ବର୍ଷାରେ ଧୋଇଗଲା‌ ଫାବର ବ୍ଲକ: ୪ କି.ମି.ରେ ଖର୍ଚ୍ଚ ୨କୋଟିରୁ ଅଧିକ

ସହରରେ ସବୁଠି ସମାନ ସ୍ଥିତି

ରାଉରକେଲା: ହକି ବିଶ୍ବକପ୍‌ରେ ସହରର ବିକାଶ ନାଁରେ ବ୍ୟାପକ ହରିଲୁଟ୍‌ ହୋଇଛି। ଏହି କଥା ଆମେ କହୁ ନାହୁଁ। ସ୍ମାର୍ଟସିଟି ଓ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପକ୍ଷରୁ ହୋଇଥିବା କାମ ମାନ ପ୍ରମାଣିତ କରୁଛି। ଯେତେଗୁଡ଼ିଏ ବିକାଶମୂଳକ କାମ ‌‌ହୋଇଛି, ଅଧାରୁ ଅଧିକ ନିମ୍ନମାନର। ରାଉରକେଲା ବିମାନ ବନ୍ଦର ପାର୍ଶ୍ବ ହକି ଷ୍ଟାଚ୍ୟୁ, ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ହେଉ ଅବା ପାନପୋଷସ୍ଥ ବିଜୁ ପଟ୍ଟନାୟକ ଇନ୍‌ଡ଼ୋର ଷ୍ଟାଡିୟମ, ସବୁଠି ସମାନ ଅବସ୍ଥା। ଏବେ ପୁଣି ଆଉ ଏକ ସୌନ୍ଦର୍ଯ୍ୟମୂଳକ କାମ ପଦାକୁ ଆସିଛି।

ରାଉରକେଲା ହନୁମାନବାଟିକାରୁ ସେକ୍ଟର-୧୩ ସ୍ପେସ୍‌ ଛକ ପ୍ରାୟ ୪ କି.ମି. ପର୍ଯ୍ୟନ୍ତ ରିଂରୋଡ଼ର ଦୁଇ ପାର୍ଶ୍ବରେ ଫୁଟ୍‌ପାଥ୍‌ (ପାଦଚଲା)ରାସ୍ତା କରାଯାଇଛି। ଫୁଟ୍‌ପାଥ ଉପରେ ଫାବର ବ୍ଲକ ବିଛାଯାଇଛି। ଆର୍‌ଏମ୍‌ସି ୨/୩ଟି ଠିକା ସଂସ୍ଥା ଜରିଆରେ ଫାବର ବ୍ଲକ ବିଛା କାମ କରିଥିଲା। ଖର୍ଚ୍ଚ ହୋଇଥିଲା ପ୍ରାୟ ୨ କୋଟିରୁ ଅଧିକ। ୬ ମାସ ନ ଯାଉଣୁ କେଉଁଠି ଅସରାଏ ବର୍ଷାରେ ଧସିଗଲାଣି। ଅନ୍ୟ କେଉଁଠି ଫାବର ବ୍ଲକ ଭାସିଗଳାଣି। ପୁଣି କେଉଁଠି ଦବି ଗଲାଣି। ୪ କି.ମି. ପର୍ଯ୍ୟନ୍ତ ରାସ୍ତାରୁ ୫୦% ସ୍ଥାନରେ ଏମିତି ସ୍ଥିତି ଦେଖିବାକୁ ମିଳୁଛି। ଯଦି ଅସରାଏ ବର୍ଷାରେ ଏମିତି, ଆଗକୁ ଆସୁଥିବା ଲଗାଣ ବର୍ଷାରେ ଫୁଟ୍‌ପାଥର ଅବସ୍ଥା କ’ଣ ହେବ ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି। ଦୁର୍ନୀତିକୁ ଲୁଚାଇବାକୁ ଠିକାସଂସ୍ଥା ଦ୍ବାରା ତାଳିପକା କାମ କରାଯାଉଛି।

ଏ ସଂକ୍ରାନ୍ତରେ ଆର୍‌ଏମ୍‌ସି କର୍ତ୍ତୃପକ୍ଷଙ୍କୁ ଜଣାଥିଲେ ହେଁ ଚୁପ୍‌ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେବଳ ରିଂ ରୋଡ଼ର ଦୁଇ ପାର୍ଶ୍ବରେ ନୁହେଁ ଉଦିତନଗର, ରାଉରକେଲା ମୁଖ୍ୟ ମାର୍ଗ, ସିଭିଲଟାଉନ୍‌ସିପ୍‌, ବାସନ୍ତୀ କଲୋନି, ଛେଣ୍ଡ କଲୋନି, କଳିଙ୍ଗ ବିହାରରେ ବିଛାଯାଇଥିବା ଫାବର ବ୍ଲକର ଅଧିକାଂଶ ସ୍ଥାନରେ ଅନୁରୂପ ସ୍ଥିତି ଦେଖିବାକୁ ମିଳୁଛି। ଫାବର ବ୍ଲକଗୁଡ଼ିକ ବିଛାଇବା ପୂର୍ବରୁ ଯେଉଁ କାମଗୁଡ଼ିକ କରିବା କଥା ତା’ ହୋଇ ନାହିଁ। କେଉଁଠି ସେମିତି ମାଟି ଉପରେ ବିଛାଇ ଦିଆଯାଇଛି ତ, ଅନ୍ୟ କେଉଁଠି ବାଲି ଉପରେ ବିଛାଯାଇଥିଲେ ହେଁ, ଠିକ୍‌ ଭାବେ କାମ କରାଯାଇ ନାହିଁ। ବରଂ ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାଙ୍କ ମଧ୍ୟରେ ଭିତିରି ସଲାସୁତୁରା କାମ ସାରି ଦିଆଯାଇଛି। କେବଳ ଏତିକି ନୁହେଁ ସହର ସାରା ଯେତିକି ଫାବର ବ୍ଲକ ବିଛାଯାଇଛି, ତା’ର ୮୦% ସରକାରୀ ବାବୁ ସମ୍ପର୍କୀୟଙ୍କ ନିକଟରୁ କିଣାଯାଇଥିବା ଅଭିଯୋଗ ହୋଇଛି। ଫଳରେ ରାସ୍ତା ସୌନ୍ଦର୍ଯ୍ୟକରଣ ନାଁରେ କୋଟି କୋଟି ଟଙ୍କାରେ ବିଛାଯାଇଥିବା ଫାବର ବ୍ଲକର ସ୍ଥାୟିତ୍ବ ନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ।

ସିଭିଲଟାଉନସିପ୍‌ ମୁଖ୍ୟ ମାର୍ଗ, ବାଇପାସ୍‌ ରୋଡ,‌ ଛେଣ୍ଡ କଲୋନି ମୁଖ୍ୟ ମାର୍ଗର କିଛି ସ୍ଥାନ, ବାସନ୍ତୀକଲୋନି ଏଭଳି ସ୍ଥିତି ଉପୁଜିଥିଲେ ହେଁ ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ। ସେପଟେ ସହରର ବିକାଶକୁ ନେଇ ବାରମ୍ବାର ଆନ୍ଦୋଳନ ଓ ବିକ୍ଷୋଭ କରୁଥିବା ରାଜନୈତିକ ଦଳଗୁଡ଼ିକ ଚୁପ୍‌ ବସିବା ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଲ୍ଲେଖଯୋଗ୍ୟ, ଗତ ୧୧ ତାରିଖରେ ୪୦ ଫୁଟ ଉଚ୍ଚର ହକି ଷ୍ଟାଚ୍ୟୁ ଭାଙ୍ଗିଯାଇଥିଲା। ଷ୍ଟାଚ୍ୟୁ ନିର୍ମାଣ ପାଇଁ ୩୦ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟ କରାଯାଇଥିବାବେଳେ ଆଲୋକସଜ୍ଜା, ରେଲିଂ ବ୍ୟବସ୍ଥା, ପାର୍କ ତିଆରି ଆଦି ପାଇଁ ପ୍ରାୟ ୫୦ ଲକ୍ଷ ବ୍ୟୟ ହୋଇଛି। ଭୁବନେଶ୍ବରର ପ୍ରତିଷ୍ଠିତ ମୂର୍ତ୍ତି ନିର୍ମାଣକାରୀ ସଂସ୍ଥା ‘ଇମାଜେରୀ’ ଏହି ମୂର୍ତ୍ତି ନିର୍ମାଣ କରିଥିଲା। ପାନପୋଷ ହକି ଛକରେ ୧୧ କୋଟି ୬୦ ଲକ୍ଷରେ ନିର୍ମିତ ବିଜୁ ପଟ୍ଟନାୟକ ଇନ୍‌ଡ଼ୋର ଷ୍ଟାଡ଼ିୟମରୁ ମଧ୍ୟ ଅସରାଏ ବର୍ଷା ହେଲେ ପାଣି ଗଳୁଛି। ଭିତରର ଏସି ଓ ଆଲୋକ ବ୍ୟବସ୍ଥା ଠିକ୍‌ ରୂପେ କାମ କରୁନାହିଁ। ରାଉରକେଲାସ୍ଥ ବିଶ୍ବର ସର୍ବାଧିକ ଆସନ ବିଶିଷ୍ଟ ବିର୍ସା ମୁଣ୍ଡା ଷ୍ଟାଡିୟମ ସ୍ଥିତି ଆହୁରି ସଙ୍ଗିନ୍‌। ପ୍ରାୟ ୨୬୧ କୋଟି ବା ତା’ଠାରୁ ଅଧିକ ଅର୍ଥ ବ୍ୟୟରେ ନିର୍ମିତ ଏହି ବିଶ୍ବସ୍ତରୀୟ ଷ୍ଟାଡିୟମରେ ଯେଉଁସବୁ ଅତ୍ୟାଧୁନିକ ବ୍ୟବସ୍ଥା ଅଛି ବୋଲି ପ୍ରଚାର କରା ଯାଇଥିଲା, ତାହା ବିଶ୍ବବ୍ୟାପୀ ପ୍ରଶଂସିତ ହୋଇଥିଲା। ଏବେ କିନ୍ତୁ ଷ୍ଟାଡିୟମରେ ପାଣି ଗଳିବା ଆରମ୍ଭ ହୋଇଗଲାଣି।

ସମ୍ବନ୍ଧିତ ଖବର