ମୃତ ବିଦ୍ୟୁତ୍‌ କର୍ମଚାରୀଙ୍କ ପରିବାରକୁ ମିଳିଲା ୨୦ ଲକ୍ଷ ୩୫ ହଜାର, ଧାରଣା ପ୍ରତ୍ୟାହୃତ

ମର୍ଗରୁ ଶବ ଉଠାଇଲେ ପରିବାର

ରାଉରକେଲା: ବିଦ୍ୟୁତ୍‌ ଆଘାତରେ ଗୁରୁବାର ମୃତ୍ୟୁବରଣ କରିଥିବା ମନୋଜ ତିର୍କୀଙ୍କ ପରିବାରକୁ ଅନୁକମ୍ପା ଅର୍ଥ ରାଶି ଓ ଅନ୍ତେଷ୍ଟିକ୍ରିୟା ପାଇଁ ସହାୟତା ପ୍ରଦାନ କରାଯାଇଛି। ପରିବାର, ଗ୍ରାମବାସୀ ଓ ସୁନ୍ଦରଗଡ଼ ଇଣ୍ଡଷ୍ଟ୍ରିଆଲ ମଜଦୁର ୟୁନିୟନ (ସିଆଇଟିୟୁ) ଧାରଣା ଓ ଦାବି ଫଳରେ ପରିବାରକୁ ନ୍ୟାୟ ମିଳିଛି। ଆଜି ରଘୁନାଥପାଲୀ ଥାନାରେ ଘୋଷଣାନାମା ସ୍ବାକ୍ଷରିତ ହୋଇଛି। ‌ଘୋଷଣାନାମା ଅନୁଯାୟୀ ଟାଟା ପାୱାର ପକ୍ଷରୁ ୨ ଲକ୍ଷ, ଠିକା ସଂସ୍ଥା ପରିଡ଼ା ଆଣ୍ଡ ବଦର୍ସ ପକ୍ଷରୁ ୧୩ ଲକ୍ଷ ଟଙ୍କା ସହ ମୃତ କର୍ମଚାରୀଙ୍କ ଶେଷକୃତ ପାଇଁ ୩୫ ହଜାର ଟଙ୍କା, ଇନ୍ୟୁରାନ୍ସରୁ ୫ ଲକ୍ଷ, ଏମିତି ମୋଟ ୨୦ ଲକ୍ଷ ୩୫ ହଜାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି।

ମୃତ କର୍ମଚାରୀଙ୍କ ପିତାଙ୍କୁ ପରିଡା ବ୍ରଦର୍ସରେ ଚାକିରି ରଖାଯାଇ ତାର ଇଏସ୍‌ଆଇ, ପିଏଫ୍‌ ର ସୁବିଧା ଦେବାକୁ ବୁଝାମଣାପତ୍ରରେ ଦର୍ଶାଯାଇଛି। ଘୋଷଣାପତ୍ରରେ ସିଆଇଟିୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ, ଜିଲ୍ଲା ଉପସଭାପତି ସୁରେନ୍ଦ୍ର ଦାଶ, ଯଯାତୀ କେଶରୀ ସାହୁ, ବିଜେପିର ବରିଷ୍ଠ ନେତା ନିହାର ରାୟ, ମୃତ୍ୟୁ କର୍ମଚାରୀଙ୍କ ପିତା ଏତୁଆ ତିର୍କୀ, ମୀନା ତିର୍କୀ, ସିଟୁ ନେତ୍ରୀ ବୁଧନୀ ମୁଣ୍ଡାରୀ, ଶାନ୍ତି ମିଞ୍ଜ, ସମାଜସେବୀ ମଣିଲାଲ କେର୍କେଟା, ହେମା ଏକ୍କା ପ୍ରମୁଖ ସ୍ବାକ୍ଷର କରିଥିଲେ। ଟାଟା ପାୱାର ପକ୍ଷରୁ ଶିବାସିସ୍‌ ନାୟକ, ଠିକା ସଂସ୍ଥା ପରିଡ଼ା ଆଣ୍ଡ ବ୍ରଦର୍ସ ପକ୍ଷରୁ ମାଲିକ ସୁଧୀର କୁମାର ପରିଡା ଘୋଷଣାନାମାରେ ସ୍ବାକ୍ଷର କରିଛନ୍ତି। ପ୍ରକାଶଯୋଗ୍ୟ ଏହିସବୁ ସଂସ୍ଥାମାନଙ୍କ ଦ୍ବାରା ଶ୍ରମିକମାନଙ୍କୁ ଅତି କମ୍‌ ଦରମାରେ କାମ କରାଯାଉଛି। ଇଏସ୍‌ଆଇ ଓ ପିଏଫ୍‌ ଦିଆଯାଉ ନାହିଁ। ଏସବୁ ସଂସ୍ଥାମାନଙ୍କ ବି‌ରୋଧରେ ଶ୍ରମିକମାନଙ୍କର ଅଧିକାର ପାଇଁ ଶ୍ରମ ବିଭାଗ, ସୁରକ୍ଷା ଦାୟିତ୍ବରେ ଥିବା ବିଭାଗ ଦୃଷ୍ଟି ଦେବାକୁ ଶ୍ରୀ ଅଲ୍ଲୀ ‌ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ମୁତବାକ ମନୋଜ ଗତ ପ୍ରାୟ ଦେଢ଼ ବର୍ଷ ଧରି ଟାଟା ପାୱାରରେ ଠିକା ଶ୍ରମିକ ଭାବେ କାମ କରୁଥିଲେ।

ପ୍ରତିଦିନ ପରି ଗତକାଲି ଅପରାହ୍ନ ପ୍ରାୟ ୩ଟାରେ ସରକାରୀ ଆଇଟିଆଇ ନିକଟରେ ବିଦ୍ୟୁତ୍‌ ଖୁଣ୍ଟିରେ ଚଢ଼ି କାମ କରୁଥିଲେ। ମନୋଜ ବିଦ୍ୟୁତ୍‌ ଖୁଣ୍ଟିକୁ ଚଢ଼ିବା ପୂର୍ବରୁ ବିଦ୍ୟୁତ୍‌ ସଂଯୋଗ କଟାଯାଇ ନଥିବାରୁ ଏଭଳି ସ୍ଥିତି ଉପୁଜିଥିଲା। ହଠାତ୍‌ ବିଦ୍ୟୁତ୍‌ ସଂସ୍ପର୍ଶ ଆସିବାରୁ ପ୍ରାୟ ୨୦ ଫୁଟ୍‌ ତଳକୁ ପଡିଯାଇଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା, ଜଣକୁ ଚାକିରି ଦାବିରେ ରଘୁନାଥପାଲୀ ଥାନାରେ ଧାରଣାରେ ବସିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଠିକା ସଂସ୍ଥା, ବିଦ୍ୟୁତ୍‌ କମ୍ପାନୀ ଓ ମୃତ କର୍ମଚାରୀ ପରିବାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ହେଁ କୌଣସି ନିଷ୍କର୍ସ ବାହାରି ନଥିଲା। ଆଜି ମୃତଙ୍କ ପରିବାର ଲୋକ ପୁଣି ରଘୁନାଥପାଲୀ ଥାନାରେ ଧାରଣା ବସିଥିଲେ ଓ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ସିଆଇଟିୟୁ ଏମାନଙ୍କୁ ଦାବିକୁ ସମର୍ଥନ ଜଣାଇଥିଲେ।

ସମ୍ବନ୍ଧିତ ଖବର