ଶେଷ ହେବ ତ ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ?

ବସିଲା ବିଶେଷଜ୍ଞ କମିଟି ବୈଠକ, ବାକି କାମ ଶୀଘ୍ର ଶେଷ ହେବାକୁ ତାଗିଦ୍‌

କୋରାପୁଟ : ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ଆଉ ପାଦେ ଆଗେଇଲା। ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଶେଷଜ୍ଞ କମିଟି ବୈଠକ ବସିଥିଲାବେଳେ ରେଳ ପ୍ରକଳ୍ପ ପାଇଁ ରହିଥିବା ପ୍ରତିବନ୍ଧକ  ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା।

ଏଡିଏମ ଦେବେନ୍‌ କୁମାରପ୍ରଧାନଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ନବକୃଷ୍ଣ ଚୌଧୁରୀ ଗବେଷଣା କେନ୍ଦ୍ରର ପ୍ରତିନିଧି, ୱଲଟିୟର ଡିଭିଜନର ବରିଷ୍ଠ ରେଳ ଅଧିକାରୀ, ଜୟପୁର ଉପଜିଲ୍ଲାପାଳ, କୁନ୍ଦୁରା, ବୈପାରିଗୁଡା, ଜୟପୁର ଓ ବୋରିଗୁମ୍ମା ବ୍ଲକର ତହସିଲଦାର, ସରପଞ୍ଚ, ସମିତିସଭ୍ୟ ଓ ଅନ୍ୟ ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିଲେ। ଏହାସହ ବିଶେଷଜ୍ଞ କମିଟିରେ ରହିଥିବା ପୂର୍ବତନ ପ୍ରଶାସକ ଗଦାଧର ପରିଡା, ସାମାଜିକ କର୍ମୀ କୃଷ୍ଣ ସିଂହ, ପୂର୍ବତନ ପ୍ରଶାସନ ସୁଧାକର ପଟ୍ଟନାୟକ  ଉପସ୍ତିତ ଥିବାବେଳେ ଶିକ୍ଷାବିତ ପ୍ରେମାନନ୍ଦ ଦାସ ଅନୁପସ୍ତିତ ରହିଥିଲେ।

ଅନ୍ୟପକ୍ଷରେ ବହୁ ପ୍ରତୀକ୍ଷିତ ୩୮ କିଲୋମିଟର ବିଶିଷ୍ଟ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଡିପିଆର ପ୍ରସ୍ତୁତ କରି ୭୪୮କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ଆସନ୍ତା ୩ ବର୍ଷ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ରହିଛି। ଏବେ ଏହି ଲଇନରେ ଅଧାରୁ ଅଧିକ ଜମି ଚିହ୍ନଟ ହୋଇ ଅଧିଗ୍ରହଣ କାର୍ଯ୍ୟ ‌ଜାରି ରହିଥିବାବେଳେ ଭୁବନେଶ୍ବରସ୍ଥିତ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଡେଭଲପମେଣ୍ଟ ଷ୍ଟଡିଜ୍ (ଏନସିଡିଏସ) ପକ୍ଷରୁ ଏହାକୁ କରାଯାଉଛି। ଏହି ପ୍ରକଳ୍ପ ପାଇଁ ଜନଶୁଣାଣି ହୋଇପାରୁ ନ ଥିବାବେଳେ ସ୍ଥାୟୀ ବରିଷ୍ଠ ଅଧିକାରୀ ନ ଥିବାରୁ କାର୍ଯ୍ୟ ଆଗଇେ ପାରୁନଥିଲା। ଏବେ ୨୮ କିଲୋମିଟର ପାଇଁ ସର୍ଭେ କାର୍ଯ୍ୟ ଶେଷ ହୋଇଥିବାବେଳେ ଆହୁରି ୧୦ କିଲୋମିଟର ସର୍ଭେ କାର୍ଯ୍ୟ ଶେଷ ହୋଇପାରିନି। ଏହି କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ କୁହାଯାଇଛି।

ସେହିପରି ଦକ୍ଷିଣ ଓଡ଼ିଶାର ଏହି ମାଲକାନଗିରିରେ ଆଦିବାସୀ ଓ ଅପହଞ୍ଚ ଅଞ୍ଚଳ ଭାବେ ପରିଚିତ। ଏହି ଜିଲ୍ଲାକୁ ରେଳପଥ ନିର୍ମାଣ କରାଯିବାକୁ ଦୀର୍ଘଦିନ ହେବ ଦାବି ଉଠୁଥିଲା। ଏହାକୁ ହୃଦୟଙ୍ଗମ କରି ୨୦୧୬ ଅକ୍ଟୋବର ୧୦ ତାରିଖରେ ଉଭୟ କେନ୍ଦ୍ର-ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଜୟପୁର-ନବରଙ୍ଗପୁର ୩୮ କିଲୋମିଟରର ରେଳପଥ(୫୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ବହନ କରିବେ) ଓ ଜୟପୁର-ମାଲକାନଗିରି ୧୩୦ କିଲୋମିଟର ରେଳପଥ(୨୫ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ବହନ କରିବେ) ପାଇଁ ୨୦୧୬-୧୭ ବଜେଟରେ ଘୋଷଣା କରିଥିଲେ କେନ୍ଦ୍ର ସରକାର।

ମିଳିଥିବା ସୂଚନା ମୁତାବକ ଜୟପୁର-ମାଲକାନଗିରି ରୁଟରେ ନକ୍ସଲ ପ୍ରଭାବିତ ବୈପାରିଗୁଡା, ଟାଙ୍ଗିଣୀଗୁଡା, ମାଥିଲି ଓ ପାଣ୍ତ୍ରିପାଣି ପରି ଅଞ୍ଚଳ ରହିଛି। ଏହି ୧୩୦ କିମି ବିଶିଷ୍ଟ ରେଳପଥରେ କୋରାପୁଟ ଜିଲ୍ଲାରେ ୪୫ କିମି ରହିଥିବାବେଳେ ମାଲକାନଗିରି ଜିଲ୍ଲାରେ ୮୫ କିମି ରହିଛି। ଏଥିରେ ମୋଟ ୧୨ଟି ଷ୍ଟେସନ ରହିଥିବାବେଳେ ଟାଙ୍ଗିଣୀଗୁଡା, ଗୋବିନ୍ଦପାଲ୍ଲି ଓ ମାଥିଲିରେ ପାସେଞ୍ଜର ରହିବାକୁ ବ୍ୟବସ୍ଥା ରହିଥିବାବେଳେ ଅନ୍ୟଗୁଡିକରେ ପରବର୍ତ୍ତୀ ପର୍ଯ୍ୟାୟରେ ହେବାକୁ ଯୋଜନା କରାଯାଇଛି। ଏହି ରୁଟରେ ବିଦ୍ୟୁତ ସୁବିଧା ସହ ଷ୍ଟାଣ୍ତର୍ଡ-୩ ଇଣ୍ଟରଲକ ସିଷ୍ଟମ ଓ ମଲ୍ଟି ଆସପେକ୍ଟ କଲର ଲାଇଟି˚ ସିଗନାଲ ସୁବିଧା ରହିବ। ଏହି ରେଳ ଲାଇନରେ ୯୮ଟି ପୋଲ ରହିଥିବାବେଳେ ୨୨ଟି ମେଜର, ୬୧ଟି ମାଇନର ଓ ୧୫ଟି ସମାନ୍ୟ ବ୍ରିଜ ରହିଛି। ଏହି ରୁଟରେ ୪ଟି ବଡ ବଡ ଟନେଲ ରହିଛି।

ଏନେଇ ଏଡିଏମ ଦେବେନ୍‌ କୁମାର ପ୍ରଧାନ କହିଛନ୍ତି ଯେ, କ୍ଷୟକ୍ଷତି ପ୍ରଭାବିତ ସମୀକ୍ଷା ହୋଇ ସାରିବା ପରେ ନିୟମ ରହିଥିଲା ଯେ ବିଶେଷଜ୍ଞ କମିଟି ବୈଠକ ବସିବ। ଏନେଇ ଆଜି ମୋ  କାର୍ଯ୍ୟାଳରେ ଏହି ବୈଠକ ବସିଥିଲା। ଏଥିରେ ରେଳ ବିଭାଗ, ରାଜସ୍ବ ବିଭାଗ, ବିଶେଷଜ୍ଞ କମିଟି, ରାଜନେତା ଓ ଲୋକେ ଉପସ୍ଥିତ ଥିଲେ। ଏହି ଦୁଇ ରେଳ ପ୍ରକଳ୍ପ ପାଇଁ ବହୁ ସମସ୍ୟା ରହିଛି। ତାହାର ଆଜି ସମୀକ୍ଷା କରାଯାଇଛି। ଏହି ସମସ୍ୟକୁ ସମାଧାନ କରିବାକୁ ବ୍ୟବସ୍ତା ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି। ଏହାସହ ଏହି ରେଳପ୍ରକଳ୍ପ ବୋରିଗୁମ୍ମା ବ୍ଲକକୁ ଅଧିକ କ୍ଷତି ପହଞ୍ଚାଉଛି। ତେଣୁ କ୍ଷତି ପହାଞ୍ଚାଯାଉଥିବା ସମସ୍ୟା ଉପରେ ଆଲୋଚନା ହୋଇଛି। ସମାଧାନ କରାଯାଇ ରେଳପଥର ବିକାଶ କରାଯିବ ବୋଲି ସ‌େ କହିଛନ୍ତି।

ସମ୍ବନ୍ଧିତ ଖବର