ରାଉରକେଲା: ରାଉରକେଲାର ଜଣାଶୁଣା ଭାରତ ନାଟ୍ୟମ ନୃତ୍ୟଶିଳ୍ପୀ ରଶ୍ମୀତା ଲାକ୍ରା(୩୧)ଙ୍କୁ ବାଙ୍ଗାଲୁରୁରେ ଯୌତୁକ ଜନିତ ହତ୍ୟା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପରିବାରବର୍ଗ। ଯାହା ମାଗିଲେ ସବୁ ଦିଆଗଲା, ତଥାପି ଅଧିକରୁ ଅଧିକ ଯୌତୁକ ଦାବି କରୁଥିଲେ। ପରେ ଯୋଜନାବଦ୍ଧ ହତ୍ୟା କରାଯାଇଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ଏହି ମାମଲାରେ ଜଡ଼ିତ ଭୁବନେଶ୍ବରରେ ରହୁଥିବା ମୁଖ୍ୟ ଅଭିଯୁକ୍ତର ବାପା-ମା’ ଓ ପ୍ରେମିକାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Advertisment

ଏକ ସାମ୍ବାଦିକ ସମ୍ମିଳନୀରେ ମୃତକଙ୍କ ମା’ ଶାନ୍ତି ଲାକ୍ରା ଅଭିଯୋଗ କରିଛନ୍ତି, ମାଟ୍ରିମୋନିରେ ଯୋଗାଯୋଗକରି ଝିଅ ରଶ୍ମୀତା ଓ ବାଙ୍ଗାଲୁରୁରେ ଇନ୍‌ଫୋସିସ୍‌ରେ କାର୍ଯ୍ୟରତ ଗୌରୀ ଶଙ୍କର ଦଲେଇ(୩୩)ଙ୍କ ସହ ଜୁନ ୨୩ ତାରିଖରେ ସ୍ଥାନୀୟ ରିଜର୍ଭ ପୁଲିସ୍‌ ଲାଇନ୍‌ରେ ଥିବା ତ୍ରିନାଥ ମନ୍ଦିରରେ ବିବାହ ଅନୁଷ୍ଠିତ ହୋଇଥିଲା। ଅଭିଯୁକ୍ତ ଗୌରୀ ଶଙ୍କରଙ୍କ ବାପା ପ୍ରଦୀପ ଦଲେଇ ଓ ସେକ୍ରେଟାରିଏଟ୍‌ରେ ବିତ୍ତ ବିଭାଗରେ କାର୍ଯ୍ୟରତ ମା’ ସୀତାମଣୀ ଦଲେଇ ଭୁବନେଶ୍ବରରେ ବସବାସ କରୁଛନ୍ତି। ବିବାହବେଳେ ଦାବି ମୁତାବକ ପାଖାପାଖି ଦେଢ଼ ଶହ ଗ୍ରାମର ସୁନା ଅଳଙ୍କାର ସମେତ ନଗଦ ଟଙ୍କା, ଦାମୀ ହାତଗଣ୍ଟା, ବ୍ରାସ୍‌ଲେଟ୍‌ ଆଦି ଦିଆଯାଇଥିଲା। ବିବାହପରେ ରଶ୍ମୀତା ସ୍ବାମୀଙ୍କ ସହ ବାଙ୍ଗାଲୁରୁକୁ ଚାଲି ଯାଇଥିଲେ। ତେବେ ବିବାହର ଦ୍ବିତୀୟ ଦିନରୁ ମାନସିକ ଓ ଶାରୀରିକ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ପ୍ରକୃତରେ ଅଭିଯୁକ୍ତ ଗୌରୀ ଶଙ୍କର ପୂର୍ବରୁ ବାଙ୍ଗାଲୁରୁର ଏକ ଆଇଟି କମ୍ପାନିରେ କାର୍ଯ୍ୟରତ ଭୁବନେଶ୍ବରର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ବିବାହପରେ ମଧ୍ୟ ଅନୈତିକ ସମ୍ପର୍କ ଜାରି ରଖିଥିଲେ। ଏନେଇ ଝିଅ କୌଣସି ଉପାୟରେ ଜାଣିବାକୁ ପାଇବାରୁ ନିର୍ଯାତନା ଦ୍ବିଗୁଣିତ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଜ୍ବାଇଁର ଦାବି ମୁତାବକ ନଗଦ ଦେଢ଼ ଲକ୍ଷ ଟଙ୍କା ତାଙ୍କ ବାପା-ମା’ଙ୍କୁ ଦିଆଯାଇଥିଲା; ତଥାପି ନିର୍ଯାତନା କମିନଥିଲା।

ଅଗଷ୍ଟ ୧୬ ତାରିଖ ସନ୍ଧ୍ୟାରେ ପୀଡ଼ିତା ରଶ୍ମୀତା ନିଜ ଦୁଇ ଭଉଣୀଙ୍କ ସହ ଫୋନ୍‌ରେ ଶେଷଥର ପାଇଁ ନିର୍ଯାତନାର କାହାଣୀ କହିଥିଲେ। ଉକ୍ତ ରାତି ପ୍ରାୟ ସାଢ଼େ ୧୨ଟାରେ ଅଭିଯୁକ୍ତର ମା’ ଫୋନ କରି ଝିଅ ଅଚେତ ହୋଇପଡ଼ିଥିବାରୁ ବାଙ୍ଗାଲୁରୁକୁ ଯିବାକୁ ସୂଚନା ଦେଇଥିଲେ। ତେବେ ସେତେବେଳକୁ ରଶ୍ମୀତାକୁ ହତ୍ୟା କରାଯାଇସାରିଥିଲା। ତା’ ପରଦିନ ପରିବାର ସଦସ୍ୟ ବାଙ୍ଗାଲୁରୁକୁ ଯିବାବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସପିଟାଲକୁ ନିଆ ସରିଥିଲା। ସେତେବେଳେ ରଶ୍ମୀତା ବେକରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା କୁହାଯାଇଥିଲା। କିନ୍ତୁ ‌ପରିବାର ସଦସ୍ୟ ଯୌତୁକ ଦାବିରେ ହତ୍ୟା କରାଯାଇଥିବା ନେଇ ସେଠାକାର ପୁଲିସ ଥାନାରେ ଏତଲା ଦେଇଥିଲେ।

ପ୍ରାରମ୍ଭରେ ପୁଲିସ ସହଯୋଗ କରୁନଥିବାବେଳେ ବହୁ କାକୁତିମିନତି ପରେ ମାମଲା ରୁଜୁ କରିଥିଲା। ତେବେ କେବଳ ଜ୍ବାଇଁ ଗୌରୀ ଶଙ୍କରକୁ ଗିରଫକରି କୋର୍ଟଚାଲାଣ କରାଯାଇଥିବାବେଳେ ଅନ୍ୟ ତିନି ଅଭିଯୁକ୍ତ, ଜ୍ବାଇଁର ବାପା-ମା’ ଓ ପ୍ରେମିକାଙ୍କୁ ଛାଡ଼ି ଦିଆଯାଇଥିଲା। ସମଗ୍ର ଘଟଣାରେ ଏହି ତିନି ଜଣ ବି ସମ ପରିମାଣରେ ଦାୟୀ। ବାସ୍ତବରେ ରଶ୍ମୀତା ଆତ୍ମହତ୍ୟ କରିନଥିଲେ; ବରଂ ଯୋଜନାବଦ୍ଧଭାବେ ତାକୁ ଜ୍ବାଇଁ ଜୀବନରୁ ମାରିଦେଇଛନ୍ତି। ରଶ୍ମୀତାଙ୍କ ବେକରେ ରଶିର ଚିହ୍ନ ବି ନଥିବାରୁ ଏହା ସୁପରିକଳ୍ପତି ହତ୍ୟାକାଣ୍ଡ। ବିବାହ ସମୟରେ ଦିଆଯାଇଥିବା ସମସ୍ତ ସୁନାଗହଣାକୁ ବି ଅଭିଯୁକ୍ତ ପରିବାର ଲୁଚାଇ ରଖିଛନ୍ତି। ଏହି ହତ୍ୟାକାଣ୍ଡରେ ଜଡ଼ିତ ଅନ୍ୟ ତିନି ଜଣଙ୍କୁ ଗିରଫ କରି ନ୍ୟାୟ ଦେବାକୁ ଗୁହାରି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମୃତକଙ୍କ ଚାରି ଭାଇ ଭଉଣୀ ଗୀତା ଦାଶ, ରୀତାରାଣୀ ପୁହାଣ, ଅଜୟ ଲାକ୍ରା, ସଞ୍ଜୟ ଲାକ୍ରା ଓ ଭିଣୋଇ ଧନବୀର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।