ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଇଲାକାରୁ ଠାବ ହୋଇଥିବା ନକଲି ମଦ କାରବାରର ମାଷ୍ଟର୍ମାଇଣ୍ଡ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ଜଣକ ହେଉଛନ୍ତି ଚନ୍ଦ୍ରପ୍ରଭା ସାହିର ହରିଶ ଚନ୍ଦ୍ର ସାହୁ ଓରଫ୍ ହରି(୪୨) ବୋଲି ଏଏସ୍ପି ପ୍ରଭାତ ଚନ୍ଦ୍ର ରାଉତରାୟ ସୂଚନା ଦେଇଛନ୍ତି।
ନକଲି ମଦ ପ୍ରସ୍ତୁତ ପାଇଁ ସ୍ପିରିଟ୍ ଯୋଗାଉଥିବା ଅଭିଯୋଗରେ ବଡ଼ବଜାର ଥାନା ଅନ୍ତର୍ଗତ ସିଟି ହାଇସ୍କୁଲ ରୋଡ଼ ଏମ୍ଟିଆର୍ ଆପାର୍ଟମେଣ୍ଟ୍ରେ ରହୁଥିବା ହୋମିଓପାଥି ଡାକ୍ତର ଇ. ପ୍ରଦୀପ କୁମାର ପାତ୍ରଙ୍କୁ ମଧ୍ୟ ଗିରଫ କରାଯାଇଛି। ତାଙ୍କ ନିକଟରୁ ମୋଟ ୨୫୨ ବୋତଲ ସ୍ପିରିଟ୍ ଜବତ ହୋଇଛି। ଏହି କାରବାର ପଛରେ ଅନ୍ୟ ଜଣେ ହୋମିଓପାଥି ଡାକ୍ତରଙ୍କ ସମ୍ପୃକ୍ତି ମିଳିଛି। ସେ ଦିଗରେ ପୁଲିସ ଅଧିକ ଖୋଳତାଡ଼ ଜାରି ରଖିଛି।
ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ବ୍ରାହ୍ମଣସାହି ସ୍ଥିତ ଏକ ଭଡ଼ାଘରୁ ପୁଲିସ ଗତ ଜାନୁଆରି ମାସରେ ଏକ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି ଠାବ କରିଥିଲା। ଏ ସଂକ୍ରାନ୍ତରେ ପୁଲିସ ୩ଜଣଙ୍କୁ ଗିରଫ କରି ୨୫୫ଲିଟର୍ ଅପମିଶ୍ରିତ ବିଦେଶୀ ମଦ ଜବତ କରିଥିଲା। ହୋମିଓପାଥି ଔଷଧ ପାଇଁ ରହିଥିବା ସ୍ପିରିଟ୍, ପାଣି, ରଙ୍ଗ ଓ ଆସେନ୍ସ ବ୍ୟବହାର କରି ନକଲି ବିଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ନେଇ ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା।
ଏହି କାରବାର ପଛରେ ହରି ନାମକ ଜଣେ ଯୁବକର ହାତ ରହିଥିବା ପୁଲିସ ତଦନ୍ତରେ ଜଣାପଡ଼ିଥିଲା। ଘଟଣା ପରଠାରୁ ହରି ଫେରାର୍ ହୋଇଯାଇଥିଲା। ବୈଦ୍ୟନାଥପୁର ଥାନା ପୁଲିସ ଗତକାଲି ଏହି ନକଲି ମଦ କାରବାରର ମାଷ୍ଟର୍ମାଇଣ୍ଡ୍ ହରିକୁ କାବୁ କରିବାରେ ସକ୍ଷମ ହୋଇଥିଲା। ତାକୁ ଜେରା କରିବା ପରେ ସେ ଡାକ୍ତର ପ୍ରଦୀପ ଓ ପ୍ରେମନଗରରେ ରହୁଥିବା ଡାକ୍ତର କେ. ଗୋପିଙ୍କ ନିକଟରୁ ବେଆଇନ ଭାବେ ସ୍ପିରିଟ୍ ଆଣି ନକଲି ମଦ ପ୍ରସ୍ତୁତ କରୁଥିବା ପୁଲିସ ଆଗରେ ସ୍ବୀକାର କରିଥିଲା। ହରିର ବୟାନ୍କୁ ଭିତ୍ତି କରି ପୁଲିସ ଡା. ପ୍ରଦୀପଙ୍କ ଖାସ୍ପାସାହି ସ୍ଥିତ ଗୋଦାମରେ ଚଢ଼ଉ କରିଥିଲା।
ଯାଞ୍ଚ ପରେ ସେଠାରୁ ବିଭିନ୍ନ କମ୍ପାନିର ୧୫୨ ବୋତଲ ସ୍ପିରିଟ୍ (୧୧୨ଲିଟର୍) ଜବତ କରିଥିଲା। ଏ ସଂକ୍ରାନ୍ତରେ ବଡ଼ବଜାର ଥାନାରେ କେସ୍ ନମ୍ବର ୬୨/୨୧ରେ ଏକ ମାମଲା ରୁଜୁ କରାଯାଇ ଡା. ପ୍ରଦୀପଙ୍କୁ ଗିରଫ କରାଯାଇଛି। ସେହିପରି ବୈଦ୍ୟନାଥପୁର ଥାନାରେ ଜାନୁଆରି ମାସରେ ରୁଜୁ ହୋଇଥିବା କେସ୍ ନମ୍ବର ୭/୨୧ରେ ହରିକୁ ଗିରଫ କରାଯାଇଛି। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/mada-3.jpg)