୭.୯୦କୋଟି ନକଲି ନୋଟ ଜବତ ଘଟଣା: ପୁଲିସକୁ ମିଳିଲା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

କୋରାପୁଟ: ୭କୋଟି ୯୦ଲକ୍ଷ ଟଙ୍କାର ନକଲି ନୋଟ ସହିତ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ରାକେଟର ଚେର ଯାଏଁ ପହଞ୍ଚିବାରୁ ଦିନିରାତି ଏକାଠି କରିଛି କୋରାପୁଟ ପୁଲିସ। ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର କୁମାର ମନୋହରକୁ ୫ ଦିନ ରିମାଣ୍ଡରେ ନେଇ ପୁଲିସ ତଥ୍ୟ ହାସଲ କରିଛି । ରିମାଣ୍ଡରେ ପଚରାଉଚୁରା କରିବା ପରେ ତାଠାରୁ ହସ୍ତଗତ ହୋଇଥିବା ତଥ୍ୟକୁ ଭିତ୍ତି କରି ପୁଲିସ ବହୁ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଦେଖିଛି । ଅନ୍ୟପଟେ ଛତିଶଗଡ଼ର ରାୟପୁର ପୁଲିସ ଓ ଜାଞ୍ଜିଗିର ପୁଲିସ କ୍ରୀୟାଶୀଳ ହୋଇଥିବା ବେଳେ ମାମଲା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହାୟତା ଲୋଡିବାକୁ ମତ ଦେଇଛନ୍ତି ଆଇନଜୀବୀ ।

କୋରାପୁଟ ପୁଲିସ ଟିମ ରାୟପୁର ଗସ୍ତ କରି ନକଲି ନୋଟ ପ୍ରିଣ୍ଟ ହେଉଥିବା ମେସିନ ଓ ସ୍କାନ ସଂପର୍କିତ ତଥ୍ୟ ହାସଲ କରିବା ସହିତ ଗାଡି ମାଲିକ ବିଜୟ କୁମାର ବର୍ମନକୁ ଖୋଜିଥିବା ସୂଚନା ମିଳିଛି । ଅନ୍ୟପଟେ ଜାଞ୍ଜିଗିର ପୁଲିସ ଜିଲ୍ଲାରେ ଥିବା ଅଭିଯୁକ୍ତଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରିବା ଆରମ୍ଭ କରିଥିବା ବେଳେ ରବୀନ୍ଦ୍ର ସହିତ ନିରନ୍ତର ଯୋଗାଯୋଗରେ ଥିବା ୬ ଜଣରୁ ଅଧିକ ବ୍ୟକ୍ତିବିଶେଷଙ୍କୁ ରାୟପୁର ପୁଲିସ ତଦନ୍ତ ପରିସରଭୁକ୍ତ କରିଥିବା ଶୁଣିବାକୁ ମିଳିଛି।

ଏଥି ସହିତ ପୁର୍ବରୁ ବିଭିନ୍ନ ନକଲି ନୋଟ କାରବାରରେ ସଂପୃକ୍ତ ଥିବା ୧୦ରୁ ଅଧିକ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିଛି ରାୟପୁର ପୁଲିସ। ତେବେ ଏନେଇ ରାୟପୁର ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ରାକେଟର ଉତ୍ପତିସ୍ଥଳ ଛତିଶଗଡ଼ ହୋଇଥିବା ବେଳେ ଏହି କାରବାରରେ ରାୟପୁରର ସ୍ଥାନୀୟ ୨ ଜଣ ଜନ ପ୍ରତିନଧି, ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଦରଭାସ୍ଥିତ ଆର୍ କେଏମ୍ ପାଓ୍ବାର ପ୍ଲାଣ୍ଟରେରେ ଇଂଜିନିୟର ଥିବା ରବୀନ୍ଦ୍ରର ଘର ଅମରତାଲାରେ । କିନ୍ତୁ ସେ ରାୟଗଡ଼ରେ ଅଧିକ ସମୟ ରହୁଥିଲା ଏବଂ ୭ ମାସ ପୂର୍ବରୁ ନୂଆ ରାୟପୁରର ମିଗ୍ ୨ କଂପ୍ଲେକ୍ସର ଏକ ଫ୍ଲାଟରେ ରହି ଆସୁଥିଲା । ଅନ୍ୟପଟେ ଅନ୍ୟତମ ଅଭିଯୁକ୍ତ ଡ୍ରାଇଭର ହର କୁମାର ସାହୁର ଘର ମନ୍ଦରା‌ସୌଦ ଅଞ୍ଚଳରେ ଥିବା ବେଳେ ସେ ଲକ୍‌ଡାଉନ୍ ପୁର୍ବରୁ ରାୟଗଡ ଯାଇଥିଲା । ଏଣୁ ରାୟଗଡରେ ଏହାର କିଛି ତଥ୍ୟ ମିଳିବା ନେଇ ମଧ୍ୟ ସ୍ଥାନୀୟ ପୁଲିସ ତଦନ୍ତ ଚଳାଇଛି ।

ତେବେ  କୋରାପୁଟ ପୁଲିସ ହାତରେ ଲାଗିଥିବା ଏହି ରାକେଟରେ ଲୁଚିଥିବା  କିଙ୍ଗପିଂନ ମାନଙ୍କୁ ଧରିବାକୁ ଓଡିଶା ପୋଲିସ କେନ୍ଦ୍ରୀୟ ତଦନ୍ତ କାରୀ ସଂସ୍ଥାର ସହାୟତା ଲୋଡିବାକୁ ମତ ଦେଇଛନ୍ତି ଆଇନଜୀବୀ । ୨୦୧୮ ମସିହା ଡିସେମ୍ବରରେ ୫ କୋଟି ନକଲି ନୋଟ ସହିତ ରାୟପୁର ପୁଲିସ ୨ ଜଣଙ୍କୁ ଗିରଫ କରିଥିଲା ଏବଂ ବିଭିନ୍ନ କଂପାନିର ସିଏସ୍ଆର ଫଣ୍ଡ ହାତେଇବା ନେଇ ଲାଂଚ ଦେବା ପାଇଁ ନକଲି ନୋଟ ଛାପିଥିବା ପୁଲିସ ଜାଣିବାକୁ ପାଇଥିଲା । ଏଥିରେ ଓଡିଶାର କିଛି ଏନ୍‌ଜିଓଙ୍କ ସଂପୃକ୍ତି ଥିବା ପୁଲିସ୍ ସୂଚନା ପାଇଥିଲା। ଉକ୍ତ ମାମଲା ସହିତ ଏହି ଅଭିଯୁକ୍ତଙ୍କ ସଂପକ୍ତି ଅଛି ନା ନାଇଁ ସେ ଦିଗରେ ମଧ୍ୟ ତଦନ୍ତ କରାଯାଇପାରେ।

ସମ୍ବନ୍ଧିତ ଖବର