ଜବତ ଟ୍ରକକୁ ମିଥ୍ୟା ପ୍ରଦୂଷଣ ପ୍ରମାଣପତ୍ର: ଏଜେନ୍‌ସିର ଚୁକ୍ତି ପ୍ରମାଣପତ୍ରକୁ ବାତିଲ୍‌ କଲେ ଆରଟିଓ

ରାୟଗଡ଼ା: ଜବତ ଟ୍ରକକୁ ମିଥ୍ୟା ପ୍ରଦୂଷଣ ପ୍ରମାଣପତ୍ର ଦେବା ଅଭିଯୋଗରେ ରାୟଗଡ଼ା ମା’ ମଝିଘରିଆଣି ମୋବାଇଲ୍‌ ପ୍ରଦୂଷଣ ଟେଷ୍ଟିଂ ଏଜେନ୍‌ସିର ଚୁକ୍ତି ପ୍ରମାଣପତ୍ରକୁ ୩ ମାସ ପାଇଁ ବାତିଲ୍‌ କରିଛନ୍ତି ଜିଲ୍ଲା ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳାଇ। ଏଥି ସହିତ ସଂପୃକ୍ତ ଏଜେନ୍‌ସିର ଆଇଡ଼ି ବ୍ଲକ୍‌ କରିବା ସହିତ ଲାଇସେନସକୁ ବାତିଲ୍‌ କରିବା ପାଇଁ ରାଜ୍ୟ ପରିବହନ କମିସନରଙ୍କୁ ସୁପାରିଶ କରିଛନ୍ତି ଆରଟିଓ।

ରିପୋର୍ଟ ଅନୁସାରେ ମାର୍ଚ୍ଚ ୩ ତାରିଖରେ ଟ୍ରକ (ଓଆର୧୮ସି-୩୮୩୭)କୁ କାଗଜପତ୍ର ନଥିବା ଅଭିଯୋଗରେ ଗଜପତି ପରିବହନ ବିଭାଗ ଜବତ କରିଥିଲା। ୩ ତାରିଖ ସକାଳ ୯ଟା ୨୮ ମିନିଟରେ ଗଜପତି ମଟରଯାନ ନୀରିକ୍ଷକ ଟ୍ରକକୁ ଜବତ କରିଥିବା ବେଳେ ସଂଧ୍ୟା ୫ଟା ୨୯ ମିନିଟରେ ରାୟଗଡ଼ା ମା’ ମଝିଘରିଆଣି ମୋବାଇଲ୍‌ ପ୍ରଦୂଷଣ ଟେଷ୍ଟିଂ ସେଣ୍ଟର କର୍ତ୍ତୃପକ୍ଷ ଉକ୍ତ ଟ୍ରକକୁ ଧୂଆଁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ୧୧ ତାରିଖରେ ଟ୍ରକ୍‌ ମାଲିକ ଗାଡ଼ିର ସମସ୍ତ କାଗଜପତ୍ର ଗଜପତି ପରିବହନ ବିଭାଗରେ ଦାଖଲ କରିବା ପରେ ମଟରଯାନ ନୀରିକ୍ଷକ ଯାଞ୍ଚ ସମୟରେ ପ୍ରଦୂଷଣ ପ୍ରମାଣପତ୍ରକୁ ଧରିଥିଲେ।

ଘଟଣା ଦିନ ଟ୍ରକ୍‌ ସକାଳ ୯ଟାରେ ଜବତ ହୋଇଥିବା ବେଳେ ସଂପୃକ୍ତ ଏଜେନ୍‌ସି କିପରି ସଂଧ୍ୟାରେ ଟ୍ରକକୁ ପ୍ରମାଣପତ୍ର ଦେଲେ ବୋଲି ମଟରଯାନ ନୀରିକ୍ଷକ ପ୍ରଶ୍ନ କରିଥିଲେ। ଟ୍ରକ୍‌ ମାଲିକ ସନ୍ତୋଷଜନକ ଉତ୍ତର ନ ଦେବା ପରେ ଗଜପତି ପରିବହନ ଅଧିକାରୀ ଏ ନେଇ ରାୟଗଡ଼ା ପରିବହନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୧୨ ତାରିଖରେ ମଝିଘରିଆଣୀ ମୋବାଇଲ୍‌ ପ୍ରଦୂଷଣ ଟେଷ୍ଟିଂ ଏଜେନ୍‌ସି କର୍ତୃପକ୍ଷଙ୍କୁ ଏ ନେଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। କର୍ତ୍ତୃର୍ପକ୍ଷ ସନ୍ତୋଷଜନକ ଉତ୍ତର ନ ରଖିବା ପରେ ଆଜି ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳାଇ ଏଜେନ୍‌ସିର ଚୁକ୍ତି ପ୍ରମାଣପତ୍ରକୁ ୩ ମାସ ପର୍ଯ୍ୟନ୍ତ ବାତିଲ୍‌ କରିଛନ୍ତି।

ସମ୍ବନ୍ଧିତ ଖବର