ଲଗାଣ ବର୍ଷାରେ ଉପୁଡ଼ିଲା ବିଶାଳକାୟ ଗଛ; ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

ମାଲକାନଗିରି: ମାଥିଲି ନିକଟସ୍ଥ ଗାଙ୍ଗରାଜଗୁମ୍ମା ଗ୍ରାମରେ ଆଜି ଏକ ବିଶାଳକାୟ ଗଛ ଉପୁଡି ପଡି ଏକ ଘର ଉପରେ ପଡିଛି। ଘରଟି ସଂପୂର୍ଣ୍ଣ ରୂପେ ଭାଙ୍ଗିଯାଇଥିବା ବେଳେ ଏଥିରେ ଥିବା ଲୋକେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି।ଗତ କିଛି ଦିନ ହେଲା ମାଲକାନଗିରି ଜିଲ୍ଲାର ମାଥିଲି ଅଂଚଳରେ ଲଗାଣ ବର୍ଷା ଲାଗି ରହିଛି। ଏହି ବର୍ଷାରେ ବହୁ ଘରଦ୍ବାର ଭାଙ୍ଗିବା ସହ ପୁରୁଣା ଗଛଗୁଡିକ ମଧ୍ୟ ଉପୁଡି ପଡିଛି।

ତେବେ ଗାଙ୍ଗରାଜଗୁମ୍ମା ଗ୍ରାମରେ ଏକ ବିଶାଳକାୟ ଗଛ ସ୍ଥାନୀୟ ପ୍ରଫୁଲ ଆୟାଲଙ୍କ ଘର ଉପରେ ପଡିଯାଇଥିଲା।ଏହି ସମୟରେ ଘରେ ଲୋକେ ରହିଥିଲେ ମଧ୍ୟ କାହାର କିଛି ଘଟିନଥିବା ଜଣାପଡିଛି।ଏହି ଖବର ମାଥିଲି ପିଇଓ ଅଶୋକ କୁମାର ମହାରଣା ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେବା ପରେ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଗଛକୁ କାଟି ଥିଲେ।ଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି।ତେବେ ତୁରନ୍ତ ପ୍ରଫୁଲଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ।

ସମ୍ବନ୍ଧିତ ଖବର