ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ନାଉସିରାରେ ଥିବା ଶ୍ରୀ ଶାରଳା ବୁଣାକାର ସମବାୟ ସୂତା କଳ ଲିଃକୁ ସିଲ୍ କରିଛି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ତିଆ (ଏସ୍ବିଆଇ)। ଫଳରେ ସୂତାକଳର ପୁନରୁଦ୍ଧାର ହେବ ବୋଲି ଜିଲ୍ଲାବାସୀ ଯେଉଁ ସ୍ବପ୍ନ ଦେଖିଥିଲେ, ତାହା ଭାଙ୍ଗି ଧୂଳିସାତ୍ ହୋଇଯାଇଛି। ଏହି ସୂତାକଳର ଋଣ ବାବଦ ସୁଧ ଓ ମୂଳ ବାବସ ଏସ୍ବିଆଇକୁ ୪ କୋଟି ୭୪ ଲକ୍ଷ ୩୭ ହଜାର ୮୬୫ ଟଙ୍କା ପରିଶୋଧ କରିବା ଅବସ୍ଥାରେ କେହି ନାହାନ୍ତି। ସରକାରଙ୍କର ମଧ୍ୟ ସେମିତି କିଛି ଯୋଜନା କଲେ ନାହିଁ। ଫଳରେ ବ୍ୟାଙ୍କ୍ ପକ୍ଷରୁ ସୂତାକଳ ଫାଟକରେ ନୋଟିସ୍ ଲଗାଯାଇ, ଏହା ବ୍ୟାଙ୍କ୍ ସମ୍ପତ୍ତି ବୋଲି ଘୋଷଣା କରାଯାଇଛି।
ହଜାର ହଜାର ଶ୍ରମିକଙ୍କ ରୋଜିରୋଟିର କୋଠାରେ ରାଜ୍ କରୁଛି ଶୂନ୍ୟତା। ୨୦ ବର୍ଷ ହେଲା ଏହି କାରଖାନା ବନ୍ଦ ହୋଇ ଭୂତକୋଠି ପାଲଟିଛି। ସବୁ କିଛି ଭାଙ୍ଗି ରୁଜି ଗଲାଣି। ଭିତର ଅନାବନା ଗଛରେ ପରିପୂର୍ଣ୍ଣ। ଯନ୍ତ୍ରାଂଶ, ଆସବାବପତ୍ର ଚୋରି ହୋଇଗଲାଣି। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ପଟ୍ଟନାୟକଙ୍କ ସମୟରେ ୩୦ ଏକରରୁ ଅଧିକ ଜମିରେ ଆରମ୍ଭ ହୋଇଥିବା ଶାରଳା ସୂତାକଳ ପାଇଁ ସରକାର ୧୨ କୋଟି ଟଙ୍କା ବ୍ୟୟ କରିଥିଲେ।
ସୂତାକଳ ୧୯୮୨ରେ ଆରମ୍ଭ ହୋଇଥିବା ବେଳେ ୧୯୮୪ରେ ସୂତା ଉତ୍ପାଦନ ହୋଇଥିଲା। ସମବାୟ ଭିତ୍ତିରେ ଆରମ୍ଭ ହୋଇଥିବାରୁ ସରକାର ବୁଣାକାର ମାନଙ୍କୁ ପଚାଶ ପ୍ରତିଶତ ରିହାତି ଦେଉଥିଲେ। ପ୍ରାୟ ୨୦୦ ଅଧିକାରୀ ଓ ୧୩୦୦ କର୍ମଚାରୀଙ୍କୁ ନେଇ ଚାଲିଥିବା ଏହି କାରଖାନା ଭିତରେ ଗେଷ୍ଟ ହାଉସ୍, ଷ୍ଟାଫ୍ କ୍ବାର୍ଟର୍ସ ସବୁ ସୁବିଧା ଥିଲା। ସୂତାକଳକୁ ଓଡ଼ିଶାର କଳାହାଣ୍ତି, କୋରାପୁଟ, ବଲାଙ୍ଗୀର ସମେତ ମହାରଷ୍ଟ୍ର ଏବଂ ପାକିସ୍ତାନରୁ ବି କଞ୍ଚା ମାଲ୍ ଆସୁଥିଲା। ଏଠାରେ ଥିବା କୁଶଳୀ କାରିଗର ମେସିନ୍ ସାହାଯ୍ୟରେ ସୂତା ପ୍ରସ୍ତୁତ କରୁଥିଲେ। ଏଠାରୁ ଉତ୍ପାଦିତ ସୂତା କୋଲକାତା, ଗୁଜୁରାଟ ଓ ଏମିତି କି ଜାହାଜରେ ସାଉଥ୍ କୋରିଆ ମଧ୍ୟ ରପ୍ତାନୀ ହେଉଥିଲା। ସେତେବେଳେ ପ୍ରାୟ ୪୦ ଜଣ ତନ୍ତୀକୁ ପ୍ରତିମାସରେ ଦୁଇ ବେଲ୍ ସୂତା (ଗୋଟିଏ ବେଲ୍ ୧୮୧ କିଲୋ ହିସାବରେ ମୋଟ ୩୬୨ କିଲୋ) ୫୦ ପ୍ରତିଶତ ରିହାତିରେ ଦିଆଯାଉଥିଲା। ଏଥିପାଇଁ ସରକାର ସେତେବେଳେ ପ୍ରାୟ ୭ ଲକ୍ଷ ଟଙ୍କା ଦେଉଥିଲେ। ସରକାର ଏହି ରିହାତି ବନ୍ଦ କରିଦେଇ କର୍ମଚାରୀଙ୍କ ଦରମା ବଢ଼ାଇ ଦେବା ଫଳରେ ସୂତାକଳର ଅବକ୍ଷୟ ଆରମ୍ଭ ହେଲା। ୧୯୯୯ ମହାବାତ୍ୟାରେ ସୂତାକଳର ବିପୁଳ କ୍ଷୟକ୍ଷତି ହେବାରୁ ସରକାର ୮୫ ଲକ୍ଷ ଟଙ୍କା ମରାମତି ପାଇଁ ଦେଇଥିଲେ। ସୀମିତ ଅର୍ଥରେ ସମ୍ପୂର୍ଣ୍ଣ ମରାମତି ହୋଇ ନପାରି କ୍ରମେ ପରିଚାଳନାଗତ ତ୍ରୁଟିରୁ ସୂତାକଳ ରୁଗ୍ଣ ହୋଇଗଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/SUTA-KALA_6.jpg)