ବିସ୍ଫୋରକ ଭର୍ତ୍ତିି ବଲେରୋ ଜବତ, ଚାଳକ ଚମ୍ପଟ

ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ଟାଙ୍ଗିଆପଡ଼ାରୁ ଏକ ବିସ୍ଫୋରକ ଭର୍ତ୍ତି ବଲୋରୋ ଗାଡ଼ିକୁ ପୁଲିସ ଜବତ କରିଛି । ମାତ୍ର ବିସ୍ଫୋରକ ନେଇ ଯାଉଥିବା ଚାଳକ ଓ ସହଯୋଗୀ ଫେରାର ହୋଇଯାଇଛନ୍ତି । ଏହି ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇଦେଇଛି ।  ଗାଡ଼ି ଧରାଯିବାର ୩ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ଏତେ ପରିମାଣରେ ବିସ୍ଫୋରକ କେଉଁଠିକୁ ଯାଉଥିଲା, କିଏ ନେଉଥିଲା ସେନେଇ କୌଣସି ଟେର ପୁଲିସ ପାଇପାରିନାହିଁ ।

ଗତ ୩ ତାରିଖ ଅପରାହ୍ଣରେ ଏବ ବଲେରୋ ପିକଅପ୍ ଗାଡ଼ିରେ ବିପୁଳ ପରିମାଣରେ ବିସ୍ଫୋରକ ଚାଲାଣ ହେଉଥିବା ନେଇ ଖୋଦ୍ ଆରକ୍ଷୀ ଅଧୀକ୍ଷକ ଗୁଇନ୍ଦା ସୂଚନା ପାଇଁ ପଦକ୍ଷେପ ନେବାକୁ ଟାଉନ୍ ଥାନା ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ଟାଉନ୍ ଥାନାର ଥାନା ଆଇଆଇସି ଉମାଶଙ୍କର ସିଂହ, ଅତିରିକ୍ତ ଥାନା ଅଧିକାରୀ ଆର୍ତତ୍ରାଣ ନନ୍ଦ, ସବଇନ୍ସପେକ୍ଟର ରଶ୍ମୀରଂଜନ ଦାଶ ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ଟିମ୍ ବଲେରୋକୁ ଗୋଡ଼ାଇ ଥିଲେ । ଟାଙ୍ଗିଆପଡ଼ା ନିକଟରେ ବଲେରୋଟିକୁ ଛାଡ଼ି ଗାଡ଼ି ଚାଳକ ଓ ସହଯୋଗୀ ଫେରାର୍ ହୋଇଯାଇଥିଲେ ।

ବଲେରୋରୁ ବିସ୍ଫୋରକ ତିଆରି କରିବା ପାଇଁ ଆମୋନିଅମ୍ ନାଇଟ୍ରେଟ୍ ଭର୍ତ୍ତି୧୬ଟି ବସ୍ତା (ପ୍ରତି ବସ୍ତା ୫୦ କିଲୋଗ୍ରାମ ଲେଖାଏଁ) ଓ ଜିଲାଟିନ୍ ୨୪ ପ୍ୟାକେଟ୍ (ପ୍ରତି ପ୍ୟାକେଟରେ ୧୨୫ ଗ୍ରାମର ୪୦୦ଟି ଜିଲାଟିନ୍) ରହିଥିଲା । ସମସ୍ତ ଜବତ ସାମଗ୍ରୀର ମୂଲ୍ୟ ୨୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି । ଖୋର୍ଦ୍ଧାରେ ଅନେକ ସ୍ଥାନରେ ବେଆଇନ ପଥର ମୁଣ୍ଡିଆ ଆଦି ରହିଛି । ତେବେ ଗତ ୨ ବର୍ଷ ମଧ୍ୟରେ ଏତେ ପରିମାଣରେ ବେଆଇନ ବିସ୍ଫୋରକ ଜବତ ହେବା ଏହା ପ୍ରଥମ ଘଟଣା । ଏଭଳି କ୍ଷେତ୍ରରେ ବିସ୍ଫୋରକ ଜବତ ହେବା ପୁଲିସ ପାଇଁ ଏକ ସଫଳତା ହେଲେ ହେଁ, ଘଟଣାର ୩ ଦିନ ବିତିଯାଇଥିଲେ ମଧ୍ୟ ବିସ୍ଫୋରକ କେଉଁଠାକୁ ଯାଉଥିଲା, କିଏ ନେଉଥିଲା ସେନେଇ ପୁଲିସ କୌଣସି ଟେର ପାଇପାରିନାହିଁ ।

ସମ୍ବନ୍ଧିତ ଖବର