ଜମି ମାଫିଆଙ୍କ କାରସାଦି: ଜାଲ୍ ଜାତିଗତ ପ୍ରମାଣପତ୍ର କରି ଜମି ବିକ୍ରି

ଜାତି ପ୍ରମାଣପତ୍ର ଓ ଜମି ପଞ୍ଜିକରଣ ବାତିଲ୍

ଜୟପୁର: ସହରର ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଘର ନିର୍ମାଣ ବି ଜୋର ଧରିଛି। ସହରର ଚାରି ପାର୍ଶ୍ବରେ ୫କିଲୋମିଟର ପରିଧି ମଧ୍ୟରେ ଜମି ପ୍ଲଟ୍ ଆକାରରେ ବିକ୍ରି ଜୋର ଧରିଛି। ଏହି ସୁଯୋଗରେ କିଛି ଜମି ମାଫିଆ ଜାଲ୍ ଜାତିଗତ ପ୍ରମାଣପତ୍ର ବଳରେ ଜମି କିଣି ଏହାକୁ ପ୍ଲଟ୍ କରି ବିକ୍ରି କରୁଛନ୍ତି। ଏଭଳି ଏକ ଘଟଣା ଜୟପୁର ତହସିଲର ବାରିଣୀପୁଟ ମାଳିଗୁଡା ଅଞ୍ଚଳରେ ହୋଇଛି।

ଅନୁସୂଚିତ ଜନଜାତି(ଏସଟି)ଙ୍କ ନାଁରେ ଥିବା ଜମିକୁ ଜାଲ୍ ଜାତିଗତ ପ୍ରମାଣପତ୍ର ପ୍ରସ୍ତୁତ କରି ବିକ୍ରି ହୋଇଥିବା ଜୟପୁର ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ ତହସିଲଦାର ବାରିଣୀପୁଟ ଆରଆଇଙ୍କୁ ସଂପୃକ୍ତ ପ୍ରମାଣପତ୍ର ଏବଂ ଜମି ସଂପର୍କରେ ଯାଞ୍ଚ କରାଇଥିଲେ। ଲିଗାଲହାୟର(ପରିବାରର ସଦସ୍ୟବର୍ଗରେ)ରେ ସଂପୃକ୍ତ ନଥିବା ମହିଳାଙ୍କୁ ଓବିସି ଜାତି ପ୍ରମାଣ ପତ୍ର ଦିଆଯାଇଥିବା ଆରଆଇଙ୍କ ରିପୋର୍ଟ ପାଇବା ପରେ ଜାତି ପ୍ରମାଣପତ୍ରକୁ ତହସିଲଦାର ନାକଚ କରିଥିବା ସୂଚନା ମିଳିଛି।

ଏହା ସହ ଏହି ଜାତି ପ୍ରମାଣପତ୍ର ବଳରେ ଏହାରି ମଧ୍ୟରେ ହୋଇଥିବା ଜମି ପଞ୍ଜିକରଣକୁ ବି ନାକଚ କରିବାକୁ ସବରେଜିଷ୍ଟ୍ରାରଙ୍କୁ ତହସିଲଦାର ଆଜି ଚିଠି କରିଥିବା ସୂଚନା ମିଳିଛି। ଏହି ଚିଠି ପାଇବା ପରେ ଜମିର ପଞ୍ଜିକରଣକୁ ବି ନାକଚ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ୧୯୯୨ମସିହାରେ ବାରିଣୀପୁଟ ପଞ୍ଚୟତର ମାଳିଗୁଡାର ଏକ ଅନୁସୂଚିତ ଜନଜାତି ବର୍ଗର ପରିବାର ୬୨ସେଣ୍ଟ ଜମି ଅନୁପ ପାତ୍ରଙ୍କୁ ବିକ୍ରି କରିଥିଲେ। ସେ ତତ୍କାଳୀନ ଉପଜିଲ୍ଲାପାଳଙ୍କ ଠାରୁ ଅନୂସୂଚିତ ଜନଜାତି ବର୍ଗର ଜମି କିଣିବା ପାଇଁ ଅନୁମତି ପତ୍ର ପାଇବା ପରେ ଏହି ଜମି କିଣିଥିଲେ। ଉକ୍ତ ପରିବାରର ଆଉ କିଛି ବଳକା ଜମି ଜାତୀୟ ରାଜପଥ-୨୬ ପାର୍ଶ୍ବରେ ରହିଛି। ତେବେ କିଛି ଜମି ମାଫିଆ ମାନେ ଚଂଚକତା କରି ଉକ୍ତ ପରିବାର ସହ ସଂପୃକ୍ତ ନଥିବା ଅନ୍ୟ ଜଣେ ଅନୁସୂଚିତ ଜନଜାତି ମହିଳାଙ୍କ ନାଁରେ ଜାଲ୍ ଜାତିଗତ ପ୍ରମାଣପତ୍ର ଜୟପୁର ତହସିଲରୁ ହାତେଇ ଥିଲେ। ଏହି ଜାତି ପ୍ରମାଣପତ୍ର ବଳରେ ଜୟପୁର ସବରେଜିଷ୍ଟ୍ରି ଅଫିସରେ ଜମି କିଣାବିକା ବି କରାଯାଇଥିଲା।

ଏହାକୁ ନେଇ ରବୀନ୍ଦ୍ର ପଟ୍ଟନାୟକ ଜୟପୁର ତହସିଲଦାରଙ୍କ ନିକଟରେ ଜାଲ୍ ଜାତିଗତ ପ୍ରମାଣପତ୍ର ବଳରେ ଏହା କିଣାବିକା ହୋଇଥିବାକୁ ନେଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଜୟପୁର ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ ଏହାର ଯାଂଚ ବାରଣିପୁଟ ଆରଆଇଙ୍କ ଦ୍ବାରା କରାଇଥିଲେ। ଜାତି ପ୍ରମାଣପତ୍ର ପାଇଥିବା ମହିଳା ଜଣକ ପ୍ରକୃତ ଜମି ମାଲିକ ମାନଙ୍କ ପରିବାର ସହ କିଛି ସଂପର୍କ ନଥିବା ଏବଂ ସେ ଲିଗାଲହେୟାର ନଥିବା ଆରଆଇ ରିପୋର୍ଟ ଦେଇଥିବା କହିଛନ୍ତି ତହସିଲଦାର ଟୁଲିଆମ୍ମା ପ୍ରଧାନ।

ଆରଆଇଙ୍କ ତଦନ୍ତ ରିପୋର୍ଟକୁ ଭିତ୍ତି କରି ଜାତି ପ୍ରମାଣପତ୍ରକୁ ନାକଚ କରିବା ସହ ବାରିଣୀପୁଟ ମୌଜାର ଖାତା ନଂ ୧୮ ଜମି କିଣାବିକା ପ୍ରତି ସ୍ବତନ୍ତ୍ର ଧ୍ୟାନ ରଖିବାକୁ ସବରେଜିଷ୍ଟ୍ରାରଙ୍କୁ ଚିଠି କରିଛନ୍ତି। ଏହି ଜମି ପଂଜିକରଣକୁ ନାକଚ କରାଯାଇଛି ବୋଲି କହିଛନ୍ତି ସବରେଜିଷ୍ଟ୍ରାର ଏମ୍.ନୀଳକଣ୍ଟ ନାଇଡୁ । ଜମି ପଂଜିକରଣ ସମୟରେ ଇସି, ପୁରୁଣା ଜମିର ଆରଓଆର ଆଦି ଯାଂଚ କରିବା ପରେ ହିଁ ପଂଜିକରଣ କରାଯାଉଛି ବୋଲି କହିଛନ୍ତି ସବରେଜିଷ୍ଟ୍ରାର। ଉକ୍ତ ମହିଳାଙ୍କୁ ତହସିଲକୁ ଡାକି ପଚରାଉଚାରା କରାଯିବା ସହ କାହିଁକି ଓ କେଉଁ ପରିସ୍ଥିତିରେ ମହିଳା ଜଣକ ଏଭଳି କରିଛନ୍ତି ତାକୁ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ତହସିଲଦାର।

ଜାତି ପ୍ରମାଣପତ୍ର ପାଇବା ପାଇଁ ଆବେଦନପତ୍ର ସହ ୧୯୫୩ମସିହାର ସେଟଲମ୍ୟାଣ୍ଟରେ ମିଳିଥିବା ଜମି ପଟା ଦାଖଲ କରାଯାଇଥିଲା। ଏଥିରେ ପରଜା ସଂପ୍ରଦାୟରେ ପାଇକ୍ ବୋଲି ଲେଖାଯାଇଥିବାରୁ ଏହାକୁ ଦେଖି ପାଇକ୍ ଓବିସି ବର୍ଗରେ ଯାଉଥିବାରୁ ଓବିସି ବର୍ଗର ଜାତି ପ୍ରମାଣପତ୍ର ଆବେଦନକାରୀଙ୍କୁ ଦିଆଯାଇଥିଲା ବୋଲି କହିଛନ୍ତି ଅତିରିକ୍ତ ତହସିଲଦାର ନୀଳାମ୍ବର ପୁଜାରୀ। ତେବେ ଆରଆଇଙ୍କ ରିପୋର୍ଟ ମିଳି ସାରିଥିବାରୁ ଆଇନଗତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ତହସିଲଦାର। ଜୟପୁର ସହରରେ ଗତ କିଛି ବର୍ଷ ହେବ ଏଭଳି ଜାରୀ ରହିଛି।

ତେବେ ପ୍ଲଟ୍ କିଣୁ ଥିବା ଲୋକେ ଜମି କାହା ନାଁରେ ରହିଛି, ପୂର୍ବରୁ କାହା ନାଁରେ ରହିଥିଲା, ଭୁବନ୍ଦୋବସ୍ତ ପୂର୍ବରୁ ଏବଂ ପରେ କାହା ନାଁକୁ ଅଦଳବଦଳ ହୋଇଛି ଆଦିର ଯାଂଚ କରୁ ନାହାନ୍ତି। ଜମି ମାପିଆଙ୍କ ମିଠା ମିଠା କଥାରେ ତଥା ଭଲ ପ୍ଲଟ୍ ଏବଂ କମ୍ ଦାମରେ ମିଳୁଥିବା ଭାବି ଜମି କିଣୁଛନ୍ତି। ଏଭଳି ବହୁ ଜମି ଜାଲ୍ ଜାତି ପ୍ରମାଣପତ୍ର ବଳରେ କିଣାବିକା ହୋଇଥିବା ସହରରେ ଚର୍ଚ୍ଚା ଜୋର ଧରିଛି। ତହସିଲ ପକ୍ଷରୁ ଏସବୁର ପୁନଃ ଯାଂଚ କଲେ ଏଠାରେ ଚାଳିଥିବା ବଡ ଧରଣର ରାକେଟର ପର୍ଦ୍ଦାପାସ ହେବ ବୋଲି ବୁଦ୍ଦିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର