ଲକ୍ଷାଧିକ ଟଙ୍କା ହଡ଼ପ: ପୋଷ୍ଟମାଷ୍ଟର ଗିରଫ

ପାଟଣା: ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କଣ୍ଟିଆପଡ଼ା ପୋଷ୍ଟ ଅଫିସର ପୋଷ୍ଟମାଷ୍ଟର ଭୈରବ ନାଏକ (୩୮)ଙ୍କୁ ଆଜି ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। କଣ୍ଟିଆପଡ଼ା, ପୁରୁଣିଆ, ବଲାଣିପଶି ଆଦି ଗ୍ରାମର ଶତାଧିକ ଲୋକେ ସ୍ଥାୟୀଜମା, ପିଏଲ୍‌ଆଇ, ସୁକନ୍ୟା ସମୃଦ୍ଧି ଯୋଜନାରେ ଟଙ୍କା ଜମା କରିବାକୁ ସମ୍ପୃକ୍ତ ପୋଷ୍ଟ ମାଷ୍ଟରଙ୍କୁ ଦେଇଥିଲେ। ଦୀର୍ଘମାସ ଧରି ସେମାନଙ୍କ ଜମାବହି ପୋଷ୍ଟମାଷ୍ଟର ନ ଫେରାଇବାରୁ ଜମାକାରୀଙ୍କ ସନ୍ଦେହ ହୋଇଥିଲା।

ଏନେଇ ସେମାନେ ଯାଞ୍ଚ କରିବା ପରେ ଆକାଉଣ୍ଟରେ ଟଙ୍କା ଜମା ନକରି ଲକ୍ଷାଧିକ ଟଙ୍କା ନେଇ ସମ୍ପୃକ୍ତ ପୋଷ୍ଟମାଷ୍ଟର ଫେରାର ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଏହାର ପ୍ରତିବାଦରେ ଗତ ୨୩ ତାରିଖରେ ବହୁ ମହିଳା ଜମାକାରୀ ପୋଷ୍ଟ ଅଫିସ ଘେରାଉ କରିଥିଲେ। ଏ ସମ୍ପର୍କରେ ଜମାକାରୀମାନେ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୁଲିସ କେସ୍‌ ନମ୍ବର ୮୦/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ପୁଲିସ ଅଭିଯୁକ୍ତ ପୋଷ୍ଟମାଷ୍ଟର ଭୈରବକୁ ଗିରଫ କରି କୋର୍ଟଚାଲାଣ କରିଛି। ସମ୍ପୃକ୍ତ ପୋଷ୍ଟମାଷ୍ଟର କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ବେଳେ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିଥିବା ଥାନା ଅଧିକାରୀ ମଦନ ମୋହନ ନାଏକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର