୦ ରୁ ୧୨ଟି ଗାଁର ଲୋକେ ଗଂଜେଇ ବଦଳରେ ଏବେ ଧାନ, ବିରି, ପନିପରିବା ପରି ଅନେକ ଚାଷ କରୁଛନ୍ତି। ଏପଟେ କିନ୍ତୁ ଲାଲ ଇଲାକାର ଯଡାମ୍ବ ପଣସପୁଟ, ଅଣ୍ଡ୍ରାପାଲୀ, ଯନ୍ତ୍ରୀ ପରି ଅନେକ ପଞ୍ଚାୟତରେ ଏବେ ବି ଜୋରସୋରରେ ଚାଲିଛି ଗଂଜେଇ ଚାଷ।

ଅବକାରୀ ବିଭାଗର କହିବା କଥା ଯେ ଏଥିପ୍ରତି ଆମେ ଦୃଷ୍ଟି ଦେଉଛୁ। ଟିମ ଗଠନ କରାଯାଇ ଚାଷ ହୋଇଥିବା ଗଂଜେଇ ଗଛ ଗୁଡିକକୁ ଖୁବଶୀଘ୍ର ନଷ୍ଟ କରାଯିବା ସହ ଗଂଜେଇ ଚାଷୀଙ୍କୁ ଏଥିରୁ ନିବୃତ ରହିବା ପାଇଁ ସଚେତନତା କରାଯିବ। ଯଦି ଉଦାହରଣ ସ୍ବରୂପ ନେବା, ତେବେ ଖଜୁରିଗୁଡା ଗ୍ରାମର ଲୋକେ ବର୍ଷବର୍ଷ ଧରି ନିଜ ଜମିରେ କରି ଆସୁଥିଲେ ଗଂଜେଇ ଚାଷ। ଯଡାମ୍ବରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ପରେ କହିଛନ୍ତି ଯେ ଲାଲବାହିନୀଙ୍କ ଧମକ ଯୋଗୁଁ ସେମାନେ ଏଭଳି ଚାଷ ବର୍ଷବର୍ଷ ଧରି କରି ଆସୁଥିଲେ। ଚାଷ ହେବା ପରେ ଗଂଜେଇ ବିକି ପାଉଥିବା ଅର୍ଥରୁ ଲାଲବାହିନୀ ନେଉଥିଲେ ବଟି। ଏଭଳି ସ୍ପଷ୍ଟିକରଣ ଦେଇଛନ୍ତି ଲାଲା ବାହିନୀ ବିରୁଦ୍ଧରେ ଏହି ଗ୍ରାମର ଯୁବକ ଓ ଗ୍ରାମବାସୀ ମାନେ। କେବଳ ଜଣେ କିମ୍ବା ଦୁଇଜଣ ନୁହନ୍ତି ବରଂ, ଖଜୁରିଗଡା ଗ୍ରାମର ସମସ୍ତ ଗଂଜେଇ ଚାଷୀ ଏଭଳି ଲାଲବାହିନୀଙ୍କୁ ଟାର୍ଗେଟ କରିଛନ୍ତି। ଯେଉଁଥିପାଇଁ ଗଂଜେଇ ଚାଷ କଲେ ମଧ୍ୟ ଆର୍ଥିକ ସ୍ବଚ୍ଛଳ ହୋଇ ପାରୁନଥିଲେ ଏହି ଆଦିବାସୀ।

Sambad

ଯଡାମ୍ବରେ ନୂତନ ଥାନା ପ୍ରତିଷ୍ଠା ପରେ ସେମାନଙ୍କର ଭୁଲ ବୁଝି ପାରିଛନ୍ତି ଏହି ଅଂଚଳବାସୀ ଖଜୁରିଗୁଡା ପରି ୧୦ ରୁ ୧୨ ଗ୍ରାମର ଲୋକେ ଏବେ ଗଂଜେଇ ଚାଷ ଛାଡି ଧାନ, ବିରି, ମାଣ୍ଡିଆ ସହ ପନିପରିବାର ପରି ଅନେକ ଅର୍ଥକାରୀ ଫସଲ କରୁଛନ୍ତି ଚାଷ। ଯେଉଁ ଜମିରେ ବେଆଇନ ସବୁଜ ହୀରା ଫର୍‌ଫର୍‌ ହୋଇ ଉଡୁଥିଲା ଏବେ ସେଠି ଲାଗିଛି ଅର୍ଥକାରୀ ଫସଲ। କିନ୍ତୁ ଏହି ଆଦିବାସୀ ମାନଙ୍କୁ ଅର୍ଥ ସାଜିଛି ବାଧକ। ସ୍ବଳ୍ପ ଜମିରେ ନିଜ ଖର୍ଚ୍ଚରେ ବିହନ ଓ ସାର କିଣି ଚାଷ କରିବା ଦ୍ବାରା ବହୁ କମ ଅର୍ଥ ଉପାର୍ଜନ କରୁଛନ୍ତି। ଯାହା ଦ୍ବାରା କି ପରିବାରର ଭରଣ ପୋଷଣ ସେମାନଙ୍କ ପାଇଁ କଷ୍ଟ ହୋଇଯାଉଛି। ତେଣୁ ଏହି ଆଦିବାସୀ ମୁଖ୍ୟସ୍ରୋତକୁ ଫେରିଥିବା ବେଳେ ଆର୍ଥିକ ସହାୟତା ପାଇଁ ପ୍ରଶାସନ ନିକଟକରେ ଅନୁରୋଧ କରିଛନ୍ତି।

ନକ୍ସଲଙ୍କର ନାଲି ଆଖି ଡରରେ ଯେଉଁ ଅଂଚଳରେ ଦିନେ ସବୁଜ ହୀରା ଚମକୁ ଥିଲା, ସେହି ଅଂଚଳରେ ଏବେ ହସୁଛି ପ‌ାରମ୍ପରିକ ଫସଲ। ମାଓବାଦୀଙ୍କ ବନ୍ଧୁକ ମୁନକୁ ଡରି ଲୋକେ ଗଂଜେଇ ଚାଷ କରିବାକୁ ବାଧ୍ୟ ହେଉଥିଲେ। ଏବେ ଆଉ ଲାଲବାହିନୀର ଲାଲ ଆଖିକୁ ଆଉ ନଡରି ନିଜ ଜମିରେ ପନିପରିବା ଫଳାଇବା ଆରମ୍ଭ କଲେଣି। ଗଂଜେଇ ସେମାନଙ୍କର ବାପ ଅଜା ଅମଳର ଚାଷ ନୁହେଁ ବରଂ ନକ୍ସଲ ସେମାନଙ୍କୁ ଏହି ଚାଷ କରିବାକୁ ବାଧ୍ୟ କରୁଥିଲେ। ଅନ୍ୟଦିଗରେ ଜିଲ୍ଲା ଅବକାରୀ ବିଭାଗ ମଧ୍ୟ ସ୍ବାଭିମାନ ଅଂଚଳର ଲୋକଙ୍କୁ ପାରମ୍ପରିକ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ସେମାନଙ୍କୁ ସହଯୋଗର ହାତ ବଢାଇବ ବୋଲି କୁହାଯାଇଛି। ତେବେ ଏଥିପାଇଁ ଦରକାର ସଚେତନତା, ଯାହାକୁ ପଞ୍ଚାୟତସ୍ତରରୁ ଗାଁଗାଁକୁ ନିଆଯିବ ବୋଲି କୁହାଯାଇଛି।

Sambad

ଯଡାମ୍ବ, ବଡପଡା ପରି କିଛି ଅଂଚଳରେ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଗଂଜେଇ ଚାଷ କମ ହୋଇଛି ସତ କିନ୍ତୁ ଅଣ୍ଡ୍ରାପାଲୀ, ପଣସପୁଟ, ଯନ୍ତ୍ରୀ ଧୂଳିପୁଟ ପରି ସ୍ବାଭିମାନ ଅଂଚଳର ଅନେକ ପଞ୍ଚାୟତର ଅନେକ ଗାଁରେ ଏବେ ବି ଚାଷ ହେଉଛି ଶହଶହ ଏକର ଗଂଜେଇ। ଏମିତି କି ସିଧାସଳଖ କହିବାକୁ ଗଲେ ଲାଲ ଇଲାକାରେ ଏବେ ବି ଚାଷ ହେଉଛି ସବୁଜ ହୀରା। ଅବକାରୀ ବିଭାଗ ଗଂଜେଇ ଚାଷ ହେଉଥିବା ସ୍ବୀକାର କରିବା ସହ କିଭଳି ଗଂଜେଇ ଚାଷକୁ ରୋକ ଲଗାଯିବ ସେନେଇ ଲୋକଙ୍କୁ ସଚେତନତା କରାଯିବ ଓ ଚାଷ ହେଉଥିବା ଗଂଜେଇ ଗୁଡିକୁ ଖୁବଶୀଘ୍ର ଟିମ ଗଠନ କରାଯାଇ ସେଗୁଡିକ ନଷ୍ଟ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର