ରାୟଗଡ଼ାରେ ଜାଲ୍ ନୋଟ୍ ରାକେଟ୍ ସକ୍ରିୟ, ବଜାରରେ ବୁଲୁଛି ନକଲି ୨୦୦ ଟଙ୍କିଆ ନୋଟ୍‌

ରାୟଗଡ଼ା: ରାୟଗଡ଼ା ସହରରେ ଜାଲ୍ ନୋଟ୍ ରାକେଟ୍ ସକ୍ରିୟ ହେବାରେ ଲାଗିଛି। ଗତ କିଛି ଦିନ ହେଲା ନକଲି ୨୦୦ ଟଙ୍କିଆ ନୋଟ୍ ସହରରେ ଘୁରି ବୁଲୁଥିବାରୁ ଅଭିଯୋଗ ହୋଇଛି। ଛୋଟ ଛୋଟ ବ୍ୟବସାୟୀଙ୍କ ଟାର୍ଗେଟ୍ କରି ରାକେଟ୍ ସଦସ୍ୟ ନକଲି ନୋଟ୍ ଦେଇ ଅଳ୍ପ ଟଙ୍କାର ସାମଗ୍ରୀ କିଣି ବାକିତକ ଟଙ୍କା ନେଇ ପଳାଉଛନ୍ତି। ଆଜି ସହରର ମୁଖ୍ୟ ବଜାରରେ ଫୁଲ ବ୍ୟବସାୟ କରୁଥିବା ଜଣେ ମହିଳା ଠକେଇର ଶିକାର ହେବା ପରେ ଘଟଣା ପଦାକୁ ଆସିଛି। ଜଣେ ଯୁବକ ୨୦ ଟଙ୍କାର ଗେଣ୍ଡୁ ‌ଫୁଲ କିଣିବା ପରେ ମହିଳା ବ୍ୟବସାୟୀଙ୍କୁ ନକଲି ୨୦୦ ଟଙ୍କିଆ ନୋଟ୍ ଦେଇଥିଲେ। ମହିଳା ଜଣଙ୍କ ଅସଲି ନୋଟ୍ ଭା‌ବି ରଖି ବାକି ୧୮୦ ଟଙ୍କା ଫେରାଇ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ୟ ଜଣେ ଗ୍ରାହକଙ୍କୁ ମହିଳା ବ୍ୟବସାୟୀ ୨୦୦ ଟଙ୍କା ଫେରାଇବା ସମୟରେ ତାହା ନକଲି ବୋଲି ଜଣା ପଡିଥିଲା। ନକଲି ନୋଟ୍ ସଂପର୍କରେ ମହିଳା ବ୍ୟବସାୟୀ ଜାଣିବା ପରେ ଚିନ୍ତା ପ୍ରକଟ କରିବା ସହ ଦୁଃଖରେ ଭାଙ୍ଗି ପଡିଥିଲେ।

ସୂଚନାଯୋଗ୍ୟ, ଗତ ୨ ବର୍ଷ ତଳେ ରାୟଗଡ଼ା ପୁଲିସ୍ ଜାଲ୍ ନୋଟ୍ ରାକେଟକୁ ଧରିବା ସହ ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ନକଲି ନୋଟ୍ ଓ ଟଙ୍କା ତିଆରି ମେସିନ୍ ଜବତ କରିଥିଲା। ପୁଲିସ୍ ଜାଲରେ ଧରା ପଡିଥିବା ରାକେଟ୍ ସଦସ୍ୟମାନେ ଜିଲ୍ଲାର ସାପ୍ତାହିକ ହାଟ, ଦୈନିକ ପରିବା ବଜାରରେ ବସୁଥିବା ମହିଳା ବ୍ୟବସାୟୀଙ୍କୁ ଟାର୍ଗେଟ୍ କରି ସତର୍କତାର ସହ ଜାଲ୍ ନୋଟ୍ ଦେଇ ସାମଗ୍ରୀ କିଣୁଥିଲେ। ଥାନାରେ ଅଭିଯୋଗ ପରେ ପୁଲିସ୍ ପଦକ୍ଷେପ ନେଇ ରାକେଟକୁ କାବୁ କରିଥିଲା। ୨ ବର୍ଷର ବ୍ୟବଧାନ ପରେ ପୁଣି ରାକେଟ୍ ସକ୍ରିୟ ହେବା ସହ ନକଲି ନୋଟ୍ ମାର୍କେଟରେ ବୁଲିବା ଖବର ପ୍ରଚାରିତ ହେବା ପରେ ବ୍ୟବସାୟୀ ଓ ଖାଉଟି ଭୟଭୀତ ହୋଇ ପଡିଛନ୍ତି। ନୋଟ୍ ଦେଣନେଣ ସମୟରେ ଭଲ ଭାବରେ ଯାଞ୍ଚ କରି ବ୍ୟବସାୟ କରିବାକୁ ପୁଲିସ୍ ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର