ଏକର ପିଛା ବଢ଼ୁଛି ଧାନଚାଷ ଖର୍ଚ୍ଚ, ବଢ଼ୁନାହିଁ ସରକାରୀ ଆକଳନ

ଖୋର୍ଦ୍ଧା: ସରକାରଙ୍କ ଦ୍ୱାରା ଏକର ପିଛା ଧାନ ଫସଲ ବାବଦକୁ ଖର୍ଚ୍ଚର ହିସାବ କରାଯାଏ ତେବେ ରାଜ୍ୟର ସର୍ବନିମ୍ନ ଖର୍ଚ୍ଚ ହେଉଥିବା ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ରହିଛି । ଏହାସତ୍ୱେ ଜିଲ୍ଲାରେ କ୍ରମାଗତ ଭାବେ ଧାନଚାଷ କମିବାରେ ଲାଗିଛି । ଏଥିପାଇଁ ଗୃହ ନିର୍ମାଣ ପାଇଁ ଚାଷ ଜମିର କିସମ ପରିବର୍ତନ ମୁଖ୍ୟତଃ ଦାୟି, ଏହା ସହ ଜଳସେଚନ ଓ କୃଷି କାର୍ଯ୍ୟପାଇଁ ବର୍ଦ୍ଧିତ ଖର୍ଚ୍ଚ ମଧ୍ୟ ଅନ୍ୟତମ କାରଣ ଅଟେ । ଜିଲ୍ଲାରେ ମୋଟ ଭୌଗଳିକ ପରିସୀମ ୨୮୯୦୦୦ ହେକ୍ଟର । ଏହା ମଧ୍ୟରୁ ୧୪୫୦୦୦ ହେକ୍ଟର ଜମି ଚାଷ କାର୍ଯ୍ୟ ପାଇଁ ଉପଯୁକ୍ତ, କିନ୍ତୁ ୨୦୨୦-୨୦୨୧ ପରିସଂଖ୍ୟାନ ଅନୁସାରେ, ୧୦୬ ୦୦୦ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହେଉଛି । ଚାଷ ଜମିର ପରିମାଣ ଗତ ୫ ବର୍ଷ ପୂର୍ବେ ୧୨୧ ହେକ୍ଟର ଥିବା ବେଳେ ବର୍ତମାନ ଏହା ୧୫୦୦୦ ହେକ୍ଟର ହ୍ରାସ ପାଇଛି ।

୨୦୨୧-୨୨ରେ ସରକାରଙ୍କ ବିଶେଷଜ୍ଞ କମିଟି ଦ୍ୱାରା ଆକଳନ ଅନୁସାରେ, ପ୍ରତି ଏକର ପିଛା ଅଧିକ ଉତ୍ପାଦିତ ଧାନ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଜଣେ ଚାଷୀ ମଜୁରି ଆଦି ବାବଦକୁ ୧୭୫୦୦ ଟଙ୍କା, ବିହନ ପାଇଁ ୮୦୦ ଟଙ୍କା, ସାର ପାଇଁ ୩ହଜାର ଟଙ୍କା, କୀଟନାଶକ ପାଇଁ ୨ହଜାର ଟଙ୍କା, ଅନ୍ୟାନ୍ୟ ଖର୍ଚ୍ଚ ୨ ହଜାର ଓ ନିଜର ପରିଶ୍ରମ ବାବଦକୁ ୭୮୦୦ଟଙ୍କା ଏଭଳି ମୋଟ ୨୫ହଜାର ୩୦୦ ଟଙ୍କା ଖର୍ଚ୍ଚ କରିଥାଏ । ସେହିଭଳି ହାଇବ୍ରିଡ୍ ଧାନ ଚାଷ ପାଇଁ ପ୍ରତି ଏକର ବାବଦକୁ ମଜୁରି ଆଦି ବାବଦକୁ ୧୮ହଜାର ଟଙ୍କା, ବିହନ ପାଇଁ ୧ହଜାର ଟଙ୍କା, ସାରପାଇଁ ୪ହଜାର ଟଙ୍କା, କୀଟନାଶକ ପାଇଁ ୩ହଜାର ଟଙ୍କା, ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୨ହଜାର ଟଙ୍କା, ନିଜର ପରିଶ୍ରମ ଆଦି ବାବଦକୁ ୧୦ହଜାର ଟଙ୍କା ଏଭଳି ୨୮ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ ।

ଉନ୍ନତକିସମର ଧାନ ଚାଷ ବାବଦକୁ ପ୍ରତି ଏକର ପିଛା ମଜୁରି ଆଦି ବାବଦକୁ ୧୬ହଜାର ଟଙ୍କା, ବିହନ ୬୦୦ ଟଙ୍କା, ସାର ୨୫୦୦ ଟଙ୍କା, କୀଟନାଶକ ୧୨୦୦ ଟଙ୍କା, ଅନ୍ୟାନ୍ୟ ୨ହଜାର ଟଙ୍କା ଓ ନିଜର ପରିଶ୍ରମ ଆଦି ବାବଦକୁ ୬୩୦୦ ଟଙ୍କା ଏଭଳି ମୋଟ ୨୨, ୩୦୦ ଟଙ୍କା ଖର୍ଚ୍ଚ ହୋଇଥାଏ । କିନ୍ତୁ ସରକାରଙ୍କ ଏହି ଆକଳନକୁ ଅନେକ ଚାଷୀ ଗ୍ରହଣ କରିପାରିନାହାନ୍ତି । ପ୍ରତି ଏକର ପିଛା ବର୍ତମାନ ୩୦ରୁ ୩୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ସେମାନ କହିଛନ୍ତି । ଅଧିକାଂଶ ସମୟରେ ବର୍ଷାର ନ୍ୟୁନତା, କୃଷି ଶ୍ରମିକଙ୍କ ବର୍ଦ୍ଧିତ ମଜୁରୀ ଓ ବିଦ୍ୟୁତ୍, ପେଟ୍ରୋଲ୍, ଡିଜେଲ୍ ଆଦି ଇନ୍ଧନ ତେଲର ଦର ବୃଦ୍ଧି ଏହି ଖର୍ଚ୍ଚକୁ ବଢ଼ାଇଦେଇଥିବା କହିଛନ୍ତି ।

ସେହିଭଳି ଜଳସେଚିତ ଜମିର ଆନୁପାତିକ ହାରକୁ ଦୃଷ୍ଟିକୁ ନେଲେ ଜିଲ୍ଲାରେ ମୋଟ ୧୦୬୦୦୦ ହେକ୍ଟର ଜମି ମଧ୍ୟରୁ ମାତ୍ର ୫୨ ହଜାର ହେକ୍ଟର ଜମିକୁ କେନାଲ୍ ଆଦି ଦ୍ୱାରା ଜଳ ଯୋଗାଣ ହେଉଛି । ଅପରପକ୍ଷରେ, ସରକାରଙ୍କ ଦ୍ୱାରା ଉଠାଜଳସେଚନ, କ୍ଷୁଦ୍ର ଜଳସେଚନ ଆଦି ଦ୍ୱାରା ଜଳସେଚିତ ଜମିର ପରିସଂଖ୍ୟାନ ମଧ୍ୟ ତ୍ରୁଟିପୂର୍ଣ୍ଣ ଅଟେ । କାରଣ, ଗତ ୩ ବର୍ଷ ମଧ୍ୟରେ ଜିଲ୍ଲାରେ ପାଣି ପଂଚାୟତ ନିର୍ବାଚନ ହୋଇନାହିଁ ଓ ସେମାନଙ୍କ ଦ୍ୱାରା ପରିଚାଳିତ ଉଠାଜଳସେଚନ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୩୦-୪୦ ପ୍ରତିଶତ ଯାନ୍ତ୍ରିକ ମରାମତି କାରଣରୁ ଅଚଳ ହୋଇରହିଛି । ଏହି ସମସ୍ତ ଦିଗକୁ ଦୃଷ୍ଟି ଦେଇ ଜିଲ୍ଲାର କୃଷକ ଓ କୃଷକ ସଂଗଠନ ପକ୍ଷରୁ ପ୍ରତି ଏକର ପ୍ରତି ହେଉଥିବା ଖର୍ଚ୍ଚର ପରିମାଣକୁ ବୃଦ୍ଧି କରାଇବା ସହ ସେହି ଅନୁପାତରେ ବ୍ୟାଙ୍କ ଋଣ, କ୍ଷତିପୂରଣ ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଆଦି ନିର୍ଦ୍ଧାରଣ କରିବାକୁ ଦାବି ହେଉଛି ।

ସମ୍ବନ୍ଧିତ ଖବର