ଜମିଜମା ବିବାଦରୁ ନିଆଁପାଣି ବନ୍ଦ, ନ୍ୟାୟପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପରିବାର

ଯାଜପୁରସଦର : ଧର୍ମଶାଳା ବ୍ଲକ୍‌ ମଙ୍ଗଳପୁର ପଞ୍ଚାୟତ କୋଠଢ଼ିହ ଗ୍ରାମର ସୂର୍ଯ୍ୟମଣି ନାୟକଙ୍କ ପରିବାର ନ୍ୟାୟ ପାଇଁ ଯାଜପୁର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜମିଜମା ବିବାଦରୁ ଏହି ପରିବାରକୁ ନିଆଁପାଣି ବନ୍ଦ କରାଯାଇଛି। ଫଳରେ ସୂର୍ଯ୍ୟମଣିଙ୍କ ପରିବାର ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରିବାର ଲୋକଙ୍କୁ ଧମକ ଦିଆଯାଉଛି। ଫଳରେ ସୂର୍ଯ୍ୟମଣିଙ୍କର ୫ ଟି ବଢ଼ିଲା ଝିଅ ଘର ଭିତ‌‌ରେ ଦିନ କାଟୁଛନ୍ତି। ସେହିପରି ଗ୍ରାମରେ ହେଉଥିବା ଭୋଜିଭାତ ଓ ଗାଁ ମନ୍ଦିରକୁ ମଧ୍ୟ ଏହି ପରିବାରକୁ ବାରଣ କରାଯାଉଛି। ତାଙ୍କ ସହ ସଂପର୍କ ରଖୁଥିବା ବ୍ୟକ୍ତିଙ୍କ ରାସନ ବନ୍ଦ କରାଯାଉଛି ତ ଅନ୍ୟ କାହାର ଭତ୍ତା କାଟି ଦିଆଯାଉଛି ।

ପ୍ରକାଶ ଯେ, ସୂର୍ଯ୍ୟମଣିଙ୍କ ଘର ସମ୍ମୁଖରେ ଥିବା ସରକାରୀ ଜମିରେ କିଛି ପ୍ରଭାବଶାଳୀ ବ୍ୟକ୍ତି ଘର ନିର୍ମାଣ କରିଥିଲେ। ଫଳରେ ସୂର୍ଯ୍ୟମଣିଙ୍କ ଘରକୁ ଯାତାୟାତ ରାସ୍ତା ବନ୍ଦ ହୋଇଯାଇଥିଲା । ଏନେଇ ସେ କୋର୍ଟର ଦ୍ବାରସ୍ଥ ହୋଇ କାର୍ଯ୍ୟ ବନ୍ଦ କରାଇଥିଲେ। ଫଳରେ କେତେକ ବ୍ୟକ୍ତି ୬ ବର୍ଷ ହେଲା ତାଙ୍କ ପରିବାରକୁ ହଇରାଣ କରୁଛନ୍ତି । ନିର୍ଯାତନା ଯୋଗୁଁ ଭାରସାମ୍ୟ ହରାଇ ସୂର୍ଯ୍ୟମଣିଙ୍କ ବଡ଼ଭାଇ ଚନ୍ଦ୍ରମଣି ନାୟକ ଆତ୍ମହତ୍ୟା କରିଥିଲେ। ବର୍ତ୍ତମାନ ସୂର୍ଯ୍ୟମଣି ନିଜ ପରିବାର ସହ ଭାଇଙ୍କ ପୁଅ, ଝିଅ ଓ ଭାଉଜଙ୍କ ମଧ୍ୟ ଭରଣପୋଷଣ କରୁଛନ୍ତି। ଘରେ ୫ଟି ଝିଅ, ବୁଢ଼ୀ ମା, ପତ୍ନୀ ଓ ଭାଉଜଙ୍କ ସହ ଗୋଟିଏ ପୁଅକୁ ନେଇ ବଡ଼ କଷ୍ଟରେ ଦିନ କାଟୁଛନ୍ତି। ନିର୍ଯାତନାରେ ଅତିଷ୍ଠ ହୋଇପଡ଼ିବାରୁ ଆଜି ସୂର୍ଯ୍ୟମଣି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ। ତାଙ୍କ ପରିବାରକୁ ନ୍ୟାୟ ନମିଳିଲେ ବଡ଼ଭାଇଙ୍କ ପରି ସୂର୍ଯ୍ୟମଣି ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର