ସୁନ୍ଦରଗଡ଼: ‘ବୃକକ୍ ରୋଗରେ ଝିଅ ମୋର କଲବଲ ହେଉଛି। ତା’ କଅଁଳ ମୁହଁରୁ ହସ ଲିଭିଲିଭି ଆସୁଛି। ହେ ସରକାର; ମୋ କୁନି ଝିଅ ମୁହଁରେ ହସ ଫେରାଇ ଦିଅ’। କାନ୍ଦୁଥିଲେ ନାଜିଆ। ବୃକକ୍ ରୋଗରେ ଆକ୍ରାନ୍ତ ୯ ବର୍ଷର ନିଷ୍ପାପ କନ୍ୟା ଆରିକା ଫାତିମାଙ୍କ ମା’। ଘର ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ଜଲାନ ଟାୱାର ଗଳି। ଡାଏଲିସିସ୍ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସିଥିବା ବେଳେ କୁନି ଝିଅର ଜୀବନ ପାଇଁ ସରକାରଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି ଏହି ଆକୁଳ ନିବେଦନ କରି ଚାଲିଥିଲେ। ଝିଅର ବ୍ୟୟ ବହୁଳ ଚିକିତ୍ସା ପାଇଁ ହାତରେ ଏତେ ଟଙ୍କା ନାହିଁ। କରୋନା ପାଇଁ ବେରୋଜଗାର ହୋଇଯାଇଥିବା ସ୍ବାମୀ ସଇଦ ମୋଇନୁଲ୍ଲା ବି ଅସହାୟ। ଝିଅର ବିକଳ ମୁହଁକୁ ଦେଖି ଭାଙ୍ଗି ପଡ଼ିଥିବା ସ୍ବାମୀସ୍ତ୍ରୀ ଶେଷକୁ ସହାୟତା ପାଇଁ ସରକାରଙ୍କ ଆଗରେ ହାତ ପାତିଛନ୍ତି।
ରାଜଗାଙ୍ଗପୁରର ସଇଦ ମୋଇନୁଲ୍ଲା। ପତ୍ନୀ ନାଜିଆ ଓ ଏକ ମାତ୍ର ୯ ବର୍ଷର ଝିଅ ଫାତିମାଙ୍କୁ ନେଇ ତାଙ୍କ ସଂସାର। ମୋଇନ ଏମବିଏ କରିବା ପରେ ଜାମସେଦପୁର ଟାଟା ଷ୍ଟିଲରେ କାର୍ଯ୍ୟରତ ଥିଲେ। ଯେତିକି ରୋଜଗାର ହେଉଥିଲା ହସଖୁସିରେ ପରିବାର ଚଳି ଯାଉଥିଲା। ହେଲେ କୋଭିଡ ଛଡ଼ାଇ ନେଲା ଚାକିରି। ସପରିବାର ଚାଲି ଆସିଲେ ରାଜଗାଙ୍ଗପୁରସ୍ଥିତ ନିଜ ଘରକୁ। ହାତରେ କାମ ନଥିବାରୁ ମୋଇନ ଏଠାରେ ସ୍କୁଲ ପିଲାଙ୍କୁ ଟ୍ୟୁସନ୍ କରି କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ କରୁଥିଲେ। ଦୁଇ ବର୍ଷ ତଳେ ଝିଅ ଫାତିମା ହଠାତ ଜ୍ବରରେ ପଡ଼ିଲା। ଅନେକ ଚିକିତ୍ସା ସତ୍ତ୍ବେ ଜ୍ବର ଛାଡ଼ୁ ନଥିଲା।
ରାଉରକେଲାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଝିଅର ସମ୍ପୂର୍ଣ୍ଣ ପରୀକ୍ଷା କରାଯିବା ପରେ ୟୁରିଆ କ୍ରିଏଟିନାଇନ ବହୁତ ବଢିଯାଇଥିବା ଓ ସେ ବୃକକ ରୋଗରେ ଆକ୍ରାନ୍ତ ଥିବା ଡାକ୍ତର କହିଲେ। ଏଥିପାଇଁ ତୁରନ୍ତ ଡାଏଲିସିସ ଆବଶ୍ୟକ ବୋଲି ସେ କହିବା ପରେ ସ୍ବାମୀସ୍ତ୍ରୀ ମୁଣ୍ଡରେ ଚଡ଼କ ପଡ଼ିଲା। ପରୀ ଭଳି ଖୁସିରେ ଡେଇଁ ବୁଲୁଥିବା ଝିଅ ମାରାତ୍ମକ ବୃକକ୍ ରୋଗରେ ଆକ୍ରାନ୍ତ ଥିବା ଜାଣିବା ପରେ ମୋଇନ ଓ ନାଜିଆ ଭାଙ୍ଗି ପଡ଼ିଥିଲେ। ଏତେ ସାନ ଝିଅର ଡାଏଲିସିସି କେଉଁଠି କରାଯିବ ସେ ନେଇ ଚିନ୍ତାରେ ପଡ଼ିଲେ। ହେଲେ ଝିଅର ଅବସ୍ଥା ଅଧିକ ଜଟିଳ ହେଉଥିବା ଦେଖି ମୋଇନ ଛତିଶଗଡ଼ ରାଜଧାନୀ ରାୟପୁରସ୍ଥିତ ରାମକୃଷ୍ଣ ହସ୍ପିଟାଲକୁ ନେଇ ଯାଇଥିଲେ। କିନ୍ତୁ ସେଠାରେ ଚିକିତ୍ସା ସମ୍ଭବ ନହେବାରୁ ଝିଅକୁ ଭୁବନେଶ୍ବର ଆପୋଲୋ ହସ୍ପିଟାଲକୁ ନେଇଥିଲେ। ସେଠାରେ ଚିକିତ୍ସା କରିବା ପରେ ଡାକ୍ତର ସପ୍ତାହରେ ଥରେ ଡାଏଲିସିସ କରିବାକୁ ପରାମର୍ଶ ଦେଲେ। ମୋଇନ ଯାହା କିଛି ସଞ୍ଚୟ କରି ରଖିଥିଲେ, ସେ ସବୁ ଝିଅର ଚିକିତ୍ସାରେ ସାରି ଦେଇଥିଲେ। ଏହା ପରେ ବନ୍ଧୁବାନ୍ଧବଙ୍କ ଠାରୁ ଧାର ଉଧାର କରି ଆଣିଥିବା ଟଙ୍କା ବି ସରିଗଲା।
ଏପଟେ ଭୁବନେଶ୍ବର ଡାଏଲିସିସ କରିବା ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବା ଓ ଏଥିପାଇଁ ଅର୍ଥ ବାଧକ ସାଜିବାରୁ ଗତ ୨୦୨୧ ଅଗଷ୍ଟ ମାସରୁ ସପ୍ତାହକୁ ଥରେ ସୁନ୍ଦରଗଡ଼ ସରକାରୀ ହସ୍ପିଟାଲକୁ ଆଣି ଝିଅର ଡାଏଲିସିସ କରାଉଛନ୍ତି ମୋଇନ୍। କିନ୍ତୁ ଛୋଟ ଛୁଆମାନଙ୍କ ଡାଏଲିସିସରେ ବ୍ୟବହୃତ ହେଉଥିବା କିଟ୍ ଓ ଇନଫ୍ୟୁସିଅନ ଟ୍ୟୁବ ଏଠାରେ ଉପଲବ୍ଧ ନଥିବାରୁ ତାହା ଭୁବନେଶ୍ବରରୁ ଆଣିବାକୁ ପଡ଼ୁଛି। ଏହା ଛଡ଼ା ଦୁଇ ଥର ଡାଏଲିସିସ ପରେ ହିମୋଗ୍ଲୋବିନର ମାତ୍ରା କମିଯାଉଥିବା ଓ ରକ୍ତ ଦେବାକୁ ପଡ଼ୁଥିବାରୁ ମୋଇନ୍ ଏବେ ଘୋର ଆର୍ଥିକ ସଂକଟରେ ପଡ଼ିଛନ୍ତି। ପ୍ରତି ମାସରେ ଝିଅ ପାଇଁ ୮ରୁ ୧୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଆଗକୁ ଫାତିମା ଦଶ ବର୍ଷର ହେଲେ ତାଙ୍କ ବୃକକ ପ୍ରତିରୋପଣ ଜରୁରୀ। ସରକାରୀ ସହାୟତା ମିଳିଲେ ଏ ବ୍ୟୟ ବହୁଳ ପ୍ରତିରୋପଣ ସମ୍ଭବ ହେବ। ସେଥିପାଇଁ ମୋଇନ ଓ ତାଙ୍କ ପତ୍ନୀ ନାଜିମା ସରକାରଙ୍କୁ ହାତ ଯୋଡ଼ି ଗୁହାରି କରିଛନ୍ତି।