କରୋନାରେ ମୃତ ଠିକାଦାରଙ୍କ ଟଙ୍କା ହଡ଼ପ; ଜିଲ୍ଲାପାଳଙ୍କ ଗାଡ଼ି ସମ୍ମୁଖରେ ପରିବାର ସହ ଶ୍ରମିକଙ୍କ ଧାରଣା

ବୌଦ୍ଧ: କରୋନାରେ ଠିକାଦାର ପ୍ରମୋଦ ମାଝୀଙ୍କ ମୃତ୍ୟୁ ପରେ ତାଙ୍କ ଠିକା କାମର ବିଲ୍‌ କେହି ଉଠାଇ ନେଇଛି। ଏହି କାମରେ ନିୟୋଜିତ ଶ୍ରମିକମାନେ ପ୍ରମୋଦଙ୍କ ଘରକୁ ଆସି ପାଉଣା ମାଗୁଛନ୍ତି। ଏ ବାବଦରେ ମୃତ ପ୍ରମୋଦଙ୍କ ସ୍ତ୍ରୀ ପ୍ରଶାସନ ପାଖରେ ଗୁହାରି କଲେ ବି କେହି ନଶୁଣିବାରୁ ଗୁରୁବାର ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଧାରଣାରେ ବସିଛନ୍ତି।

ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ଦେବଗଡ଼ର ପ୍ରମୋଦ ନିଜ ଗାଁର ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ନିହ ପର୍ଯ୍ୟନ୍ତ କାମ ଶେଷ ହେବା ପରେ ମେ’ ମାସ ୧୫ ତାରିଖରେ କରୋନାରେ ତାଙ୍କ ମୃତ୍ୟୁ ହୋଇଥିଲା। କିଛି ଦିନ ପରେ ଏହି କାମରେ ନିୟୋଜିତ ଶ୍ରମିକମାନେ ବକେୟା ପାରିଶ୍ରମିକ ନେବା ପାଇଁ ତାଙ୍କ ଘରକୁ ଆସିଥିଲେ। ଶ୍ରମିକମାନେ ବାରମ୍ବାର ଟଙ୍କା ମାଗିବା ପରେ ପଙ୍କଜିନୀ ବାଧ୍ୟ ହୋଇ ବିଡିଓଙ୍କ ନିକଟ ଲିଖିତ ଅଭିଯୋଗ କରିଥିଲେ। ଏହି ସମୟରେ କୌଣସି ବ୍ୟକ୍ତି ବିଲ ଟଙ୍କା ଉଠାଇ ନେଇଥିବା ବିଡିଓ କହିଥିବା ପଙ୍କଜିନୀ ପ୍ରକାଶ କରିଛନ୍ତି। ତେବେ ବିଡିଓଙ୍କ ଦ୍ବାରା ଏହାର ସମାଧାନ ନହେବାରୁ ସେ ବୌଦ୍ଧ ବିଧାୟକ ଓ ଜିଲ୍ଲାପାଳଙ୍କଠାରେ ଗୁହାରି କରିଥିଲେ। ବାରମ୍ବାର ଲିଖିତ ଅଭିଯୋଗ କରି ନିରାଶ ହେବା ପରେ ସେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କ ସରକାରୀ ଗାଡ଼ି ସମ୍ମୁଖରେ ନିଜର ୨ ପିଲାଙ୍କ ସହ ଧାରଣାରେ ବସିଛନ୍ତି। ତାଙ୍କ ସହ ଶ୍ରମିକ ଧ୍ରୁବ ସେଠୀ ଓ ସୁମନ୍ତ ରଣା ବି ତାଙ୍କ ସହ ଧାରଣରେ ବସିଛନ୍ତି। ଖବର ପାଇ ଜଣେ ଅଧିକାରୀ ତାଙ୍କୁ ଭିତରକୁ ଯିବାକୁ ଅନୁରୋଧ କରିଥିଲେ। ହେଲେ ସେମାନେ ସେଥିରେ ଅମଙ୍ଗ ହୋଇ ବସି ଧାରଣାରେ ରହିଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର