ଏମିତି ଚାଲିଛି ମୋତିଆବିନ୍ଦୁ ଅସ୍ତ୍ରୋପଚାର କାର୍ଯ୍ୟକ୍ରମ: ହୀନସ୍ତା ହୋଇ ଅଟୋରେ ଫେରିଗଲେ ରୋଗୀ

ଜୟପୁର: ଅସ୍ତ୍ରୋପଚାର କରି ଛାଡିଦେଲେ। ଚଷମା ଖଣ୍ଡେ ବି ଦେଲେନି। ଔଷଧର କଥା ଦୂରରେ ଥାଉ। ନିଜ ଖର୍ଚ୍ଚରେ ଘରକୁ ଗଲେ ବରିଷ୍ଠ ନାଗରିକ। ଆଖି ଭଲ କରିବାକୁ ଡାକିଦେଲେ, ହେଲେ ସେମତି ଅଧପନ୍ତରିଆ କରି ଛାଡିଦେଲେ। ଅସ୍ତ୍ରୋପଚାର କଲେ ହେଲେ ଚିକିତ୍ସା ପାଇଁ କୌଣସି ଆବଶ୍ୟକ ଔଷଧପତ୍ର ଦେଲେନି। ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ସହରରେ ରହିଥିବା ପୁରୁଣା ଉପଖଣ୍ଡ ପରିସରରେ। ଏଠାରେ ଥିବା ଚକ୍ଷୁ ଚିକିତ୍ସାଳୟରେ ବୈପାରିଗୁଡା ବ୍ଲକର ବିଭିନ୍ନ ଅଞ୍ଚଳରୁ ମୋତିଆବିନ୍ଦୁ ଅପରେସନ ପାଇଁ ଆସିଥିବା ଲୋକେ ହଟହଟା ହୋଇଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ମୁତାବକ ଗତ ବୁଧବାର ଦିନ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ମାଓ ଉପଦ୍ରବ ଅଞ୍ଚଳ ଦଣ୍ଡାବାଡି, ରାମଗିରି ଅଞ୍ଚଳରୁ ୯ଜଣ ବରିଷ୍ଠ ନାଗରିକ ଆସିଥିଲେ। ଗତକାଲି ପୁରୁଣା ମେଡିକାଲ ପରିସରରେ ଏହି ୯ଜଣ ରୋଗୀଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଆଜି ସକାଳୁ ଏହି ରୋଗୀଙ୍କୁ ହଠାତ ଯିବା ପାଇଁ କୁହାଯାଇଥିଲା। ଆଶାକର୍ମୀ କୁନ୍ତଳା ନାଇକ, ପବିତ୍ରା ପାଙ୍ଗୀ, ସ୍ୱଜିତା ପଟ୍ଟନାୟକ ଓ ଆରତି ସ୍ୱାଇଁ ବୈପାରିଗୁଡା ବ୍ଲକର ସନ୍ତୋଷ ହନ୍ତାଳ, ବୁଦୁରି ନାଇକ, ନେଇନା ରାମପୁରିଆ, ଚମ୍ପତି ଖରା, ରାଧା ଗଲରି, କେ.ବେନିଆ, ମାଧବ ମାଝି, ଡିବୁକି ହନ୍ତାଳ ଓ ବୃନ୍ଦାବତୀ ବାଗଦେରିଆ ଦୁଇଟି ଅଟୋରେ ଗାଁକୁ ୧୪୦୦ଟଙ୍କା ଭଡା କରି ଯାଇଥିବା ଜଣାପଡିଛି।

ତେବେ ଅସ୍ତ୍ରୋପଚାର ପୂର୍ବଦିନ ଓ ପରଦିନ ରଖିବାକୁ ନିମୟ ରହିଥିବା ବେଳେ ସେମାନଙ୍କୁ ରଖାଯାଇ ନ ଥିଲା। ଅସ୍ତ୍ରୋପଚାର ଶେଷ ହେବାର ପରଦିନ ସକାଳୁ ସେମାନଙ୍କୁ ଯିବାକୁ କୁହାଯାଇଥିବା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହାସହ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ରୋଗୀଙ୍କୁ ସହାୟତା ରାଶି ୨୫୦ ଟଙ୍କାରୁ ୩୫୦ ଟଙ୍କା କରାଯାଇ ଥିବାବେଳେ ଏହି ରୋଗୀମାନଙ୍କୁ ଟଙ୍କାଟିଏ ବି ଦିଆଯାଇନାହିଁ। ଫଳରେ ସେମାନେ ଅଟୋ ଭଡା କରି ଘରକୁ ଯାଇଥିବା ବେଳେ ଆଖି ସଂକ୍ରମଣ ହେବାର ଆଶଙ୍କା ରହିଛି।

ଏନେଇ ଚକ୍ଷୁରୋଗ ବିଶେଷଜ୍ଞ ଡ.ମୀରାବାଇ ବେହେରା କହିଛନ୍ତି ଯେ ଆଶାକର୍ମୀଙ୍କର ଆକାଉଣ୍ଟକୁ ସବୁ ଟଙ୍କା ସିଧା ସିଡିଏମଓରୁ ଯିବ। ତାଙ୍କୁ କିଏ ଟଙ୍କା ମାଗିଛି ତାହାର ତଦନ୍ତ କରିବି। ଏହାସହ ଔଷଧ ଓ ଚଷମା ଇତ୍ୟାଦି ଶେଷ ହୋଇଯାଇଥିବାରୁ ଦିଆଯାଇନାହିଁ। କଳା ଚଷମା ଶେଷ ହୋଇଯାଇଥିବା ବେଳେ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ମାର୍ଚ୍ଚ ମାସ ଚାଲିଥିବାରୁ ଟେଣ୍ଡର ପକ୍ରିୟା ଶେଷ ହୋଇନି। ତେଣୁ ସେମାନଙ୍କୁ କଳା ଚଷମା ଦିଆଯାଇନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର