ଖୋର୍ଦ୍ଧା:ବୋଲଗଡ଼ ବ୍ଲକ ଆରିକମାର କାଦୁଅପଡ଼ା ଗ୍ରାମର ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଶବର ପରିବାର ସେମାନଙ୍କୁ ସରକାରୀ ଜମିରେ ବାସଗୃହ ଯୋଗାଇଦେବା ପାଇଁ ଅନୁରୋଧ କରି ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି । ଆଜି ବିକାଶ ବେହେରା, ଚନ୍ଦ୍ରମଣୀ ମେହେରା, ସୌଦାମିନୀ ନାୟକ, ମାଧବ ପ୍ରଧାନ ପ୍ରମୁଖ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କୁ ଭେଟିଥିଲେ । ସେମାନଙ୍କ କହିବା କଥା ହେଲା ସେମାନଙ୍କ ଗ୍ରାମରେ କାଜୁ ନିଗମର ଏକ କାଜୁ ବଗିଚା ରହିଥିଲା । ଏହାର ଦେଖାଶୁଣା କରିବାକୁ ସେମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସେମାନେ ଅନେକ ବର୍ଷ ଧରି ସେଠାରେ ରହି କାମ କରୁଥିଲେ ।

Advertisment

ବର୍ତ୍ତମାନ କାଜୁ ଜଙ୍ଗଲଟି ନିଲାମଧାରୀଙ୍କ ବେଆଇନ କାମ ଯୋଗୁଁ ନଷ୍ଟ ହୋଇଗଲାଣି । ସେମାନେ ମଧ୍ୟ ସେମାନଙ୍କ କାମ ହରାଇଛନ୍ତି । ବର୍ତ୍ତମାନ ସେମାନେ ମୂଲ ଲାଗି ନିଜର ଗୁଜରାଣ ମେଣ୍ଟାଉଛନ୍ତି । ସେମାନଙ୍କ ନିଜ ଜମି, ଘର ନାହିଁ, ଏଣୁ ନିକଟସ୍ଥ ବରଡାଳିଆ ମନ୍ଦିର ନିକଟରେ ଥିବା ସରକାରୀ ପତିତ ଜମିରେ ସେମାନଙ୍କୁ ଥଇଥାନ କରାଯାଇ ବାସଗୃହ ନିର୍ମାଣ ପାଇଁ ସହାୟତା କରାଯାଉ । ଜିଲ୍ଲାପାଳଙ୍କ ସେମାନଙ୍କ ସହ ଆଲୋଚନା କରିବା ପରେ ଆଇନନାନୁସାରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି ।