ବଣ୍ଡାଘାଟିରୁ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିର ଅଣ୍ଡ୍ରାହାଲ ପଞ୍ଚାୟତର ଭେଜାଗୁଡା,ବିଷେଇଗୁଡା, ଖାଲଗୁଡା, ପାତ୍ରପୁଟ, ଅଣ୍ଡେଇପଦର, ସିନ୍ଧିପୁଟ ଏବଂ ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମରାଜୁ ଜିଲ୍ଲାର ରାଙ୍ଗାବାୟାଲୁ ପଞ୍ଚାୟତର କୁସୁମପୁଟ,ମାଟାମପୁଟ, ଯୋଡିଗୁମ୍ମା ଗ୍ରାମର ୭୦୦ ମାଓ ସମର୍ଥକ ଓ ୩୦୦ ମିଲିସିଆ ମାଲକାନଗିରି ପୁଲିସ ଏବଂ ବିଏସଏଫ ନିକଟରେ ଆତ୍ମସମର୍ପଣ କରିଥିଲେ। ଆଗକୁ ନକ୍ସଲର ହାତ ଛାଡି ବିକାଶର ପଥ ଧରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ତେବେ ଏହି ଅଂଚଳରେ ମାଓ ସାମଗ୍ରୀ ସହ ବିପୁଳ ପରିମାଣର ବିସ୍ଫୋରକ ରହିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଜିଲ୍ଲାର ସୀମା, ମାଲକାନଗିରି ଜିଲ୍ଲା ସୀମା ଏବଂ ଆନ୍ଧ୍ରପ୍ରଦେଶର ରାଙ୍ଗାବାୟାଲୁ ପଞ୍ଚାୟତ ସୀମାର ହନୁମାଳ, ସିନ୍ଧିପୁଟ, ଅଣ୍ଡେଇପଦର ଅଂଚଳରେ କୋରାପୁଟ ଡିଭିଏଫ ଯବାନ ସର୍ଚ୍ଚ ଅପରେସନ କରିଥିଲେ । ତେବେ ବଣ୍ଡାଘାଟିର ଅଣ୍ଡ୍ରାହାଲ ପଞ୍ଚାୟତର ସିନ୍ଧିପୁଟ ଜଂଗଲରେ ମାଓବାଦୀ ଗାତ ଖୋଳି ବହୁ ମାତ୍ରାରେ ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଲୁଚାଇ ରଖିଥିଲେ। ତୁରନ୍ତ ସେହି ଅଂଚଳକୁ ଯବାନ ଘେରି ଗାତରେ ଲୁଚାଇ ରଖିଥିବା ସମସ୍ତ ବିସ୍ଫୋରକ ଜବତ କରିଥିଲେ।

ସେହି ଗାତରେ ନକ୍ସଲ ରଖିଥିବା ୭୦ ହଜାର ଟଙ୍କା ,ଦୁଇଟି ଟିଫିନ ବୋମା,କୋଡେକ୍ସ ତାର, ପ୍ରେସରକୁକର ବୋମା, ବିଦ୍ୟୁତ ତାର, ବିଦ୍ୟୁତ ଡିଟୋନେଟର ଇତ୍ୟାଦି ଯବାନ ଜବତ କରିଥିଲେ। ତେବେ ଏହାକୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଲୁଚାଇ ରଖିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର