ମିଥ୍ୟା ମାମଲାରେ ଜେଲ୍ ଭୋଗିଲେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ:୪ ପୁଲିସ୍ ଅଧିକାରୀଙ୍କ ବିରୁଦ୍ଧରେ ଏସପିଙ୍କୁ ଫେରାଦ

ରାୟଗଡ଼ା: ବିନା କାରଣରେ ପୁଅକୁ ପିଟିଲେ। ବାପାକୁ ମିଥ୍ୟା ମାମଲାରେ ଜେଲ୍ ପଠାଇ ଦେଲେ। ତାହା ପୁଣି ମାମଲା ରୁଜୁ ହେବାର ୪ ମାସ ପରେ। ବିନା ନୋଟିସରେ ପୁଲିସ୍ ଦ୍ବାରା ଗିରଫ ହୋଇ ଜେଲ୍ ଦଣ୍ଡ ଭୋଗିବା ପରେ ଜାମିନରେ ଆସି ୪ ପୁଲିସ୍ ଅଧିକାରୀଙ୍କ ବିରୁଦ୍ଧରେ ଏସପିଙ୍କୁ ଫେରାଦ ହୋଇଛନ୍ତି କାଶୀପୁର ବ୍ଲକ୍ କୋଡ଼ିପାର୍ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରବିନ୍ ଝୋଡ଼ିଆ।

ଘଟଣାରେ ସଂପର୍କରେ ଏସପିଙ୍କୁ ଅବଗତ କରିବା ପରେ ଡିଏସପି ପାହ୍ୟା ଅଧିକାରୀଙ୍କ ଦ୍ବାରା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏସପି ଡା. ଶର୍ବଣା ବିବେକ।

୨୦୨୦ ଫେବୃୟାରି ୩ ତାରିଖରେ ନାରିଙ୍ଗିଯୋଡି ଗ୍ରାମରେ ଚାଲିଥିବା ଠାକୁରାଣୀ ଯାତ୍ରା ଦେଖିବାକୁ ରବିନଙ୍କ ପୁଅ କିରଣ କୁମାର ଝୋଡିଆ ଗାଁ ପିଲାଙ୍କ ସହ ମିଶି ଯାଇଥିଲେ। ଯାତ୍ରାରେ ଡ୍ୟୁଟିରେ ଥିବା ଅଣ୍ଡିରାକଞ୍ଚ ଥାନା ଏସଆଇ ସୁକାନ୍ତ ଦଳେଇ, ଏଏସଆଇ ସର୍ବେଶ୍ବର ଖାଡଙ୍ଗା, କନେଷ୍ଟବଳ ସୁଶାନ୍ତ ମହାଙ୍କୁଡ କୌଣସି କାରଣକୁ ନେଇ ରବିନଙ୍କୁ ମାଡ଼ ମାରି ଲହୁଲୁହାଣ କରି ତଳେ ପକାଇ ଦେଇଥିଲେ। କିରଣ ଅଚେତ ଅବସ୍ଥାରେ ଯାତ୍ରାରେ ପଡିଯିବା ପରେ ଲୋକ ଭିଡ଼କୁ ଦେଖି ପୁଲିସ୍ ଅଧିକାରୀମାନେ କିରଣଙ୍କୁ ଚିକିତ୍ସା ପାଇଁ ଉତ୍କଳ ଆଲୁମିନାର ଉଷାପଡାସ୍ଥିତ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। ଖବର ପାଇ ରବିନ୍ ମେଡ଼ିକାଲରେ ପହଞ୍ଚିବା ପରେ କୌଣସି ସଂପୃକ୍ତି ନଥିବା ସତ୍ତ୍ବେ ଅଣ୍ଡିରାକଞ୍ଚ ପୁଲିସ୍ ରବିନଙ୍କ ନାଁରେ ମାମଲା ରୁଜୁ କରିଥିଲା।

କେଶ ନଂ-୧୨/ ତା: ୪/୨/୨୦ରେ ମାମଲା ରୁଜୁ କରାଯାଇ ୧୪୭/ ୧୪୮/ ୨୯୪ /୩୪୧/୩୪୨/୩୨୩/୩୫୩/୩୩୨/୫୦୬/୩୭୯/୩୮୪ ଏବଂ ୧୪୯ ଦଫା ଲଗାଇଥିଲା। ଘଟଣାର ଦୀର୍ଘ ୮ ମାସ ପରେ ବିନା କୌଣସି ନୋଟିସରେ ରବିନଙ୍କୁ ଗତ ଅକ୍ଟୋବର ୧୦ ତାରିଖରେ ଗିରଫ କରି କାଶୀପୁର ଜେଏମଏଫସି କୋର୍ଟକୁ ଚାଲାଣ କରିଥିଲା। ପରେ ରବିନ୍ କୋର୍ଟରୁ ଜାମିନ ପାଇ ଅକ୍ଟୋବର ୧୨ ତାରିଖରେ ଘରକୁ ଫେରିଥିଲେ। ଜାମିନରୁ ଫେରିବା ପରେ ତାଙ୍କ ବିରୁଦ୍ଧରେ କରାଯାଇଥିବା ଷଡଯନ୍ତ୍ରର ସତ୍ୟତା ଜାଣିବା ପାଇଁ ସେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ମାମଲାର ସତ୍ୟତା ସଂପର୍କରେ ଜାଣିବା ପରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରବିନ୍ ଏସପି ଡା. ଶର୍ବଣା ବିବେକ ଏମଙ୍କୁ ସାକ୍ଷାତ କରିଥିଲେ।
ଖୁବ୍ ଶୀଘ୍ର ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ପ୍ରତିଶ୍ରୁତି ଦେବା ପରେ ରବିନ୍ ଫେରି ଯାଇଛନ୍ତି।

ସମ୍ବନ୍ଧିତ ଖବର