ବାଲେଶ୍ୱରରେ ନକଲି ର’ ଏଜେଣ୍ଟ୍‌ ଗିରଫ,  ଗୁଳିଭର୍ତ୍ତି ବନ୍ଧୁକ ଓ ଜିପିଏସ ଜବତ

ବାଲେଶ୍ୱର/ବାହାନଗା: ସୋମବାର ରାତି ୯ଟା। ଖନ୍ତାପଡ଼ା ପୁଲିସ ଷ୍ଟେସନ ସମ୍ମୁଖରେ ସତେ ଯେମିତି ବଲିଉଡ ଫିଲ୍ମ ସୁଟିଂ ଚାଲିଥିଲା। ନାଲିବତୀ ସ୍କର୍ପିଓରୁ ବାହାରିଲେ ର’ ଅଫିସର। ରାସ୍ତା ଫାଙ୍କା କରିବାକୁ ପୁଲିସକୁ ଧମକାଇବା ସହ ଶୂନ୍ୟରେ ଗୁଳି ଫୁଟାଇଥିଲା। ହଠାତ ଏମିତି ସବୁ ଦେଖି ବ୍ଲକିଂ ପାଇଁ ଅଟକିଥିବା ଲୋକେ ତ ଡରିଯାଇଥିଲେ, ଖନ୍ତାପଡ଼ା ପୁଲିସ ବି କିଛି ସମୟ ପାଇଁ କଣ କରିବ ଚିନ୍ତାରେ ପଡ଼ିଯାଇଥିଲା। ଅବଶ୍ୟ ସାହାସ କରି ପୁଲିସ ଅପରାଧୀକୁ ମାଡ଼ିବସିଥିଲା।

ଆଉ ତା ପାଖରୁ ଯାହା ସବୁ ବାହାରିଲା, ଦେଖିବା ଲୋକ ବି ଡରିଯିବ। ଗୁଳିଭର୍ତ୍ତି ବନ୍ଧୁକ, ଵାକିଟକି, ଜିପିଏସ ଭଳି ଅତ୍ୟାଧୁନିକ ଉପକରଣ ବାହାରିଥିଲା। କିଛି ସମୟ ଧସ୍ତାଧସ୍ତି ପରେ ପୁଲିସ ଅଭିଯୁକ୍ତ ଓ ଡ୍ରାଇଭରକୁ ଧରି ଥାନାକୁ ଆଣିଥିଲା। ଢେର ସମୟ ଧରି ପୁଲିସକୁ ଭୁଆଁ ବୁଲାଇବା ପରେ ପରିଚୟ ମିଳିଥିଲା। ଗିରଫ ନକଲି ର ଅଫିସର ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ନାହାଡ଼ାର ପ୍ରମୋଦ ବରାଳଙ୍କ ପୁଅ ପ୍ରିୟରଞ୍ଜନ(୩୫) ଓ ଡ୍ରାଇଭର ବାରିପଦା ଅଞ୍ଚଳର ପଙ୍କଜ କୁମାର ସିଂ(୨୪)।

ଗତକାଲି ସନ୍ଧ୍ୟା ୮ଟା ସମୟରେ ୧୬ନଂ ଜାତୀୟ ରାଜପଥ ବେଗୁନିଆ ଠାରେ ଓଲଟି ପଡିଥିବା ବିଲାତି ବୋଝେଇ ଟ୍ରକକୁ ରାସ୍ତାରୁ ଉଠା ଯାଉଥିଲା। ସେଥିପାଇଁ ଜାତୀୟ ରାଜପଥର ଉକ୍ତ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖା ଦେବାରୁ କିଛି ଥାନା କନେଷ୍ଟବଳ ସେଠାରେ ଗାଡି ଚଳାଚଳ ସ୍ବାଭାବିକ କରାଉଥିଲେ। ପ୍ରାୟ ୯ଟା ବେଳେ ଏକ ଧଳା ସ୍କୋର୍ପିଓ(ଓଆର-୦୫-ଏଏଫ-୫୮୫୭)ରେ ନାଲି ବତି ଲଗାଇ ସେଠାରେ ପହଞ୍ଚିଥିଲେ ପ୍ରିୟରଞ୍ଜନ ଓ ପଙ୍କଜ। କେହି କିଛି ବୁଝିବା ପୂର୍ବରୁ ନିଜକୁ ସ୍ପେଶାଲ ଟାସ୍କଫୋର୍ସ ଅଧିକାରୀ କହି ଟ୍ରାଫିକ ଭିଡ଼ ହଟାଇବାକୁ ଲୋକଙ୍କୁ ତାଗିଦ କରିବା ସହିତ ଶୁନ୍ୟକୁ ଗୁଳିଚଳାଇଥିଲା ପ୍ରିୟରଞ୍ଜନ। ତୁରନ୍ତ ରାସ୍ତା ସଫା କରିବାକୁ କହିଥିଲା। ଲୋକେ ଛତ୍ରଭଙ୍ଗ ଦେଇଥିଲେ। ଆଉ କନେଷ୍ଟବଳମାନେ ବି ଛାଡ଼ିଦେଇଥିଲେ।

ତେବେ ସନ୍ଦେହ ହେବାରୁ ଥାନା ଆଇଆଇସିଙ୍କୁ କନେଷ୍ଟବଳ ମୋବାଇଲ ଯୋଗେ ଅବଗତ କରିଥିଲେ। ଖବରପାଇ ଆଇଆଇସି ପରେଶ କୁମାର ରାଉତ ଜାତୀୟ ରାଜପଥରେ ସ୍କୋର୍ପିଓକୁ ପିଛା କରିବା ସହିତ ସେରଗଡ଼ ଟୋଲଗେଟ ନିକଟରେ ଗାଡି ଯାଞ୍ଚ କରିବାକୁ ନିର୍ଦେଶ ଦେଇଥିଲେ। ଗେଟ ନିକଟରେ ଏସଆଇ କ୍ରିଷ୍ଣା ପିଙ୍ଗୁଆ ଗାଡି ଯାଞ୍ଚ କରୁଥିବା ସମୟରେ ଉକ୍ତ ସ୍କୋର୍ପିଓ ବ୍ୟାରିକେଡ଼କୁ ଧକା ଦେଇ ପୋଲିସ କର୍ମଚାରୀଙ୍କ ଉପରେ ଗାଡି ମଡ଼ାଇ ଦେବାକୁ ଉଦ୍ୟମ କରିଥିଲା ଘଟଣାସ୍ଥଳରେ ସୁମନ୍ତ ବେହେରା ନାମକ କର୍ମଚାରୀ ଆହତ ହୋଇଥିଲେ। ସେଠାରେ ବ୍ୟାରିକେଡ଼କୁ ଧକ୍କା ଦେଇ ଦୁର୍ବୁତ୍ତ ଜଣକ ନିଜ ପୁଲିସ ଠାଣି ଦେଖାଉଥିବା ବେଳେ କୌଶଳ କ୍ରମେ ଖନ୍ତାପଡା ଥାନା ଓ ସେରଗଡ଼ ପୁଲିସ ଉଭୟ ନକଲି ର ଅଧିକାରୀ ଓ ଡ୍ରାଇଭରକୁ କାବୁ କରିବାରେ ସଫଳ ହୋଇଥିଲେ। ତେବେ ଗାଡି ଯାଞ୍ଚ କରିବାରୁ ଜୀବନ୍ତ ଗୁଳି ସହିତ ବନ୍ଧୁକ ମିଳିବାରୁ ତୁରନ୍ତ ଉଭୟଙ୍କୁ ଗିରଫ କରାଯାଇଥିଲା।

ଏନେଇ ଖନ୍ତାପଡା ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। କନେଷ୍ଟବଳ ରମେଶ ଚନ୍ଦ୍ର ଜେନାଙ୍କ ଅଭିଯୋଗ କ୍ରମେ ୩୧୫/୨୦ ଓ ରମେଶ ପ୍ରଧାନଙ୍କ ଅଭିଯୋଗ କ୍ରମେ ୩୧୬/୨୦ନଂ ମାମଲା ରୁଜୁ ହୋଇଛି। ପଚରାଉଚରା ସମୟରେ ନକଲି ପୁଲିସ ଅଧିକାରୀ ପରିଚୟ ଦେଉଥିବା ପ୍ରିୟରଞ୍ଜନ ନିକଟରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବାର ସୂଚନା ମିଳିବା ସହିତ ଗାଙ୍ଗପୁର ଥାନାରେ ବିଭିନ୍ନ ମାମଲା ରହିଥିବାର ଜଣାପଡିଛି। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ରିମାଣ୍ଡରେ ଆଣି ତଦନ୍ତ କରାଯିବ ବୋଲି ଆଇଆଇସି ଶ୍ରୀ ରାଉତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର