ବିଭାଗୀୟ ଅଧିକାରୀ ଗାଁ ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ଦାବି

ଚାଷ ଜମିରେ ଲୁଣା ଲହଡ଼ା, ଚିନ୍ତାରେ ଚାଷୀ

ଏରସମା: ଏରସମାର ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳ ଚାଷଜମିରେ ସମୁଦ୍ର ଲୁଣିପାଣି ଲହଡ଼ା ମାରୁଛି। ୫ଦିନ ହେଲା ଲଘୁଚାପଜନିତ ବର୍ଷା ଓ ପୂର୍ଣ୍ଣିମା ପ୍ରଭାବରୁ ଅଶାନ୍ତ ସମୁଦ୍ରର ଉଚ୍ଚା ଜୁଆର ପାଖ ଚାଷ ଜମିକୁ ମାଡ଼ି ଆସୁଛି। ଆଖପାଖ ନଦୀରେ ଲୁଣି ପାଣି ଆସିବାଦ୍ବାରା ନଦୀ ପାର୍ଶ୍ବବର୍ତ୍ତୀ ଜମିଗୁଡ଼ିକରେ ଲୁଣିପାଣି ଭର୍ତ୍ତି ହୋଇରହିଛି। ଏରସମା ବ୍ଲକ ଅନ୍ତର୍ଗତ ଗଡହରିଶପୁର ପଞ୍ଚ‌ାୟତର ନୋଳିଆସାହି ଠାରେ ୫୦ ଫୁଟ ଘାଇ ହେବାରୁ ଗାଁ ଭିତରକୁ ସମୁଦ୍ରପାଣି ପଶି ଆସିଥିଲା। ଗାଁ ଲୋକେ ଆତଙ୍କିତ ହୋଇପଡିଥିଲେ। ସେହିଭଳି ପଦ୍ମପୁର ପଞ୍ଚାୟତର ରାମତରା ଠାରେ ନୂଆ ମୁହାଣ ଦେଇ ସମୁଦ୍ରପାଣି ବାହାରକୁ ଚାଲିଆସିଥିଲା। ଫଳରେ ଆଖପାଖର ଚାଷଜମି ଚିଲିକାର ଭ୍ରମ ସୃଷ୍ଟି କରୁଛି। ସମୁଦ୍ର ଉପକୂଳରୁ ବ୍ୟାପକ ବୃକ୍ଷ ଚ୍ଛେଦନ, ଲୁଣା ଜଙ୍ଗଲ ନଷ୍ଟହେବା, ନିୟମିତ ବାଲି ଚୋରାଚାଲାଣ କାରଣରୁ ସମୁଦ୍ର କୂଳ ଅସୁରକ୍ଷିତ ହୋଇ ପଡ଼ୁଛି। କୂଳଲଙ୍ଘି ଜୁଆର ମାଡ଼ି ଆସିବା କାରଣରୁ ଆଖପାଖ ଅଂଚଳ ତଥା ୧୦ଟି ପଂଚାୟତ ଏବେ ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଲାଣି। ହଜାର ହଜାର ହେକ୍ଟର ଚାଷଜମିରେ ଲୁଣା ପାଣି ଜମି ରହିଥିବାରୁ ଧାନ ତଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଚାଷୀମାନେ ଏବେ ଚିନ୍ତାରେ।

ବିଶେଷକରି ପଦ୍ମପୁର, ଗଡ଼ହରିଶପୁର, ଗୋଡ଼ା, ଗଡ଼ବିଶୁନପୁର, ନାରଦିଆ, ଜାନକାଦେଇପୁର, ଆମ୍ବିକି, ପୋଖରିଆପଡ଼ା, ଜିରେଇଲ, ଜପା,ଏରସମା ଆଦି ପଂଚାୟତର ଚାଷଜମିରେ ୫ଦିନ ହେଲା ପାଣି ଜମିରହିଛି। ଏପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ କରିବାକୁ ପହଞ୍ଚି ନଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ବିଭାଗୀୟ ଅଧିକାରୀମାନେ ପ୍ରତି ପଂଚାୟତରେ ସ୍ଥିତି ଅନୁଧ୍ୟନ କରି ଚଳିତ ବର୍ଷ କିପରି ଧାନଚାଷ କରାଯିବ ସେନେଇ ପଦକ୍ଷେପ ନେବା ଆବଶ୍ୟକ। ଚାଷୀମାନଙ୍କୁ ବିହନ ଓ ସାର, କୀଟନାଶକ ମାଗଣରେ ଯୋଗାଇଦେବାକୁ ପୂର୍ବତନ ସରପଂଚ କେଶବ ପାତ୍ର, ପଦ୍ବପୁରସେବା ସମବାୟ ସମିତିର ସଭାପତି ଅରୁଣ ବେହେରା, ଗଡ଼ ହରିଶପୁର ପଂଚାୟତର ପୂର୍ବତନ ସରପଂଚ ଭୀମସେନ ରାଉତ, ଗୋଡ଼ା ପଂଚାୟତର ସରପଂଚ ବିଶ୍ବ କଲ୍ୟାଣି ନାୟକ, ପଦ୍ମପୁର ସରପଂଚ ପ୍ରତିଭା ପାତ୍ର , ଗଡ଼ବିଶୁନପୁର ସମାଜସେବୀ ପ୍ରଭାକର ବେହେରା, ଏରସମାର ବରିଷ୍ଠ ନାଗରିକ ସଂଘର ସଭାପତି ରାଜା ନିରଂଜନ ଦାସ, ସଂପାଦକ ଧୀରେନ୍ଦ୍ର ଚୌଧୁରୀ, ନାରଦିଆ ପଂଚାୟତର ପୂର୍ବତନ ସରପଂଚ ଶିଶିର ବିଶ୍ବାଳ, ସରପଂଚ ସିମାଇ ଭୋଳ, ପୋଖରୀଆପଡ଼ା ସରପଂଚ ଗଦାଧର ମଲ୍ଲିକ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର