ରାଇରଙ୍ଗପୁର: ପ୍ରାୟ ଦେଢ଼ ମାସ ପୂର୍ବରୁ ଜଣେ ନାବାଳିକା ଝିଅର ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ତେବେ ପୁଲିସକୁ ଲିଖିତ ଅଭିଯୋଗ ଦେବାର ୪୦ ଦିନ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ନାବାଳିକା ଝିଅର କୌଣସି ପତ୍ତା ମିଳି ପାରିନାହିଁ। ଫଳରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ନାବାଳିକାର ପରିବାର ଲୋକ ପିଜିସିଏଲ୍ ଓ ମୟୂରଭଞ୍ଜ ଏସପିଙ୍କ ନିକଟରେ ଗୁହାରୀ କରିବା ସହିତ ଏବେ ଥାନା ପରିସରରେ ଧାରଣାରେ ବସିଛନ୍ତି। ତେବେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧିନସ୍ଥ ଅଞ୍ଚଳରେ।
Advertisment
ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର ୫ନଂ ୱାର୍ଡ଼ର ବାସିନ୍ଦା ସଞ୍ଜୟ ରାମଙ୍କ ପରିବାରରେ ତାଙ୍କ ଦୁଇ ପୁଅ, ଗୋଟିଏ ଝିଅ, ସ୍ତ୍ରୀ ଓ ମା’ଙ୍କୁ ନେଇ ବେଶ ହସଖୁସିରେ ଦିନ କାଟୁଥିବା ବେଳେ ହଠାତ ଦିନେ ଦୁଃଖର କଳା ବାଦଲ ମାଡ଼ି ଆସିଲା। ଘରୁ କଲେଜ ଯିବା କଥା ମା’ଙ୍କୁ କହି କଲେଜ ବାହାରି ଯାଇଥିଲା ଝିଅ। ହେଲେ ଆଉ ଘରକୁ ଫେରି ନ ଥିଲା, ଯାହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକେ।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ରାଇରଙ୍ଗପୁର କଲେଜରେ ଯୁକ୍ତ ଦୁଇ କଳା ଦ୍ବିତୀୟ ବର୍ଷରେ ଅଧ୍ୟୟନ କରୁଥିବା ସଞ୍ଜୟ କୁମାର ରାମଙ୍କ ଝିଅ ଗତ ଜାନୁଆରି ମାସ ୩୧ ତାରିଖ ଦିନ ୧୦.୩୦ ପାଖାପାଖି ଘରୁ ବାହାରି ରାଇରଙ୍ଗପୁର କଲେଜ ଯାଇଥିଲା। ହେଲେ କଲେଜରୁ ଆଉ ଘରକୁ ଫେରି ନ ଥିଲା। ସେହି ଦିନ ପୂର୍ବାହ୍ନ ୪.୦୦ ପାଖାପାଖି ଝିଅ ଘରକୁ ନ ଫେରିବାରୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ଝିଅର ଫୋନ ସୁଇଚ ଅଫ୍ ରହିଥିଲା। ପରେ ଝିଅର ବାପା ଆଖପାଖ ପଡୋଶୀ ଓ ସମ୍ପର୍କୀୟଙ୍କ ପାଖରେ ମଧ୍ୟ ଝିଅ ନଥିବା ଦେଖି ସେହିଦିନ ହିଁ ରାଇରଙ୍ଗପୁର ଟାଉନ ଥାନାର ଦ୍ବାରସ୍ଥ ହୋଇଥିଲେ। ଝିଅକୁ କେହି ମନ୍ଦ ଉଦ୍ଦେଶ୍ୟ ରଖି ପ୍ରଲୋଭନ ଦେଖାଇ ଅପହରଣ କରିଥିବା ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗକୁ ଆଧାର କରି ରାଇରଙ୍ଗପୁର ଟାଉନ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ନାବାଳିକା ଝିଅକୁ ଖୋଜାଖୋଜି ଜାରି ରଖିଥିଲେ। ହେଲେ ଝିଅର ଫୋନ୍ କୁ ଟ୍ରାକ୍ କରିବାରେ ବିଫଳ ହୋଇଥିଲେ। ଦିନ ପରେ ଦିନ ଗଡ଼ି ଚାଲିଥିଲା ବେଳେ ହତାଶ ହୋଇ ଝିଅର ବାପା ସଞ୍ଜୟ କିଛି ଦିନ ପରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଜନ ଶୁଣାଣିରେ ମଧ୍ୟ ଅଭିଯୋଗ କରିଥିଲେ। ପରେ ଏ ସମ୍ପର୍କରେ ବାରିପଦା ଯାଇ ମୟୂରଭଞ୍ଜ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ଆଜିକୁ ପ୍ରାୟ ଦେଢ଼ ମାସ ଦିନ ବିତି ଯାଇଥିଲେ ସୁଦ୍ଧା ଝିଅର କୌଣସି ପତ୍ତା ମିଳୁ ନାହିଁ। ବାଧ୍ୟ ହୋଇ ଶେଷରେ ସଞ୍ଜୟ କୁମାର ରାମ, ତାଙ୍କ ମାଆ, ସ୍ତ୍ରୀ ଓ ପୁଅକୁ ଧରି ରାଇରଙ୍ଗପୁର ଟାଉନ ଥାନା ପରିସରରେ ଧାରଣାରେ ବସିଛନ୍ତି। ତାଙ୍କ ଝିଅକୁ ଘରକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ସଞ୍ଜୟ କୁମାର ରାମ।