ରାୟଗଡା: ରାୟଗଡା ଜିଲ୍ଲାର ଚାଷୀଙ୍କ କଳା କାରନାମା ଧରାପଡିଲା। ସାଟେଲାଇଟ ସର୍ଭେରେ ଚାଷୀ କିପରି ନିଜର ଅନ୍ୟ ଚାଷକୁ ମଧ୍ୟ ଧାନ ଚାଷ କରାଯାଇଥିବା ନେଇ ପଞ୍ଜିକରଣ କରିଥିଲେ ତାହା ପଦାକୁ ଆସିଛି। ଜିଲ୍ଲାର ୧୪ଟି ଲ୍ୟାମ୍ପସରେ ଅଧିନରେ ଚାଷ କରୁଥିବା ଚାଷୀଙ୍କ ପ୍ଲଟଗୁଡିକର ସାଟେଲାଇଟ ସର୍ଭେ ହୋଇଥିଲା। ଏହି ସର୍ଭେରେ ଚାଷୀଙ୍କର ସତ ଓ ମିଛ ଧରାପଡିଛି। ତେବେ ରାଜ୍ୟରେ ଫେକ ଚାଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏଭଳି ଦିନକୁ ଦିନ ଫେକ ଚାଷୀଙ୍କ ସଂଖ୍ୟା ବଢୁଛି।ସାଟେଲାଇଟ ସର୍ଭେ ପରେ ପ୍ଲଟଗୁଡିକକୁ ଯାଇ ଲ୍ୟାମ୍ପସ ଅଧିକାରୀମାନେ ବ୍ୟକ୍ତିଗତ ଯାଞ୍ଚ କରିବା ବେଳେ ଚାଷୀ କପା ଚାଷ,ଫୁଲ ଚାଷ, କାଜୁ ଚାଷ, ଖୋଲା ପଡିଆ ଇତ୍ୟାଦି ସ୍ଥାନକୁ ଧାନ ଚାଷ କରାଯାଉଥିବା ନେଇ ପଞ୍ଜିକରଣରେ ଦର୍ଶାଇଥିଲେ ତାହା ମିଥ୍ୟା ବୋଲି ଜଣାପଡିଛି। ଲ୍ୟାମ୍ପସ ଅଧିକାରୀମାନେ ସେହି ଚାଷଗୁଡିକର ଫଟୋ ଉଠାଇ ପୁଣି ବିଭାଗକୁ ପଠାଇଥିବା ଜଣାପଡିଛି। ତେବେ ଜିଲ୍ଲାରେ ଏଭଳି ୨୦,୪୪୨ ପ୍ଲଟରେ ଧାନ ଚାଷ ହୋଇନଥିବା ଜଣାପଡିଛି।

Advertisment

ସେଥିମଧ୍ୟରୁ ରାୟଗଡା ଲ୍ୟାମ୍ପସ ଅଧିନରେ ୧୩୫୨ ପ୍ଲଟ,ରାୟଗଡା ଏମପିସିଏସ ଅଧିନରେ ୩୫୭ ପ୍ଲଟ,କୋଲନରା ଲ୍ୟାମ୍ପସ ଅଧିନରେ ୧୧୯୨ ପ୍ଲଟ,କଲ୍ୟାଣସିଂହପୁର ଲ୍ୟାମ୍ପସ ଅଧିନରେ ୩୫୬୧ ପ୍ଲଟ,ଟିକିରି ଲ୍ୟାମ୍ପସ ଅଧନରେ ୧୧୪ ପ୍ଲଟ,କାଶୀପୁର ଲ୍ୟାମ୍ପସ ଅଧିନରେ ୨୭୯ ପ୍ଲଟ,ଗୁଣୁପୁର ଲ୍ୟାମ୍ପସ ଅଧନରେ ୩୪୧୧ ପ୍ଲଟ,ଗୁଡାରି ଲ୍ୟାମ୍ପସ ଅଧନରେ ୧୪୫୪ ପ୍ଲଟ,ପଦ୍ମଗିରି ଲ୍ୟାମ୍ପସ ଅଧିନରେ ୧୧୭୯ ପ୍ଲଟ,ରାମନାଗୁଡା ଲ୍ୟାମ୍ପସ ଅଧିନରେ ୩୭୮୬ ପ୍ଲଟ,ବିଷମକଟକ ଲ୍ୟାମ୍ପସ ଅଧିନରେ ୧୫୮୯ ପ୍ଲଟ, ଚନ୍ଦ୍ରପୁର ଲ୍ୟାମ୍ପସ ଅଧନରେ ୧୨୬ ପ୍ଲଟ,ମୁନିଗୁଡା ଲ୍ୟାମ୍ପସ ଅଧିନରେ ୯୫୦ ପ୍ଲଟ ଏବଂ ଆମ୍ବାଦୋଳା ଲ୍ୟାମ୍ପସ ଅଧିନରେ ୧୦୯୨ ଟି ପ୍ଲଟରେ ଧାନ ଚାଷ କରାଯାଇନଥିବା ଜଣାପଡିଛି। ତେବେ ଫେକ ଚାଷୀ ପ୍ରତି ବର୍ଷ ଏଭଳି ଚତୁରତାର ସହ ନିଜର ପ୍ଲଟରେ ଅନ୍ୟ କିଛି ଚାଷ କରି ଧାନ ଚାଷ ଦର୍ଶାଇ ଲକ୍ଷାଧିକକ ଟଂକାର ଚୂନ ସରକାରଙ୍କୁ ଲଗାଉଥିଲେ।

ତେବେ କଡା କାର୍ଯ୍ୟାନୁଷ୍ଠାନ ହେଲେ ଏଭଳି ଚାଷୀ ଭବିଷ୍ୟତରେ କରିବେ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଜିଲ୍ଲାର ବିଶେଷକରି ରାମନାଗୁଡା,କଲ୍ୟାଣସିଂହପୁର ଏବଂ ଗୁଣୁପୁର ଅଂଚଳରେ ବହୁ ଚାଷୀ ନିଜର ଅନ୍ୟ ଚାଷ ପ୍ଲଟକୁ ଧାନ ଚାଷ ବୋଲି ଦର୍ସାଇଛନ୍ତି।ସାଟେଲାଇଟ ସର୍ଭେ ହୋଇନଥିଲେ।ଏଭଳି ଚାଷୀଙ୍କ କାରନାମା ପଦାକୁ ଆସିନଥାନ୍ତା।ପ୍ରକାଶ ଥାଉକି ଜିଲ୍ଲାରେ ୨୨,୬୮୩ ଜଣ ଚାଷୀ ନିଜ ନାମ ପଞ୍ଜିକରଣ କରିଥିବା ବେଳେ ସେଥିରୁ ୬୫୭ ଜଣ ଫେକ ଚାଷୀ ବାହାରିଥିଲେ।ବର୍ତ୍ତମାନ ମୋଟ ଚାଷୀଙ୍କ ସଂଖ୍ୟା ୨୨,୦୨୬।ସାଟେଲାଇନଟ ସର୍ଭେରେ ସଂଦେହ ପ୍ଲଟଗୁଡିକ ଜଣାପଡିଥିବା ବେଳେ ଏହାର ତଦନ୍ତ ହେବା ପରେ ଫେକ ଚାଷୀଙ୍କ ସଂଖ୍ୟା ଜଣାପଡିବ ବୋଲି ଡାଇରସିଏ ତରଫରୁ କୁହାଯାଇଛି।ସରକାରଙ୍କୁ ଠକି ଦୁଇ ପଟରୁ ଲାଭ ଉଠାଇବାକୁ ଚେଷ୍ଟା କରୁଥିବା ଚାଷୀ ଏବେ ଧରା ପଡି ଲଜ୍ଜିତ ହୋଇଛନ୍ତି।