ସୀମାନ୍ତରେ ବୁଲୁଛନ୍ତି ବେନାମୀ ବେପାରୀ

କନକତୋରା: ଲଖନପୁର ବ୍ଲକ୍‌ ରାଜ୍ୟର ଅନ୍ୟତମ ବୃହତ୍ତମ ବ୍ଲକ୍‌ ମଧ୍ୟରୁ ଗୋଟିଏ ଗଣା ଯାଉଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାର ଏହି ଉପାନ୍ତ ଅଂଚଳ ଛତିଶଗଡ଼କୁ ସୀମା ଲାଗି ରହିଛି ଏବଂ ପ୍ରଶାସନିକ ଦୃଷ୍ଟି ଆଢ଼ୁଆଳରେ ସବୁବେଳେ ରହିଆସିଛି। ବିକାଶ ଓ ମୁଖ୍ୟସ୍ରୋତର ସବୁ କ୍ଷେତ୍ରରେ ଏହି ଅଂଚଳ ପଛୁଆ ରହିଛି। ଅନେକ କ୍ଷେତ୍ରରେ ଅନିୟମିତତା, ଆର୍ଥିକ ତୋଷାରପାତ ଆଦି ଅଭିଯୋଗ ମଧ୍ୟରେ ବିକାଶ ପଛେଇ ଯାଇଥିବା ବେଳେ ସାଧାରଣ ଜନତାଙ୍କ ନିରୀହ, ସରଳତାର ସୁଯୋଗ ନେଇ ଏବେକାର ଯୁଗରେ ବି ବାହାର ରାଜ୍ୟରୁ ଲୋକମାନେ ଆସି ଏହି ଅଂଚଳରେ ଫାଇଦା ନେଉଥିବା ଦେଖାଯାଉଛି। ଏହି ଅଂଚଳରେ ସ୍ୱାସ୍ଥ୍ୟସେବାରେ ସମସ୍ୟା ସହ ଡାକ୍ତର ଅଭାବ ଯୋଗୁଁ କ୍ୱାକ୍‌ମାନେ ରାଜୁତି କରୁଥିବା ଏବଂ ଏହି କ୍ୱାକ୍‌ କବଳରେ ରୋଗୀଙ୍କ ଜୀବନ ସହ ଖେଳ ଖେଳା ଯାଉଥିବା ନେଇ ରିପୋର୍ଟ ହଟଚମଟ ସୃଷ୍ଟି କରିଛି। ଏହି ସମୟରେ ବର୍ତ୍ତମାନ ଦେଖାଯାଉଛି ଯେ ବାହାର ରାଜ୍ୟର, ବିଶେଷ କରି ବଂଗାଳି ଭାଷା କହୁଥିବା ପଶ୍ଚିମ ବଂଗରୁ କେତେକ ଲୋକ ଆସି ବୁଲା ବେପାର (ଫେରିବାଲା) କରୁଛନ୍ତି।

ଏମାନଙ୍କ ସଂଖ୍ୟା ୧୦୦ରୁ ଅଧିକ ବୋଲି ଜଣାପଡ଼ିଛି। ଏମାନଙ୍କ ନା କୌଣସି ପରିଚୟ ରହିଛି ନା ପ୍ରଶାସନ ନିକଟରେ ପଞ୍ଜୀକରଣ ବା ସରକାରୀ ଆଧାର କାଡ୍‌ର୍। ବିନା ପରିଚୟପତ୍ରରେ ଏହି ଲୋକମାନେ ଏଠାରେ ବର୍ଷ ବର୍ଷ ରହି ବ୍ୟବସାୟ କରୁଛନ୍ତି ଏବଂ କେତେକ କ୍ଷେତ୍ରରେ ସଂଦିଗ୍‌ଧ ଅବସ୍ଥାରେ ମଧ୍ୟ ବୁଲୁଛନ୍ତି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହି ଲୋକମାନେ ନାନାଦି ଆଶଙ୍କା ସୃଷ୍ଟି କରୁଛନ୍ତି। ଘଟଣା ବାବଦରେ ରେଂଗାଲି ଥାନା ଆଇଆଇସି ପ୍ରତାପ ରଣାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ତାଙ୍କ ପାଖକୁ ନିର୍ଦିଷ୍ଟ ଭାବେ କୌଣସି ଅଭିଯୋଗ ଆସିନାହିଁ। କୌଣସି ସୂଚନା କିମ୍ବା ତଥ୍ୟକୁ ଆଧାର କରି ସେ ଏହା ଉପରେ ତଦନ୍ତ କରିବେ ବୋଲି କହିଛନ୍ତି। ଲଖନପୁର ବିଡିଓ ରାଜେନ୍ଦ୍ର ମିଞ୍ଜ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଭାବେ ଦର୍ଶାଇଛନ୍ତି। ଅଭିଯୋଗର ସତ୍ୟତା ପଦାକୁ ଆସିବା ଦରକାର ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ଏହି ଅଂଚଳରେ ଚୋରି ଘଟଣା ନିୟମିତ ବ୍ୟବଧାନରେ ଲୋକଙ୍କ ଆତଙ୍କିତ କରି ରଖିଛି।

ଏହି ସଂଦିଗ୍‌ଧ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ସଚେତନ ମହଲରେ ଦାବି ହେଉଛି। ଏବେ ଅଭିଯୋଗ ରହିଛି ଯେ କେତେକ ବ୍ୟକ୍ତି ଚଂଚକତା କରି ଅଂଚଳର କିଛି ଜନପ୍ରତିନିଧି ବା ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ହାତେଇ ଭୋଟର୍‌ କାର୍ଡ ମଧ୍ୟ କରି ନେଇଛନ୍ତି। ଯାହା କି ଉଦବେଗର ବିଷୟ। ବିଶେଷ କରି ଲଖନପୁର-ବେଲପାହାଡ଼ ଅଂଚଳରେ ଏମାନେ କବାଡ଼ି କାମ କରି ରହୁଛନ୍ତି ଏବଂ ଦିନ ସମୟରେ ଗାଁ ଗାଁ ବୁଲି ବେପାର କରୁଛନ୍ତି। ଯା’ଦ୍ୱାରା କିଛି ଲୋକ ଏମାନଙ୍କ ଠକାମିର ଶିକାର ହେଉଥିବା ମଧ୍ୟ ନଜିର ରହୁଛି। କିନ୍ତୁ, ସଂପୃକ୍ତ ଲୋକ କିମ୍ବା ରାକେଟ୍‌ର କୌଣସି ପରିଚୟ ବା ପଞ୍ଜୀକରଣ ନଥିବାରୁ ସେମାନେ ପରିସ୍ଥିତି ଜଟିଳ ହେଲେ ଅତି ସହଜରେ ଫେରାର ହୋଇଯାଉଛନ୍ତି। କୌଣସି ବ୍ୟକ୍ତି ଏମାନଙ୍କୁ ଭଡ଼ା ଘର ଦେବା ପୂର୍ବରୁ ସଠିକ ଭାବେ ପରିଚୟ ଯାଂଚ କରିବାର ଗୁରୁତ୍ୱକୁ ନେଇ ମଧ୍ୟ ଦୃଢ଼ ଭାବେ ସଚେତନ ମହଲରେ ସମର୍ଥନ ମିଳିଛି।

ସମ୍ବନ୍ଧିତ ଖବର