ରାଉରକେଲା: ଇସ୍ପାତ ସହରର ଚାରି ଆଡ଼େ ମଦ। ସହରରେ ମଦର ବନ୍ୟା କହିଲେ ଅତ୍ୟୁକ୍ତି ହେବ ନାହିଁ। କେବଳ ବିଦେଶୀ ନୁହେଁ ବରଂ ଦେଶୀ ମଦର ଚାହିଦା ଢ଼େର୍ ଅଧିକ। ତେବେ ଏହି ମଦ କାରବାର ଏବେ ଭେଜାଲ ହେଲାଣି। ଉଭୟ ଦେଶୀ ଓ ବିଦେଶୀ ମଦର ଚୋରାଚାଲାଣ, ଅନୈତିକ ବିକ୍ରି ହେଉଛି। ଏମିତିକି ଝାଡ଼ଖଣ୍ଡର ମଦ ଏଠାରେ ଉପଲବ୍ଧ। ତେବେ, ଏବେ ସହରରେ ନକଲି ବିଦେଶୀ ମଦର କାରବାର, ସୀମା ଟପିଲାଣି। ଯାହାକି କେବଳ ବୁଦ୍ଧିଜୀବୀ ନୁହନ୍ତି, ବରଂ ମଦୁଆଙ୍କ ମେଳରେ ଭାଳେଣି ପକାଇଦେଇଛି। ସହର ଓ ଆପଖାପ ଅଞ୍ଚଳରେ ଏହି ନକଲି ବିଦେଶୀ ମଦର ଅବାଧ ବିକ୍ରି, ଅବକାରୀ ବିଭାଗର ନିଦ ହଜାଇଦେଲାଣି। ତେବେ ଏହି ନକଲି ବିଦେଶୀ କାରବାରର ସର୍ଦ୍ଦାର୍ କିଏ? କେଉଁଠୁ ଆସୁଛି ଏତେ ପରିମାଣର ନକଲି ବିଦେଶୀ ମଦ? କେମିତି ତିଆରି କରୁଛନ୍ତି ନକଲି ମଦ? ଏନେଇ ‘ସମ୍ବାଦ’ ଅନୁସନ୍ଧାନ ଜାରି ରଖିଥିଲା। ବେଶ୍ କିଛି ଦିନର ଗୁପ୍ତ ସନ୍ଧାନପରେ, ଏ ନେଇ ଏକ ସ୍ବତନ୍ତ୍ର ରିପୋର୍ଟ....
ଝାଡ଼ଖଣ୍ଡରୁ ଆସୁଛି ମଦ
ସହରରେ ଯେଉଁ ସବୁ ନକଲି ବିଦେଶୀ ମଦ ଉପଲବ୍ଧ, ସେସବୁ ଝାଡ଼ଖଣ୍ଡରୁ ଚୋରାଚାଲାଣ ହେଉଛି। ଝାଡ଼ଖଣ୍ଡରେ ଥିବା ମଦ କାରଖାନାରେ ଅନୈତିକଭାବେ ନିମ୍ନ ମାନର ବିଦେଶୀ ମଦ ତିଆରି କରାଯାଉଛି। ଉକ୍ତ ନିମ୍ନମାନର ମଦକୁ ଏଠାକାର ମଦ ବେପାରୀମାନେ ବୋତଲ ପ୍ରତି ୧୦୦/୧୫୦ ଟଙ୍କାରେ କିଣୁଛନ୍ତି। ସେଠାକାର ମାଫିଆଙ୍କଠାରୁ ମଦ କିଣିବାପରେ ମଦକୁ ପ୍ରଥମେ ଝାଡ଼ଖଣ୍ଡ ସୀମାନ୍ତ ତଥା ଓଡ଼ିଶା ସୀମାରୁ ମାତ୍ରା ୬/୭ କିଲୋମିଟର ଦୂରରେ ଥିବା ପୁଷୈତା ଓ ଆଖପାଖ ଅଞ୍ଚଳରେ ରଖୁଛନ୍ତି। ପରେ ସେଠାରୁ କାର୍, ପିକଅପ୍ ଯୋଗେ ସଡ଼କ ପଥରେ ରାଉରକେଲାକୁ ଅଣାଯାଉଛି। ତେବେ ରାଉରକେଲା ସହର ଭିତରେ ନ ରଖି ଗ୍ରାମାଞ୍ଚଳରେ ଗଚ୍ଛିତ ରଖାଯାଉଛି। ସେଠାରୁ ଗ୍ରାହକମାନଙ୍କୁ ମଦ ଯୋଗାଣ ହେଉଛି।
/sambad/media/post_attachments/wp-content/uploads/2017/08/What-is-fake-alcohol-2.jpg)
ମାସକୁ ଆସୁଛି ୪/୫ ହଜାର ଲିଟର
ରାଉରକେଲାକୁ ଆସୁଥିବା ଏହି ନକଲି ବିଦେଶୀ ମଦର ପରିମାଣ ଆଉ ୧/୨ ଶହ ଲିଟରରେ ସୀମିତ ରହିନି। ବରଂ, ଏହା ଏବେ ଢ଼େର୍ ଅଧିକ ହେଲାଣି। ସୂଚନା ଯଦି ସତ; ତା’ହେଲେ ପ୍ରତି ମାସରେ ୩/୪ ଥର ମଦ ଅଣାଯାଉଛି। ଏହି ଅନୁପାତରେ ମାସକୁ ପ୍ରାୟ ୪/୫ ହଜାର ଲିଟର ନକଲି ବିଦେଶୀ ମଦ ଆଣୁଛନ୍ତି। ମଦକୁ ଗଚ୍ଛିତ ରଖି ବିକ୍ରି କରାଯାଉଛି। ଏମାନେଙ୍କ ସମସ୍ତ ପ୍ରକ୍ରିୟାକୁ ଦେଖିଲେ, ବେପାରୀମାନେ ଯେ ବେଶ୍ ଚାଲାକ୍ ଥିବା ଅନୁମାନ କରିହୁଏ। ଏକାସାଙ୍ଗରେ ଅଧିକ ପରିମାଣରେ ମଦ ନ ଆଣି, ୩/୪ଟି ପର୍ଯ୍ୟାୟରେ ମଦ ଆଣୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆସିଥିବା ମଦ ଶେଷ ହେବାପରେ ହିଁ ଦ୍ବିତୀୟ ପର୍ଯ୍ୟାୟରେ ମଦ ଆଣିବାକୁ ଝାଡ଼ଖଣ୍ଡ ଯାଉଛନ୍ତି।
ଏକାଧିକ ଚୋରାପଥରେ ପରିବହନ
ମଦ ବେପାରୀମାନେ ଏକାଧିକ ଚୋରାପଥରେ ମଦ ପରିବହନ କରୁଛନ୍ତି। ମୁଖ୍ୟତଃ ତିନୋଟି ରାସ୍ତାରେ ଏମାନେ ମଦ ପରିବହନ କରୁଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ବୀରମିତ୍ରପୁର ଚେକ୍ ଗେଟ୍ ଦେଇ ଝାଡ଼ଖଣ୍ଡ ଯାଇଥିବା ରାସ୍ତାରେ ମଦ ଅଣାଯାଉଛି। ସୀମାନ୍ତରେ ଆଖିଦୃଶିଆ ଯାଞ୍ଚ କରାଯାଉନଥିବାରୁ ଏମାନେ ଖୁଲ୍ଲମଖୁଲ୍ଲା ମଦ ଆଣୁଛନ୍ତି। ଦ୍ବିତୀୟ ଚୋରାପଥ ହେଉଛି ଝାଡ଼ଖଣ୍ଡ-ଜରୈକେଲା-ବିଶ୍ରା ରାସ୍ତା। ଏହି ରାସ୍ତାରେ ଅବାଧରେ ମଦ ପରିବହନ ହେଉଥିବା ଦେଖିବାକୁ ମିଳିଛି। ଉପରୋକ୍ତ ଦୁଇ ରାସ୍ତାରେ ଧରାପଡ଼ିଯିବାର ସାମାନ୍ୟ ଆଶଙ୍କା ରହିଥିବାରୁ ଏହି ରାସ୍ତାକୁ ଅପେକ୍ଷାକୃତ କମ୍ ବ୍ୟବହାର କରୁଛନ୍ତି। ତେବେ ତୃତୀୟ ଚୋରାପଥରେ କିନ୍ତୁ ବେଧଡ଼କ ମଦ ପରିବହନ କରୁଛନ୍ତି। ତାହା ହେଉଛି, ଝାଡ଼ଖଣ୍ଡ-ଜରୈକେଲା-ଏନ୍ଆଇଟି ପାଖ ରାସ୍ତା। ବେପାରୀମାନେ ଝାଡ଼ଖଣ୍ଡ ସିମଡେଗାରୁ ମଦ ଲୋଡ୍ କରି ଜରେକୈଲାରେ ପହଞ୍ଚୁଛନ୍ତି। ସେଠାରୁ ବିଶ୍ରା-ଭାଲୁଲତା ରାସ୍ତାରେ ନଯାଇ ବିଭିନ୍ନ ଗାଁ ରାସ୍ତା ଦେଇ ଏନ୍ଆଇଟି ପାଖରେ ପହଞ୍ଚୁଛନ୍ତି। ସେଠାରୁ ସିଧାସଳଖ ଗୋଦାମକୁ ଯାଉଛନ୍ତି।
/sambad/media/post_attachments/7fc8ce80704c0a340fbccd3889e035db1724a6b1b9433e8c182ae291b4338755.jpg)
ଗ୍ରାମାଞ୍ଚଳରେ ରହିଛି ମଦ ଗୋଦାମ
ଧରାପଡ଼ିଯିବା ଆଶଙ୍କାରେ ମଦମାଫିଆମାନେ ମଦ ଗୋଦାମକୁ ଗ୍ରାମାଞ୍ଚଳକୁ ସ୍ଥାନାନ୍ତର କରିଦେଇଛନ୍ତି। ପୂର୍ବରୁ ବେଦବ୍ୟାସ, ଜଲଦା, ଲୁଙ୍ଗେଇ ଅଞ୍ଚଳରେ ଏହି ଗୋଦାମ ରହିଥିଲା। ତେବେ ବିଗତ ଦିନରେ ଚଢ଼ଉ ହେବାରୁ ଗୋଦାମକୁ ସ୍ଥାନାନ୍ତର କରିଦେଇଛନ୍ତି। ଏହି ଗୋଦାମ ବର୍ତ୍ତମାନ ବିରକେରା, ଖଇରବନ୍ଧ ଆଖପାଖ ଅଞ୍ଚଳରେ ଅବସ୍ଥିତ। ଉକ୍ତ ଗୋଦାମରେ ସ୍ଥାନୀୟ ଲୋକଙ୍କୁ ଅଧିକ ବେତନରେ ନକଲି ମଦ ତିଆରିରେ ନିୟୋଜିତ କରୁଛନ୍ତି।
କେମିତି ତିଆରୁଛନ୍ତି ନକଲି ମଦ?
ଫ୍ୟାକ୍ଟ୍ରିରୁ ନିମ୍ନମାନର ମଦକୁ ବୋତଲ ପିଛା ପ୍ରାୟ ୧୦୦/୧୫୦ ଟଙ୍କାରେ କିଣୁଛନ୍ତି। ଉକ୍ତ ଏକ ବୋତଲ ନିମ୍ନମାନର ମଦକୁ ୫ଟି ନିବ୍, ଅର୍ଥାତ୍ ପ୍ରାୟ ୯ଶହ ମିଲିଲିଟର୍କୁ ବୃଦ୍ଧି କରାଯାଉଛି। ଏଥିରେ ପାଣି, ନିଶା ପାଇଁ ସ୍ପିରିଟ୍ ଓ ରଙ୍ଗ ପାଇଁ କାରାମେଲ୍ ମିଶ୍ରଣ କରୁଛନ୍ତି। ବୋତଲରେ ନକଲି ମଦକୁ ଭର୍ତ୍ତି କରିବାପରେ ବିଭିନ୍ନ ବ୍ରାଣ୍ଡ୍ର ଅବିକଳ ନକଲ ଥିବା ଠିପି, ଷ୍ଟିକ୍ର, ଲେବଲ ଲଗାଯାଉଛି। ଏହି ନକଲି ଠିପି, ଲେବଲ, ଷ୍ଟିକ୍ର ଆଦି କୋଲକାତାରୁ ଆମଦାନୀ କରାଯାଉଛି। ସେହିଭଳି ବୋତଲଗୁଡ଼ିକୁ ବୁଲା ବୋତଲ ଗୋଟାଳିଙ୍କଠାରୁ କିଣାଯାଉଛି। ବିଭିନ୍ନ ସମୟରେ କବାଡ଼ିବାଲାଙ୍କଠାରୁ ମଧ୍ୟ ବୋତଲ କିଣାଯାଉଥିବା ନଜରକୁ ଆସିଛି।
କିଙ୍ଗ୍ପିନ୍ ଚ୍ୟାମ୍ବର୍ରେ, ମାର୍କେଟ୍ରେ ୧୨ ସପ୍ଲାଅର୍
ନକଲି ବିଦେଶୀ ମଦ ତିଆରି ରୢାକେଟ୍ର ମୁଖ୍ୟ କିଙ୍ଗ୍ପିନ୍ ରାଉରକେଲାରେ ହିଁ ବାସ କରୁଛନ୍ତି। କିଙ୍ଗ୍ପିନ୍ ଜଣକ କ୍ବଚିତ ବାହାରକୁ ଆସିଥାନ୍ତି। ଚ୍ୟାମ୍ପର୍ ଭିତରେ ବସି ଗୁପ୍ତଭାବେ ସାମ୍ରାଜ୍ୟକୁ ନିୟନ୍ତ୍ରଣ କରୁଛନ୍ତି। ତାଙ୍କ ଅଧିନରେ ପ୍ରାୟ ୧୦/୧୨ ଜଣ ସପ୍ଲାଅର୍ କାର୍ଯ୍ୟରତ। ଏହି ସପ୍ଲାଅର୍ମାନେ ବାସନ୍ତୀ କଲୋନି, ବନ୍ଧମୁଣ୍ଡା, ବେଦବ୍ୟାସ, ତିଲକାନଗର, ଜଲଦା ଅଞ୍ଚଳରେ ନିଯୁକ୍ତ ଅଛନ୍ତି। ପ୍ରତ୍ୟେକ ସପ୍ଲାଅର୍ ଅଧିନରେ ୩/୪ ଜଣ କର୍ମଚାରୀ ଅଛନ୍ତି, ଏମାନେ ହିଁ ବିଭିନ୍ନ ସ୍ଥାନକୁ ମଦ ଯୋଗାଇଥାନ୍ତି।
ଟାର୍ଗେଟ୍ରେ ଢ଼ାବା, ବସ୍ତି, ଗ୍ରାମବାସୀ
ନକଲି ମଦ ମାଫିଆଙ୍କ ଟାର୍ଗେଟ୍ରେ ରହିଛି ବିଭିନ୍ନ ଢ଼ାବା ଓ ବସ୍ତି। ବିଜୁ ଏକ୍ସପ୍ରେସ୍ ୱେ ରାସ୍ତା କଡ଼ ସମେତ ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତାରେ ଛଢ଼ୁ ଫୁଟିଲା ଭଳି ଢ଼ାବା ଗଢ଼ିଉଠିଛି। ଏହି ଛୋଟ ଛୋଟ ଢ଼ାବାକୁ ଏମାନେ ନକଲି ବିଦେଶୀ ମଦ ଯୋଗାଣ କରୁଛନ୍ତି। ଏତଦ୍ବ୍ୟତିତ ବିଭିନ୍ନ ବସ୍ତି ଅଞ୍ଚଳ, ଗ୍ରାମାଞ୍ଚଳକୁ ମଧ୍ୟ ମଦ ଯୋଗାଣ ହେଉଛି। ଅସଲି ମଦର ଦରଠାରୁ ଅପେକ୍ଷାକୃତ କମ୍ ରେଟ୍ରେ ମଦ ବିକ୍ରି କରୁଛନ୍ତି। ଯଦ୍ବାରା ଢ଼ାବା ମାଲିକ ଓ ଗ୍ରାମବାସୀମାନେ ହାତପାଆନ୍ତାରେ ବିଦେଶୀ ମଦ ଉପଲବ୍ଧ ହେଉଥିବା ଭାବି କିଣିଚାଲିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/download-1-7.jpg)