ଦୁଇଟି ବାଇକ୍‌ର ସମାନ ନମ୍ବର ରାଉରକେଲାରେ ନକଲି ନମ୍ବର ଥିବା ଯାନ ମାଳମାଳ

ରାଉରକେଲା: ଦୁଇଟି ପୃଥକ୍‌ ପୃଥକ୍‌ ବାଇକ୍‌। ରଙ୍ଗ ବି ସମାନ, ପଞ୍ଜିକୃତ ନମ୍ବର ବି ସମାନ। କିନ୍ତୁ ଗୋଟିଏ ଅସଲି ଓ ଗୋଟିଏ ନକଲି। ପୁଲିସ ଓ ପରିବହନ ବିଭାଗ ଆଖିରେ ଧୂଳି ଦେଇ ସମାନ ରେଜିଷ୍ଟ୍ରେସନ ନମ୍ବର ଥିବା ଏକାଧିକ ଗାଡ଼ି ଏବେ ଇସ୍ପାତ ସହରରେ ଘାଇଁଘାଇଁ ବୁଲୁଛି। ଆଉ ଏଭଳି ନକଲି ଗାଡ଼ିରେ ବୁଲି ଅନାୟାସରେ ଲୁଟ୍‌ତରାଜରେ ମାତିଛନ୍ତି ଅପରାଧୀ। ଆଜି ଏଭଳି ଏକ ଘଟଣାର ପର୍ଦ୍ଦାଫାସ କରିଛଡ଼୍ତି ଅସଲ ବାଇକ୍‌ର ମାଲିକ।

କୁଆଁରମୁଣ୍ଡା ବ୍ଲକ ପଦ୍ମପୁର ଅଞ୍ଚଳରେ ବାସ କରନ୍ତି ସୌରଭ କାୱା। ସେ ହେଉଛନ୍ତି ସୁଜୁକି ସିକ୍ସର ଏସ୍‌ଏଫ୍‌ ବାଇକ୍‌(ଓଡି୧୪-ଏଚ୍‌-୨୯୯୩)ର ପ୍ରକୃତ ମାଲିକ। ପ୍ରାୟ ମାସକ ପୂର୍ବେ ତାଙ୍କ ବାପାଙ୍କ ମୋବାଇଲ୍‌କୁ ୨ ହଜାର ଟଙ୍କାର ଚାଲାଣ କଟାଯାଇଥିବା ମେସେଜ୍‌‌ ଆସିଥିଲା। ତେବେ ସୌରଭ କୁଆରମୁଣ୍ଡା ଅଞ୍ଚଳରେ ରହୁଥିବାବେଳେ ନିକଟ ଅତିତରେ ରାଉରକେଲାକୁ ଆସିନଥିଲେ। ଏହାସତ୍ତ୍ବେ ତାଙ୍କ ଗାଡ଼ିର ଚାଲାଣ କଟିବା ପଛରେ ଭିନ୍ନ କାରଣ ଥିବା ସନ୍ଦେହ କରିଥିଲେ। ତା’ପରଦିନ ସେ ରାଉରକେଲା ଟ୍ରାଫିକ୍‌ ପୁଲିସ ପାଖରେ ପହଞ୍ଚି ନିଜର ପକ୍ଷ ରଖିଥିଲେ। ଏହାସହ ଉଦିତନଗର ଥାନାରେ କେହି ଦୁର୍ବୃତ୍ତ ସମାନ ନମ୍ବର ଥିବା ବାଇକ୍‌ ବ୍ୟବହାର କରୁଥିବା ଲିଖିତ ଅଭିଯୋଗ କରିଥିଲେ। ଆଜି ପୂର୍ବାହ୍ନରେ ସୌରଭ ବ୍ୟକ୍ତିଗତ କାମ ପାଇଁ ରାଉରକେଲାକୁ ଆସିଥିବାବେଳେ ବାସନ୍ତିକଲୋନିରେ ଉକ୍ତ ନକଲି ନମ୍ବର ବିଶିଷ୍ଟ ଗାଡ଼ି ଦେଖିଥିଲେ। ଏଣୁ ସେ ଉକ୍ତ ଗାଡ଼ି ବ୍ୟବହାର କରୁଥିବା ଯୁବକକୁ କାଗଜପତ୍ର ମାଗିଥିଲେ। ତେବେ ଯୁବକ ଜଣକ ହାବୁଡ଼େଇ ଯାଇ ଧରାପଡ଼ିଯିବା ଆଶଙ୍କାରେ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିଲା। ପରେ ସୌରଭ ଏନେଇ ପୁଲିସକୁ ସୂଚନା ଦେବାରୁ ଉଦିତନଗର ପୁଲିସ ନକଲି ଗାଡ଼ିକୁ ଜବତ କରିଥିଲା। ତେବେ ଏଠାରେ ପ୍ରଶ୍ନ ଉଠେ, ସମାନ ଗାଡ଼ି ନମ୍ବର ଦୁର୍ବୃତ୍ତ ପାଇଲେ କେମିତି? ଏଭଳି ଜାଲିଆତି ବିଷୟରେ ପରିବହନ ବିଭାଗ ଜାଣିପାରୁନି କେମିତି? ଏଭଳି ଏକାଧିକ ପ୍ରଶ୍ନ ଏବେ ଉଙ୍କି ମାରିଛି। ଗାଡ଼ିରେ ଜାଲ୍‌ ନମ୍ବର ଲଗାଇ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ରହୁଥିବା ଅସାମାଜିକ ତତ୍ତ୍ବଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର