ଅଣଧାନ ଚାଷକୁ ପ୍ରୋତ୍ସାହନ ପାଇଁ ପ୍ରସ୍ତୁତି

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅଣଧାନ ଚାଷକୁ ଉତ୍ସାହିତ କରିବା ପାଇଁ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉପଜିଲ୍ଲାପାଳ ଅଶୋକ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଖଣ୍ଡର ଦୁଇଟି ବ୍ଲକ୍‌ ବୀରମହାରାଜପୁର ଓ ଉଲୁଣ୍ଡାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଲେ ତାହାର ମୁକାବିଲା ପାଇଁ ଅଣଧାନ ଚାଷକୁ ଗୁରୁତ୍ବ ଦେବା ଉପରେ ଆଲୋଚନା ହୋଇଥିଲା। ଏଥିପାଇଁ ପ୍ରାଶାସନିକ ସ୍ତରରେ ଏବେଠୁ ପ୍ରସ୍ତୁତ  ହେବାକୁ ପଡ଼ିବ ବୋଲି ଉପଜିଲ୍ଲାପାଳ କହିଥିଲେ। ଏଥିପାଇଁ ବୀରମହାରାଜପୁର ବ୍ଲକ୍‌ ଜଟେସିଙ୍ଘା ପଞ୍ଚାୟତ ମୁଣ୍ଡିଦମକ ଓ ମୁର୍ଷୁଣ୍ଢୀ ପଞ୍ଚାୟତ ଯୁବରାଣୀସୀତାପୁର ଦୁଇଟି ଗ୍ରାମର ଚାଷୀମାନଙ୍କୁ ଅଣଧାନ ଚାଷ ସଂପର୍କର ବିଭିନ୍ନ ବିଭାଗର ଅଧିକାରୀମାନେ ଅବଗତ କରିବେ।

ସେହିପରି ଉଲୁଣ୍ଡା ବ୍ଲକ୍‌ ପଞ୍ଚମହଲା ପଞ୍ଚାୟତ ଡିଡିମାଲ ଓ ଉଲୁଣ୍ଡା ପଞ୍ଚାୟତ ଖଲିଆପାଲି ଗାଁରେ ସଚେତନତା ବୈଠକ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଏଥିରେ କୃଷି, ଉଦ୍ୟାନ, ଜଙ୍ଗଲ, କୃଷି ଓ ସମବାୟ ବିଭାଗ, ଓଡ଼ିଶା ଜୀବିକା ମିସନ, ଜଳସେଚନ ଓ ଉଠା ଜଳସେଚନ ବିଭାଗ ସହିତ ରାଜସ୍ବ ବିଭାଗ ଅନ୍ୟାନ୍ୟ ସମସ୍ତ ବିଭାଗର ଉଚ୍ଚ କର୍ତୃପକ୍ଷ ଉପସ୍ଥିତ ରହିବେ ବୋଲି ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଏହି ବୈଠକରେ ଜିଲ୍ଲା କୃଷି ଅଧିକାରୀ ପ୍ରମିଲ୍ ସ୍ବାଇଁ, ଏଆର୍‌ସିଏସ୍ ପତଞ୍ଜଳି ମିଶ୍ର, ଉଲୁଣ୍ଡା କୃଷି ବିଭାଗ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ପାତ୍ର, ବୀରମହାରାଜପୁର କୃଷି ଅଧିକାରୀ କାଳିନ୍ଦୀ ପରିଡ଼ା, ସହକାରୀ ଉଦ୍ୟାନକୃଷି  ନିର୍ଦ୍ଦେଶକ ବିଦ୍ୟାଧର ଦାସ, ବୀରମହାରାଜପୁର ସହସିଏଦାର ବିଜ୍ଞାନ କୁମ୍ଭାର, ବୀରମହାରାଜପୁର ବିଡ଼ିଓ ମୋତିଲାଲ ସୁଲିଆ, ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ କିଶୋର ନାୟକ, ପ୍ରିୟଙ୍କା ବେହେରା ଓ ବଳଭଦ୍ର ନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର