ଝାରସୁଗୁଡ଼ା: ୪ ଦିନ ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲା କିର୍ମିରା ଅଞ୍ଚଳରୁ ୧୬ ବୋତଲ ନକଲି ମଦ ଜବତ କରିଥିଲା ଝାରସୁଗୁଡ଼ା ଅବକାରୀ ବିଭାଗ। ଏହି ଲିଙ୍କ୍‌କୁ ନେଇ ତଦନ୍ତ ବେଳେ ବିଭାଗକୁ ମିଳିଛି ବଡ଼ ସଫଳତା। କୋଲାବିରା ଥାନା ସମାସିଂହାରେ ନକଲି ବିଦେଶୀ ମଦର ଅନ୍ତୁଡ଼ିଶାଳ ଠାବ କରାଯାଇଥିବା ବେଳେ ୬୦ ଲିଟର ମଦ, ସ୍ପିରିଟ୍‌, ୩୧ଟି ଲେବୁଲ୍‌, ୪୪୦ଟି କର୍କ ଓ ବୋତଲ ଜବତ କରାଯାଇଛି। ଏହି ଘଟଣାରେ ଅବକାରୀ ବିଭାଗ ସମାସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କାମ କରୁଥିବା ସୁନ୍ଦରଗଡ଼ର ସୁବୋଧ ଚୌଧୁରୀ, ବିହାରର ସତୀଶ କୁମାର ଓ ଚିଙ୍କୁ କୁମାରକୁ ଗିରଫ କରିବା ସହ ୨ଟି ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି।
ସୂଚନାନୁସାରେ, କିର୍ମିରା ଲିଙ୍କ୍‌ର ତଦନ୍ତ କରିବା ବେଳେ ସମାସିଂହାରେ ମଦ ତିଆରି ନେଇ ଅବକାରୀ ବିଭାଗ ସୂଚନା ପାଇଥିଲା। ଅବକାରୀ ଇନ୍ସପେକ୍ଟର ବନ୍ଦନା ପଟ୍ଟନାୟକ ଓ ଓଆଇସି ପ୍ରିୟକାନ୍ତ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍‌ ଚଢ଼ାଉ କରି ସମାସିଂହାରୁ ସୁନ୍ଦରଗଡ଼ ଚାଲାଣ ହେଉଥିବା ନକଲି ମଦ ସହ ଏକ କାର୍‌ (ଓଡି ୧୬ଜି-୪୮୨୨)କୁ ଜବତ କରିବା ସହିତ ଉକ୍ତ ନକଲି ମଦ ପ୍ରସ୍ତୁତ ହେଉଥିବା ସମାସିଂହାର ଏକ ଭଡ଼ା ଘରେ ଚଢ଼ଉ କରିଥିଲେ। ସେଠାରେ ଉପରୋକ୍ତ ୩ ଅଭିଯୁକ୍ତ ସମାସିଂହା ବିଦେଶୀ ମଦ ଦୋକାନରୁ ୭୫୦ ମିଲିର ବିଦେଶୀ ମଦ ଆଣି ସେଥିରେ ପାଣି ଓ ସ୍ପିରିଟ୍‌ ମିଶାଇ ଏକ ଜାର୍‌ରେ ମିଶ୍ରଣକୁ ପ୍ରସ୍ତୁତ କରି ରଖୁଥିଲେ। ପରେ ସ୍ଥାନୀୟ କବାଡ଼ିଠାରୁ ଆଣୁଥିବା ବୋତଲ ଓ ସମ୍ବଲପୁରରୁ ଆଣୁଥିବା ନକଲି ଲେବୁଲ୍‌ ଓ କର୍କ ଲଗାଇ ୧୮୦ ମିଲି ଓ ୩୮୦ ମିଲିର ବୋତଲ ପ୍ରସ୍ତୁତ କରି ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଥିବା ଜଣାପଡ଼ିଥିଲା। ଅଭିଯୁକ୍ତମାନେ ସମ୍ବଲପୁରର କେଉଁଠାରୁ ଏହି ନକଲି କର୍କ ଓ ଲେବୁଲ୍‌ ଆଣୁଥିଲେ ତା’ର ତଦନ୍ତ ଜାରି ରହିଥିବା ବେଳେ ସମାସିଂହା ବିଦେଶୀ ମଦ ଦୋକାନର ଭୂମିକା ବି ଏବେ ସନ୍ଦେହ ଘେରକୁ ଆସିଛି।