ରାଇସୁଙ୍ଗୁଡ଼ା: ଉଚ୍ଚଶିକ୍ଷିତ ଯୁବକ ଓ ଯୁବତୀ ସରକାରୀ ଚାକିରି ପଛରେ ଗୋଡ଼ାଉଛନ୍ତି। ମାତ୍ର ସାଲେପୁର ବ୍ଲକ୍‌ ମୀର୍ଜାପୁର ପଞ୍ଚାୟତ ଅନ୍ତର୍ଗତ କାନପୁର ଗ୍ରାମର ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ସରକାରୀ ଚାକିରି ଛାଡ଼ି ଚାଷକାର୍ଯ୍ୟକୁ ଆଦରି ନେଇଛନ୍ତି। ବିଶେଷ କରି, ପରିବାର ଚାଷ କରି ସେ ବର୍ଷକୁ ୪ରୁ ୫ ଲକ୍ଷ ଟଙ୍କା ଆୟ କରି ବେକାର ଯୁବକ ଓ ଯୁବତୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। କୁନ ନନା ଭାବେ ପରିଚିତ କାନପୁର ଗ୍ରାମର ରଶ୍ମୀରଞ୍ଜନ ଦାଶ (୫୭) ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ପରେ ସିଆର୍‌ପିରେ ଚାକିରି କରିଥିଲେ। କିନ୍ତୁ, ୧୯୮୮ ମସିହାରେ ସେ ଚାକିରି ଛାଡ଼ି ଦେଇ ନିଜର ୨ ଏକର ଜମିରେ ଉନ୍ନତ ପ୍ରଣାଳୀରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ। ଗତ ୨୫ବର୍ଷ ଧରି ଶ୍ରୀ ଦାଶ ବିଲାତି ବାଇଗଣ, ଦେଶୀ ବାଇଗଣ, କଖାରୁ, କାକୁଡ଼ି, ଅମୃତଭଣ୍ଡା, କଦଳୀ, ଭେଣ୍ଡି, କାଗେଜି ଲେମ୍ବୁ, ସାରୁ, କୋଶିଳା ଶାଗ, ଲେଉଟିଆ ଶାଗ ସହ ଧାନ, ମୁଗ, ବିରି ଆଦି ଚାଷ କରିଆସୁଛନ୍ତି।

Advertisment

ଏବେ ବାଡ଼ିରେ ଖରାଦିନିଆ କୋଶିଳା ଶାଗ ଚାଷ କରି ସେ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ପରିବା ଚାଷ କରି ଶ୍ରୀ ଦାଶ ଦୁଇପୁଅଙ୍କୁ ଉଚ୍ଚଶିକ୍ଷିତ କରାଇବା ସହ ପରିବାର ପ୍ରତିପୋଷଣ କରୁଛନ୍ତି। ଚାଷକାର୍ଯ୍ୟରେ ତାଙ୍କୁ ଭାଇ, ପତ୍ନୀ ଓ ପରିବାର ସଦସ୍ୟମାନେ ସହଯୋଗ କରୁଛନ୍ତି। ସଫଳ ଚାଷ ପାଇଁ ତାଙ୍କୁ ବ୍ଲକ୍‌ ଓ ଜିଲ୍ଲା କୃଷି କାର୍ଯ୍ୟାଳୟ ପକ୍ଷରୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି। ସେ ବିଭିନ୍ନ କୃଷକ ସମ୍ମିଳନୀରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ରାଇସୁଙ୍ଗୁଡ଼ା ସେବା ସମବାୟ ସମିତି ପରିଚାଳନା ପରିଷଦର ସଭ୍ୟ ଶ୍ରୀ ଦାଶ ଦୁଇଥର ନିର୍ବାଚିତ ହୋଇଛନ୍ତି। ସରକାରୀ ପ୍ରୋତ୍ସାହନ ଓ ଉନ୍ନତ ଜ୍ଞାନକୌଶଳ ଯୋଗାଇ ଦିଆଗଲେ ସେ ଅଧିକରୁ ଅଧିକ ପନିପରିବା ଚାଷ କରିପାରିବେ ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି।