ହରଡ଼ାପୁଟ ଛକରେ ଏକ୍ସପ୍ଲୋଜିଭ୍ ଲେଖାଥିବା ଭ୍ୟାନ୍ ଗୁଡିକ କାହାର?

ଜୟପୁର: ଜୟପୁର ବ୍ଲକର ହରଡ଼ାପୁଟ ଛକରେ ଏକ୍ସପ୍ଲୋଜିଭ୍ (ବିସ୍ପୋରକ), ଡେନଜର (ବିପଦସଂକୁଳ) ଲେଖାଥିବା ୪ଟି ଭ୍ୟାନ କାହାର ବୋଲି ହରଡାପୁଟ ଗ୍ରାମବାସୀ ଗୁରୁ ମୁଦୁଲି, ହରି ଚଳାଣ, କୌଳାଶ ଜାନୀ, ସଦା ମୁଦୁଲି, ନମ୍ର ହାଜାରୀ, କୁମୁଲିପୁଟ ସରପଂଚ ସୁଶିଳା ପେଣ୍ଟିଆ ପ୍ରଶ୍ନ କରିଛନ୍ତି। ମାସ ମାସ ଧରି ଏଭଳି ବିପଦସଂକୁଳ ବିସ୍ପୋରକ ଭ୍ୟାନ୍ ଗୁଡିକ ଗାଁର ଅତି ନିକଟରେ ତଥା ଛକରେ ରହିବାକୁ କିଏ ଅନୁମତି ଦେଇଛନ୍ତି ବୋଲି ଗ୍ରାମବାସୀ ଓ ସରପଂଚ ପ୍ରଶ୍ନ କରିଛନ୍ତି। କିଛି ଗାଡ଼ି ଆସି ଦୀର୍ଘ ଦିନ ଧରି ରହି ଯାଉଛି। ଏହି ଗାଡ଼ି ଯିବା ପରେ ଆଉ କିଛି ନୂଆ ଗାଡ଼ି ବି ଆସୁଛି। ଯଦି ଏହି ଗାଡ଼ି ଗୁଡ଼ିକ ଦ୍ବାରା କିଛି ଅଘଟଣ ହୁଏ ତେବେ ଏଥି ପାଇଁ କିଏ ଉତ୍ତର ଦାୟୀ ରହିବେ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

ଅଂଚଳର ପ୍ରମୁଖ ଛକ ସହ ଏହି ରାସ୍ତା ଦେଇ ଜୟପୁର ବ୍ଲକର କୁମୁଲିପୁଟ, ଜାମୁଣ୍ଡା, କଙ୍ଗା, କୋଟପାଡ଼ ବ୍ଲକର କୁସୁମି ସହ ବିଭିନ୍ନ ପଂଚାୟତର ଲୋକେ ଯିବା ଆସିବା କରୁଛନ୍ତି। ରାସ୍ତା ପାର୍ଶ୍ବରେ ଏଭଳି ବିସ୍ପୋରକ ସାମଗ୍ରୀ ରହିବା ଅତ୍ୟନ୍ତ ବିପଦ ବୋଲି କହିଛନ୍ତି ସରପଂଚ। ଏହି ରାସ୍ତାରେ ବୋରିଗୁମ୍ମା ଓ କୋଟପାଡ ଆଦି ଯିବା ସମୟରେ ଯଦିଓ ଦେଖିଛି , ତେବେ ଏଭଳି ମାସ ମାସ ଧରି ଗାଡ଼ି ରହୁଥିବା ଜାଣି ନଥିଲି। ସେଭଳି କିଛି ଅନୁମତି ଦିଆଯାଇ ନାହିଁ ବୋଲି କହିଛନ୍ତି ଉପଜିଲ୍ଲାପାଳ ବେଦବର ପ୍ରଧାନ। ଏଭଳି ବିସ୍ପୋରକ ଓ ବିପଦସଂକୁଳ ଗାଡ଼ିକୁ ରାସ୍ତା ପାର୍ଶ୍ବରେ ଛକରେ ରହିବାକୁ ପ୍ରଶାସନିକ ଅନୁମତି ଦିଆଯାଇ ନାହିଁ ବୋଲି କହିଛନ୍ତି। ସେ ଏହାର ତଦନ୍ତ କରି ଆଶୁ ପଦକ୍ଷେପ ନେବେ ବୋଲି କହିଛନ୍ତି।

ଏଭଳି ଗାଡ଼ି ରହୁଥିବା ସଂପର୍କରେ ଜାଣି ନଥିବା ଏବଂ ସେଭଳି କୌଣସି ବ୍ୟକ୍ତି କିମ୍ବା ସଂସ୍ଥାକୁ ଏଭଳି ବିସ୍ପୋରକ ଭ୍ୟାନ୍ ମାସ ମାସ ରଖିବାକୁ ଅନୁମତି ଦିଆଯାଇ ନାହିଁ ବୋଲି କହିଛନ୍ତି ଜୟପୁର ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ, ଜୟପୁର ଏସଡିପିଓ ଅରୁପ ଅଭିଶେଖ ବେହେରା, ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝୀ, ଜୟପୁର ସଦରଥାନା ଆଇଆଇସି ଇଶ୍ବର ତାଣ୍ଡି, ବୋରିଗୁମ୍ମା ଥାନା ଆଇଆଇସି କ୍ଷୀରେଶ୍ବର ସାହୁ। ତେବେ ପ୍ରଶାସନର ଅଜାଣତରେ ଏବଂ ଅନୁମତି ନ ନେଇ, କିଭଳି ଓ କେଉଁ ପରିସ୍ଥିତିରେ ଏହି ଛକରେ ବିପଦସଂକୁଳ ଲେଖାଥିବା ବିସ୍ପୋରକ ଭ୍ୟାନ୍ ଗୁଡ଼ିକ ଗାଁ ନିକଟରେ ଏବଂ ଛକରେ ଶହ ଶହ ଲୋକେ ଯିବା ଆସିବା କରୁଥିବା ସ୍ଥାନରେ ଆସି ରହୁଛି ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। ତୁରନ୍ତ ଏଦିଗରେ ପଦକ୍ଷେପ ନେବା ପାଇଁ ସରପଂଚ ଓ ଏବଂ ହରଡ଼ାପୁଟ ଗ୍ରାମବାସୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର