ରାୟଗଡ଼ା: ଗୁଣପୁରବାସୀଙ୍କ ଦୀର୍ଘଦିନର ଦାବି ଉପରେ ମୋହର ମାରିଛି ରେଲୱେ ବୋର୍ଡ। କଟକରୁ ପାଲାସା ମଧ୍ୟରେ ଚଳାଚଳ କରୁଥିବା ମେମୁ ଏକ୍ସପ୍ରେସକୁ ଗୁଣପୁର ପର୍ଯ୍ୟନ୍ତ ସଂପ୍ରସାରିତ କରିଛି ବିଭାଗ। ଆସନ୍ତା ୨୦ ତାରିଖରୁ କଟକରୁ ଗୁଣପୁର ଏବଂ ୨୧ ତାରିଖରେ ଗୁଣପୁରରୁ କଟକ ଅଭିମୁଖେ ଏହି ଟ୍ରେନ୍ ଗଡ଼ିବ। ତେବେ ଗୁଣପୁର ଷ୍ଟେସନରୁ ଟ୍ରେନ୍ ଛାଡ଼ିବା ସମୟରେ ପରିବର୍ତ୍ତନ କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି। ଗୁଣପୁରକୁ ସଂପ୍ରସାରିତ ପୂର୍ବରୁ କଟକ-ପାଲାସା ମେମୁ (ଟ୍ରେନ୍ ନଂ-୧୮୪୪୩) ଏକ୍ସପ୍ରେସ୍ ପ୍ରତିଦିନ ସଂଧ୍ୟା ୫ଟା ୩୦ ମିନିଟରେ କଟକ ଛାଡ଼ି ରାତି ୧୦ଟା ୩୫ ମିନିଟରେ ପାଲାସାରେ ପହଞ୍ଚୁଥିଲା। ପୁଣି ସକାଳ ୬ଟାରେ ପାଲାସାରୁ ଛାଡ଼ି ୧୦ଟା ୫୫ ମିନିଟରେ କଟକରେ ପହଞ୍ଚୁଥିଲା। ସାଢ଼େ ୭ ଘଣ୍ଟା ପାଲାସା ଷ୍ଟେସନରେ ଏହି ଟ୍ରେନ୍ ବିନା ସେବାରେ ପଡ଼ି ରହୁଥିବାରୁ ଗୁଣପୁରକୁ ସଂପ୍ରସାରିତ କରିବାକୁ ଦାବି ହୋଇଥିଲା। ମେମୁ ଏକ୍ସପ୍ରେସ୍ ଗୁଣପୁରକୁ ଗଡ଼ିଲେ ଆନ୍ଧ୍ର ସମେତ ଓଡ଼ିଶାର ଗଜପତି ଏବଂ ରାୟଗଡ଼ା ଜିଲ୍ଲାବାସୀ ଉପକୃତ ହେବା ନେଇ ପ୍ରସ୍ତାବ ରେଳ ବିଭାଗକୁ ଯାଇଥିଲା। ବିଳମ୍ବରେ ହେଲେ ମଧ୍ୟ ଉଭୟ ଜିଲ୍ଲାବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରେଲୱେ ବିଭାଗ ମେମୁ ଏକ୍ସପ୍ରେସକୁ ଗୁଣପୁର ପର୍ଯ୍ୟନ୍ତ ସଂପ୍ରସାରିତ କରିଛି।
ତେବେ ରାତି ୧ଟା ୪୫ ମିନିଟରେ ଗୁଣପୁରରେ ଏହି ଟ୍ରେନ୍ ପହଞ୍ଚି ପୁଣି ରାତି ୨ଟା ୪୫ ମିନିଟରେ କଟକ ଅଭିମୁଖେ ଛାଡ଼ିବା ପାଇଁ ସମୟ ଧାର୍ଯ୍ୟ ହୋଇଥିବାରୁ ଟ୍ରେନ୍ ସମୟରେ ପରିବର୍ତ୍ତନ କରିବାକୁ ଦାବି ହୋଇଛି। ଏତେ ରାତିରେ କେତେ ପରିମାଣର ଯାତ୍ରୀ ଏହି ଟ୍ରେନ୍ ଦ୍ବାରା ଉପକୃତ ହୋଇପାରିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୁଣପୁରରୁ ପାଲାସା ଷ୍ଟେସନର ଦୂରତା ରେଳପଥରେ ୧୧୫ କିମି ହୋଇଥିବା ବେଳେ ଉଭୟ ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଆଉ ୧୫ଟି ଷ୍ଟେସନ୍ ଅତିକ୍ରମ କରୁଛି। ସୂଚନାଯୋଗ୍ୟ, ବ୍ରହ୍ମପୁର, ଭୁବନେଶ୍ବର, କଟକ, ପୁରୀ ଯିବା ପାଇଁ ପୂର୍ବରୁ ଗୁଣପୁରବାସୀ ୨ଟି ଟ୍ରେନ୍ ଉପରେ ନିର୍ଭର କରୁଥିଲେ। ସକାଳ ୫ଟାରେ ଗୁଣପୁର-ପୁରୀ ଏକ୍ସପ୍ରେସ୍ ଏବଂ ଅପରାହଣ୍ ୩ଟା ୩୦ ମିନିଟରେ ଗୁଣପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ୍ ଗୁଣପୁର ଛାଡ଼ୁଥିଲା। ଏହା ପରେ ଆଉ କୌଣସି ଟ୍ରେନ୍ ନଥିବା ବେଳେ ଏବେ ମେମୁ ଏକ୍ସପ୍ରେସ୍ ଗୁଣପୁରକୁ ସଂପ୍ରସାରିତ ହେବାକୁ ନେଇ ରେଳ ଯାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ତେବେ ଟ୍ରେନ୍ ସମୟରେ ପରିବର୍ତ୍ତନ ହେଲେ ରାୟଗଡ଼ା, ଗଜପତି ସମେତ ଗଞ୍ଜାମବାସୀ ମଧ୍ୟ ଏହି ଟ୍ରେନ୍ ଦ୍ବାରା ଉପକୃତ ହୋଇପାରନ୍ତେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/RGD_Gunpur-Memu-Express.jpg)