କରୋନା ଟେଷ୍ଟ ବେଳେ ଗଣ୍ଡଗୋଳ, ଥାନାରେ ଅଭିଯୋଗ

ତେଲକୋଇ : କେନ୍ଦୁଝର ଜିଲ୍ଲା ଉପାନ୍ତ ତେଲକୋଇ ଅଂଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ପାଇଁ ବିଭିନ୍ନ ପଞ୍ଚାୟତରେ ଆଣ୍ଟିଜେନ ଟେଷ୍ଟ କରାଯାଉଛି। ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏକ ଟିମ ଆସି ତେଲକୋଇ ସମେତ ବିଭିନ୍ନ ପଞ୍ଚାୟତରେ ଟେଷ୍ଟକୁ ତ୍ୱାରାନ୍ୱିତ କରୁଛନ୍ତି। ସୋମବାର ଦୁର୍ଗମ କାଳିଆହତା ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ସଂପୃକ୍ତ ଟିମ ଆଣ୍ଟିଜେନ ଟେଷ୍ଟ ପାଇଁ ପହଞ୍ଚିଥିବା ବେଳେ ସଂପୃକ୍ତ ଡାକ୍ତରୀ ଦଳକୁ ଜଣେ ଯୁବକ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ଦଳରେ ଡାକ୍ତର ବିଭୂଦତ୍ତ ପଣ୍ଡା, ଡା. ସିଦ୍ଧାର୍ଥ ଚାନ୍ଦ ସହିତ ଋକ୍ମିଣୀ ବିନ୍ଧାଣି, ଭରତ ମହାନ୍ତ, ଟେକ୍ନେସିଆନ ସମୀର ମହାନ୍ତ ସାମିଲ ଥିଲେ। କିଟ୍ ସରିବା ପରେ ସଂପୃକ୍ତ ଟିମ ଖାଇବା ପାଇଁ ଯାଇଥିବା ବେଳେ କାଳିଆହତା ଗ୍ରାମର ଚକ୍ର ପାତ୍ର ଆସି ମୋତେ କାହିଁକି ଟେଷ୍ଟ କରୁନାହିଁ ବୋଲି ଗାଳିଗୁଲଜ କରିବା ସହିତ ଡାକ୍ତର ବିଭୁଦତ୍ତ ପଣ୍ଡାଙ୍କୁ ଆକ୍ରମଣ କରିଥିଲା। ଏନେଇ ଆଜି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହରେ ଗୋଷ୍ଠୀ ଚିକିତ୍ସାଧିକାରୀ ଡା. ପ୍ରୀତିଶ ଆଚାର୍ଯ୍ୟଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଘଟଣାର ସମାଧାନ ନହେବା ପର୍ଯ୍ୟନ୍ତ ଆଉ କୋଭିଡ ଟେଷ୍ଟ ନ କରିବା ନିଷ୍ପତ୍ତି ନିଆଯାଇଛି। ଘଟଣା ସମ୍ପର୍କରେ ଡା.ବିଭୁଦତ୍ତ ପଣ୍ଡା, ଡା ସିଦ୍ଧାର୍ଥ ଶଙ୍କର ଚାନ୍ଦ ପ୍ରମୁଖ ଥାନାରେ ଅଭିଯୋଗ କରିଛନ୍ତି। ଆଜିଠାରୁ କୋଭିଡ ଟେଷ୍ଟ ବନ୍ଦ କରାଯାଇଛି ।

ଚିକିତ୍ସା ଅଧିକାରୀ ପ୍ରୀତିଶ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଥିଲେ ଯେ ବିଭିନ୍ନ ପଞ୍ଚାୟତକୁ କୋଭିଡ ଟେଷ୍ଟ ପାଇଁ ଟିମ୍ ଯାଉଛନ୍ତି। ଯଦି ଉକ୍ତ ଟିମକୁ ଅଶାଳୀନ ବ୍ୟବହାର ସହିତ ମାରଧର କରାଯିବାକୁ ଧମକ ଦିଆଯାଏ ତେବେ ସେମାନେ କିପରି କାର୍ଯ୍ୟ କରିବେ। ଏ ନେଇ ଆଜି ବୈଠକ ପରେ ଥାନାରେ ଅଭିଯୋଗ କରାଯାଇଛି। ଏହାର ସମାଧାନ ହେବା ପରେ ଏହି କାର୍ଯ୍ୟକ୍ରମକୁ ତ୍ବରାନିତ କରାଯିବ। ଏ ସମ୍ବନ୍ଧରେ ତେଲକୋଇ ଥାନା ଅଧିକାରୀ ଅମିତାଭ ଦାଶଙ୍କୁ ପଚାରିବାରୁ ସେ କହିଥିଲେ ଯେ ଅଭିଯୋଗ ପାଇବା ପରେ ତୁରନ୍ତ ସଂପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ଡକାଯାଇଥିଲା। ଆପୋସ ବୁଝାମଣାରେ ଘଟଣାର ସମାଧାନ କରାଯାଇଛି।

ସମ୍ବନ୍ଧିତ ଖବର