ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଜଣେ ରୋଗୀଙ୍କୁ ଏକ୍ସପାଏରି ହୋଇଥିବା ଔଷଧ ଦିଆଯାଇଥିବା ଉକ୍ତ ରୋଗୀ ମଙ୍ଗନ ରାଏ ଅଭିଯୋଗ କରିଛନ୍ତି। ଦେଓଗାଁ ବ୍ଲକ୍ ଉପରଝର ଫଟାମୁଣ୍ଡାର ଶ୍ରୀ ରାଏ ସିଡିଏମ୍ଓଙ୍କୁ ଦେଇଥିବା ଅଭିଯୋଗ ଅନୁଯାୟୀ, ଗତ ୨୭ ତାରିଖରେ ଜ୍ବର, କାଶ ଓ ଛାତିରେ ଯନ୍ତ୍ରଣା ହେବାରୁ ସେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଡାକ୍ତରଙ୍କୁ ପରାମର୍ଶ କରିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ସେ କାଉଣ୍ଟରରୁ ମିଳିଥିବା ମାଗଣା ଔଷଧ ଗ୍ରହଣ କରି ଏହାକୁ ପୁଣି ସଂପୃକ୍ତ ଡାକ୍ତରଙ୍କୁ ଦେଖାଇ ଗାଁକୁ ନେଇଥିଲେ।
ସେଠାରେ ଔଷଧ ସେବନ କରିବା ପରେ ଅଧିକ ଅସୁସ୍ଥ ଅନୁଭବ କରିବାରୁ ଉପରଝରଠାରେ କ୍ଲିନିକ କରିଥିବା ଅନ୍ୟ ଜଣେ ଡାକ୍ତରଙ୍କୁ ଉକ୍ତ ଔଷଧ ଦେଖାଇ ତାଙ୍କ ଅସୁସ୍ଥତା କହିଥିଲେ। ତେବେ ସେ ଦେଖାଇଥିବା ଔଷଧ ସାଲବୁଟାମଲ ସଲଫେଟ ସିରପ୍ ଏକ୍ସପାଏରି ହୋଇସାରିଥିବା ଉକ୍ତ ଡାକ୍ତର କହିବା ପରେ ଏହି ଔଷଧ ସେବନ ନକରିବାକୁ ପରାମର୍ଶ ଦେଇଥିଲେ। ଏହି ସିରପ୍ର ପ୍ରସ୍ତୁତି ଅକ୍ଟୋବର ୨୦୨୦ ଥିବା ବେଳେ ଏକ୍ସପାଏରି ସେପ୍ଟେମ୍ବର ୨୦୨୨ ଉଲ୍ଲେଖ ରହିଛି। କିଛିଦିନ ପୂର୍ବରୁ ଏଠାରେ ଜଣେ ରୋଗୀଙ୍କୁ ଭୁଲ୍ ଔଷଧ ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ସଂପର୍କରେ ମେଡିକାଲ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଜଣାଯାଇଛି।