ରାୟଗଡା: ରାୟଗଡା ସ୍ଥିତ ଲେଜିଜ ୱାକର୍ସ କ୍ଲବ ତରଫରୁ ଆଜି ନିକଟସ୍ଥ ହରିକଣା ଗ୍ରାମରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟ ବିଭାଗର ଏଡିଏମ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷ ମହେଶ ପଟ୍ଟନାୟକ ଉପସ୍ଥିତ ଥିଲେ।ବିଶେଷକରି ଆଜି କାଲି ମୋବାଇଲ ଯୋଗୁଁ ବହୁ ଲୋକଙ୍କର ଚକ୍ଷୁ ଖରାପ ହେବାକୁ ବସିଲାଣି। ଏଥିସହ ଟିଭି ଦେଖିବା ଯୋଗୁଁ ମଧ୍ୟ ଚକ୍ଷୁ ଉପରେ ବିଶେଷ ପ୍ରଭାବ ପକାଉଛି। ତେବେ ଗରିବ ଲୋକଙ୍କ ପାଇଁ ସେବା ମନଭାବ ନେଇ ସ୍ଥାନୀୟ ଲେଡିଜ ୱାକର୍ସ କ୍ଲବ ତରଫରୁ ବହୁ ସମୟରେ ସମାଜସେବା କାର୍ଯ୍ୟ କରାଯାଇଥାଏ। ମାନବ ସେବା ହିଁ ମାଧବ ସେବାର ଲକ୍ଷ୍ୟ ନେଇ ଏହି କ୍ଲବ ଜିଲ୍ଲାର କୋଣ ଅନୁକୋଣରେ ସମାଜସେବା ଅନବରତ କରି ଚାଲିଛି।ଏହି ପରିପ୍ରେକ୍ଷୀରେ ଆଜି ମାଗଣା ଚକ୍ଷୁ ଶିବିର କରି ଗରିବ ଲୋକଙ୍କୁ ସହଯୋଗର ହାତ ବଢାଯାଇଛି।

Advertisment

ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ଲୋକ ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ। ଏଲଭି ଚକ୍ଷୁ ହସ୍ପିଟାଲର ସହଯୋଗରେ ଏହି ସେବା କରାଯାଇଛି। ଏଲଭି ପ୍ରସାଦ ହସ୍ପିଟାଲ ପକ୍ଷରୁ ଲେଡିଜ ୱ‌ାକର୍ସ କ୍ଲବର ମହିଳାମାନଙ୍କୁ ପ୍ରଶଂସା କରାଯିବା ସହ ସେମାନେ ପଠାଇଥିବା ୧୫ ଜଣ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯିବ ବୋଲି କହିଥିଲେ। କ୍ଲବର ସଭାପତି କେ ଶୋଭାରାଣୀ ପ୍ରକାଶ କରିଥିଲେ ଯେ ଅସହାୟ, ଗରିବ ଓ ନିଷ୍ପେସିତ ଲୋକଙ୍କ ସେବାରେ କ୍ଲବ ସବୁବେଳେ ଆଗରେ ରହିଛି ଏବଂ ରହିବ। ମାନବ ସେବା କରିବା ଦ୍ବାରା ଆମେ ସିଧା ମାଧବଙ୍କ ସେବା କରୁଛୁ ବୋଲି ସେ କହିଥିଲେ। ଅତିଥିମାନେ ମଧ୍ୟ ଏହି କ୍ଲବର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟ ଜାରି ରହୁ ବୋଲି ପ୍ରକାଶ କରିଥିଲେ। ପ୍ରାୟ ୧୫୦ ଜଣ ଲେଡିଜ ୱାକର୍ସ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସେଥିମଧ୍ୟରୁ ଡଃ. କେ.ସଲଭା ରାଜୁ, ସତ୍ୟବାଦୀ ପତି, ପେଣ୍ଟା କଲ୍ୟାଣୀ, ମାଧବୀ ଶଙ୍କର, ଆଶାଲତା, ଏ. ଭାଣୀ, ଅଞ୍ଜଳୀ ଶତପଥୀ, ସୁଜାତା ପାଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।